ଭୁବନେଶ୍ୱର,୦୫/୧୦: ଓଡ଼ିଶାରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନର ସମ୍ଭାବନା ରହିଛି । ରାଜ୍ୟରେ ପର୍ଯ୍ୟାପ୍ତ କଞ୍ଚାମାଲ ରହିଛି । ଭିତ୍ତିଭୂମି ବି ରହିଛି । କୁଶଳି ମାନବସମ୍ବଳ ଓ ରପ୍ତାନୀର ସମସ୍ତ ସୁଯୋଗ ରହିଛି । ଏତେ ସବୁ ଥିବା ସତ୍ତେ୍ୱ ରାଜ୍ୟରେ  ଅଧିକ ମାତ୍ରାରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ହୋଇପାରି ନାହିଁ । ଏହି କ୍ଷେତ୍ରରେ ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ମଧ୍ୟ ରହିଛି । ବାହାର ରାଜ୍ୟ ଓ ଦେଶର ଲୋକେ ସେମାନଙ୍କ ଅଞ୍ଚଳର କଞ୍ଚାମାଲ  ଉପଯୋଗ କରି ଅର୍ଥ ଉପାର୍ଜନ କରୁଛନ୍ତି । ମାତ୍ର ଆମ ପାଖରେ  ସବୁ କିଛି ଥାଇ ତାର ଉପଯୋଗ କରିପାରୁନେ । ତେଣୁ ଏହାକୁ  ଉପଯୋଗ କରି କିଭଳି ଆଗାମୀ ଦିନରେ ଦେଶରେ ଏକ ନମ୍ବର  ହୋଇପାରିବା ସେ ନେଇ ଆଲୋଚନା କରିବାର ଆବଶ୍ୟକତା  ରହିଛି ।

ଏଥିପାଇଁ ଶନିବାର ପ୍ରତିରକ୍ଷା ବିଶେଷଜ୍ଞ, ସରଞ୍ଜାମ  ଉତ୍ପାଦନକାରୀ, ନିବେଶକ, ଗବେଷକ ଓ ସେନା ଅଧିକାରୀଙ୍କୁ  ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଏକ  ସମ୍ମିଳନୀ ଅନୁଷ୍ଠିତ ହେବ । ସୋଆ ଏବଂ ସୋଆ ସେଣ୍ଟର ଫର ଇନୋଭେସନ୍‌ ଆଣ୍ଡ ଇନ୍‌କ୍ୟୁବେସନ୍‌ (ସୋଆ-ସିଆଇଆଇ)ର ମିଳିତ ସହଯୋଗରେ ଏହା ଆୟୋଜନ  କରାଯାଇଛି । ଏ ନେଇ ଶୁକ୍ରବାର ସୋଆ ବିଶ୍ୱବିଦ୍ୟାଳୟରେ  ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କର୍ପୋରେଟ୍‌  ଫାଉଣ୍ଡେସନ୍‌ (ଓସିଏଫ୍‌) ପକ୍ଷରୁ ସୂଚନା ଦିଆଯାଇଛି । 

‘ମିସନ୍‌: ମେକ୍‌ ଇନ୍‌ ଓଡ଼ିଶା ଫର ଡିଫେନ୍ସ ଇଣ୍ଡଷ୍ଟ୍ରି-  ଅପରର୍ଚୁନିଟିଜି ଗାଲୋର’ ଶୀର୍ଷକରେ ଏହି ଆଲୋଚନା  କରାଯିବ । ଉଦ୍ୟୋଗପତି ଓ ଶିଳ୍ପ କ୍ଷେତ୍ରରେ ବିଶେଷଜ୍ଞଙ୍କୁ  ଗୋଟିଏ ମଞ୍ଚରେ ଏକତ୍ରିତ କରିବା ହେଉଛି ଏହି ସମ୍ମିଳନୀର  ମୁଖ୍ୟ ଉଦ୍ଦେଶ୍ୟ ବୋଲି ଓସିଏଫ୍‌ର ଉପଦେଷ୍ଟା ବ୍ରିଗେଡିୟର  ଏଲ୍‌ ସି ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହାଦ୍ୱାରା ରାଷ୍ଟୀୟ  ସୁରକ୍ଷା ମଜଭୁତ ହେବା ସହ ଅର୍ଥନୈତିକ ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । 

ବ୍ରିଗେଡିୟର ପଟ୍ଟନାୟକ କହିଛନ୍ତି, ଏହି  ସମ୍ମିଳନୀର ପ୍ରମୁଖ ପ୍ରସଙ୍ଗ ହେଉଛି, ସ୍ଥାନୀୟ ବୁଦ୍ଧିମତ୍ତାକୁ ନେଇ  ସ୍ୱଦେଶୀ ପଦାର୍ଥର ଉତ୍ପାଦନ ଓ ଓଡ଼ିଶାର କୁଶଳି ମାନବସମ୍ବଳକୁ ନେଇ ବିଶ୍ୱସ୍ତରୀୟ ପ୍ରତିରକ୍ଷା ଉତ୍ପାଦ କରିବା । ଏଥିସହ ଅଭିନବ  ଉପାୟ ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳକୁ ବ୍ୟବହାର  କରି ଓଡ଼ିଶାର ଉନ୍ନତି ସାଧନ କରିବା । ବିଶ୍ୱ ପ୍ରତିରକ୍ଷା ବଜାରରେ  ଓଡ଼ିଶାକୁ ପ୍ରତିଷ୍ଠା କରି ବିଦେଶୀ ନିବେଶକଙ୍କୁ ଆକର୍ଷିତ କରିବା  ମଧ୍ୟ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।  

ସାମ୍ବାଦିକ ସମ୍ମିଳନୀରେ ଅବସରପ୍ରାପ୍ତ ମେଜର  ଜେନେରାଲ ଆର୍‌ସି ପାଢ଼ୀ, ଅବସରପ୍ରାପ୍ତ ଏଭିଏମ୍‌ ଏମ୍‌  ମହନ୍ତ, କର୍ଣ୍ଣେଲ୍‌ ଡ. ପିସି ପଟ୍ଟନାୟକ, ଓସିଏଫ୍‌ ମହିଳା  ଶାଖାର ଅଧ୍ୟକ୍ଷା ଉଷସୀ ରଥ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା  ଉପଦେଷ୍ଟା ପ୍ରମୋଦ କୁମାର ଶତପଥୀ ଉପସ୍ଥିତ ଥିଲେ ।