ମାଲକାନଗିରି, ୧୯/୧୧ : ଆଦିବାସୀ ଗାଁରେ ଛୋଟ ଛୋଟ ପିଲା ମାନଙ୍କର ପାଠ ପଢିବା ଓ ସ୍କୁଲ ମୁହାଁ ହେବା ପାଇଁ ଶିକ୍ଷାର ମଙ୍ଗ ଧରିଛନ୍ତି ଗ୍ରାମର ଯୁବକମାନେ । ସେମାନେ ପ୍ରତିଦିନ ସନ୍ଧ୍ୟାରେ ଗାଁର ୫୦ରୁ ଊର୍ଦ୍ଧ୍ବ ପିଲାଙ୍କୁ ଏକତ୍ରିତ କରି ମାଗଣାରେ ପାଠ ପଢ଼ାଉଛନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକସ୍ଥ ଚିତ୍ରାଙ୍ଗପାଲି ପଞ୍ଚାୟତ ମୁଦାଖାଲ ଆଦିବାସୀ ଗାଁ ରେ।
ସୂଚନା ଅନୁସାରେ, ଗାଁର ଶିକ୍ଷିତ ଯୁବକ ଦେବା ସୋଡ଼ି ଯିଏ କି ପଡ଼ିଆ ବ୍ଲକ ଏମଭି ୯୫ହାଇସ୍କୁଲରେ ଶିକ୍ଷକତା କରନ୍ତି । ସେ ଛୁଟି ଦିନରେ ଗାଁକୁ ଆସିଲେ ୱାର୍ଡ଼ ମେମ୍ବର ମୁକା ମାଡ଼ି, ସୋମନାଥ ମାଢି, ସିଙ୍ଗା ମାଢି, ଗଙ୍ଗାଧର କବାସୀ, ମହେନ୍ଦ୍ର ମାଢି ଏହି ୫ଜଣ ଯୁବକଙ୍କୁ ନେଇ ଗାଁ ସ୍କୁଲରେ ପଢ଼ୁଥିବା ବାଲ ବାଟିକା ଓ ପ୍ରଥମଠାରୁ ଅଷ୍ଠମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ପ୍ରତିଦିନ ସନ୍ଧ୍ୟା ୬ଟାଠାରୁ ରାତି ୮ଟା ପର୍ଯ୍ୟନ୍ତ ବିନା ପାରଶ୍ରମିକରେ ପାଠ ପଢ଼ାଇ ଚାଲିଛନ୍ତି । ଏମିତି କି ରବିବାର ଓ ଛୁଟି ଦିନମାନଙ୍କରେ ମଧ୍ୟ ପାଠ ପଢ଼ାଇଥାନ୍ତି । ଏହି ଯୁବକମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ସହ ପରାମର୍ଶ ଓ ଦିଗଦର୍ଶକଭାବେ ଦେବା ସୋଡ଼ି ଅଛନ୍ତି । ଗାଁ ପରିବର୍ତ୍ତନ ପାଇଁ ଶିକ୍ଷା ହେଉଛି ଗୋଟିଏ ମାଧ୍ୟମ, ସେଥିନିମନ୍ତେ ଏହି ୫ ଜଣ ଯୁବକ ଆଦିବାସୀ ଗାଁରେ ଯେପରି କେହି ନିରକ୍ଷର ନ ରୁହନ୍ତି ସେଥି ନିମନ୍ତେ ସେମାନେ ସଙ୍କଳ୍ପ ବଦ୍ଧ ବୋଲି କହିଛନ୍ତି ।
ସ୍କୁଲ ଛୁଟି ହେବା ପରେ ପିଲାମାନେ ଘରେ ପାଠ ନ ପଢି ଗାଁରେ ବୁଲାବୁଲି କରି ଖରାପ ଅଭ୍ୟାସରେ ପଡ଼ିଥାନ୍ତି ଓ ସ୍କୁଲରେ ପଢା ଯାଇଥିବା ପାଠକୁ ଭୁଲି ଯାଇଥାନ୍ତି। ତେଣୁ ସେମାନଙ୍କୁ ପାଠ ପଢା ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ବିଦ୍ୟାଳୟକୁ ନିୟମିତ ଯିବା ପାଇଁ ଏହି ଯୁବକମାନଙ୍କ ଉଦ୍ୟମକୁ ଗ୍ରାମବାସୀମାନେ ପ୍ରଶଂସା କରିଛନ୍ତି। କେବଳ ମୁଦା ଖାଲ ଗ୍ରାମ ନୁହଁ ଜିଲ୍ଲାର ବିଭିନ୍ନ ଆଦିବାସୀ ଗ୍ରାମରେ ଥିବା ଶିକ୍ଷିତ ଯୁବକମାନଙ୍କ ଦ୍ୱାରା ମାଗଣାରେ ଶିକ୍ଷାଦାନର ବ୍ୟବସ୍ଥା କିପରି ହୋଇପାରିବ । ସେଥିପ୍ରତି ଚେଷ୍ଟା ଜାରି ରହିଛି ବୋଲି ଶିକ୍ଷକ ଦେବା ସୋଡି କହିଛନ୍ତି । ଆଦିବାସୀ ଗାଁରେ ଶିକ୍ଷାର ମଙ୍ଗ ଧରିଥିବା ଏହି ଯୁବକମାନେ ଶିକ୍ଷିତ ଯୁବପିଢୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।