ବାରିପଦା,୧୭/୦୧: ଶିମିଳିପାଳକୁ  ଶିକାରୀ ମୁକ୍ତ କରିବାର ପ୍ରୟାସ ସତ୍ତେ୍ୱ  ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ  ଉତ୍ପାତରେ ରୋକ ଲାଗୁନାହିଁ । ଶିମିଳିପାଳରେ ଦେଢ଼ ବର୍ଷର କଳା ବାଘ ଶିକାର ପରେ ସରକାର ଆକ୍ସନ ମୋଡ଼କୁ ଆସିଛନ୍ତି  ସରକାର । ଏଣିକି ଶିମିଳିପାଳର ଶିକାରୀ ପ୍ରବଣ ଅଂଚଳରେ ପୁଲିସ ପାଟ୍ରୋଲିଂ  ଜାରି ରହିବ । ଶୁକ୍ରବାରଠାରୁ ଶିମିଳିପାଳ  ଜଗିବେ ପୁଲିସ ଫୋର୍ସ ।

ଶିମିଳିପାଳରେ ପ୍ରାଥମିକ  ପର୍ଯ୍ୟାୟରେ ୧ ପ୍ଲାଟୁନ ପୁଲିସ ଫୋର୍ସ  ମୁତୟନ ହେବେ । ଜଏଣ୍ଟ ଟାସ୍କଫୋର୍ସ ସହ ମିଶି ପାଟ୍ରୋଲିଂ ସହ ଫ୍ଲାଗମାର୍ଚ୍ଚ କରି  ରେଡ୍‌ କରିବେ ବୋଲି ମୟୂରଭଞ୍ଜ ଏସ୍‌ପି  ବରୁଣ ଗୁଣ୍ଟୁପଲ୍ଲୀ ସୂଚନା ଦେଇଛନ୍ତି ।  ଏଥିସହ ଶିମିଳିପାଳ ସୁରକ୍ଷା ପାଇଁ ଆଉ ୧୫୦ କ୍ୟାମେରା ଲାଗିବ ବୋଲି ପିସିସିଏଫ୍‌  ପ୍ରେମ କୁମାର ଝା ସୂଚନା ଦେଇଛନ୍ତି । ଶିମିଳିପାଳକୁ ଶିକାରୀ ମୁକ୍ତ  କରିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ  ନେବାକୁ ଯାଉଛନ୍ତି । ବାରମ୍ବାର ଶିକାରୀଙ୍କ  ଅନୁପ୍ରବେଶରୁ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ  ସୁରକ୍ଷା ବିପନ୍ନ ହେଉଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ।