ଭୁବନେଶ୍ୱର,୨୨/୦୬:  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ  ଦଳ ନେତା ନବୀନ ପଟ୍ଟନାୟକ  ସର୍ଭାଇକାଲ୍‌ ଆର୍ଥରାଇଟିସ୍‌ ଚିକିତ୍ସା  ପାଇଁ ମୁମ୍ବାଇ ଯାଇଛନ୍ତି । ଆଜି ତାଙ୍କର ଅସ୍ତ୍ରୋପଚାର  ହେବ । ଏଥିପାଇଁ ଦିଲ୍ଲୀ ସମେତ  ବିଭିନ୍ନ ସ୍ଥାନରେ ନବୀନଙ୍କ ଆଶୁ  ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା  କରାଯାଉଛି । 

ଦିଲ୍ଲୀରେ ଓଡ଼ିଆ  କମ୍ୟୁନିଟି ପକ୍ଷରୁ ଜଗନ୍ନାଥ ମନ୍ଦିରରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଇଛି ।  ସେହିପରି ଶନିବାର ଭୁବନେଶ୍ୱର ସ୍ଥିତ  ରାମ ମନ୍ଦିରରେ ବରିଷ୍ଠ ନାଗରିକ ପୂଜାର୍ଚ୍ଚନା କରିଥିଲେ । ପୁରୀ ଶ୍ରୀମନ୍ଦିର  ସମ୍ମୁଖରେ ମଧ୍ୟ ଦଳୀୟ କର୍ମୀ ଓ ନେତା  ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ବିଭିନ୍ନ ନିର୍ବାଚନମଣ୍ଡଳୀ ଓ  ଜିଲ୍ଲାରେ ନବୀନଙ୍କ ସୁସ୍ଥତା କାମନା  କରି ନାଗରିକ ସମାଜ ଓ ଜନପ୍ରତିନିଧି  ପ୍ରଦୀପ ପ୍ରଜ୍ୱଳନ କରିଥିଲେ । 

ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ  ନାରାୟଣ ଜେନାଙ୍କ ସଂଯୋଜନାରେ  ବରିଷ୍ଠ ନାଗରିକଙ୍କ ଦ୍ୱାରା ପ୍ରଦୀପ  ପ୍ରଜ୍ୱଳନ ସହ ହନୁମାନ ଚାଳିଶା  ପାଠ କରାଯାଇଥିଲା । ସମୂହ  ପ୍ରାର୍ଥନା କରାଯାଇଥିଲା । ବରିଷ୍ଠ  ଉପସଭାପତି ଦେବୀ ପ୍ରସାଦ ମିଶ୍ର,  ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା,  ଅଶୋକ ପଣ୍ଡା, ଅତନୁ ସବ୍ୟସାଚୀ  ନାୟକ, ସ୍ନେହାଙ୍ଗିନୀ ଛୁରିଆ, ଉତ୍ତର  ବିଧାୟକ ସୁଶାନ୍ତ ରାଉତ, ଚାନ୍ଦବାଲି  ବିଧାୟକ ବ୍ୟୋମକେଶ ରାୟ,  ମେୟର ସୁଲୋଚନା ଦାସ, ପ୍ରଣବ  ବଳବନ୍ତରାୟ, ବିଜୟ ନାୟକ, ମନ୍ମଥ  ରାଉତରାୟ, ସୁମିତ୍ରା ଜେନା, କସ୍ତୁରୀ ମହାପାତ୍ର, ପ୍ରୀତିନନ୍ଦା ରାଉତରାୟ  ପ୍ରମୁଖ ଉପସ୍ଥିତ ଥିଲେ ।