ନୀଳଗିରି, ୦୧/୧୧ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଶୁକ୍ରବାରଠୁ ଖୋଲିଲା କୁଳଡିହା ଅଭୟାରଣ୍ୟ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ନେଚର୍ସକ୍ୟାମ୍ପ। ଏନେଇ ବନବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା ୨୭୨.୭୫ ଵର୍ଗ କିଲୋମିଟର ପରିଧି ବିଶିଷ୍ଟ କୁଳଡିହା ଅଭୟାରଣ୍ୟ ଦୀର୍ଘମାସ ପରେ ପୁଣି ଚଳଚଞ୍ଚଳ ହୋଇଉଠିବ। ଗତ ଜୁନ ମାସ ଠାରୁ ବର୍ଷା ଋତୁ କାରଣରୁ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ବନ୍ଦ ରହିଥିଲା। ପୁଣି ନଭେମ୍ବର ୧ ତାରିଖରେ ଏହା ଖୋଲୁଥିବା ବେଳେ ଚଳିତ ବର୍ଷ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ପୁଣି ଦେଖିବାକୁ ପାଇବେ ପର୍ଯ୍ୟଟକ। ଅଭୟାରଣ୍ୟରେ ହାତୀ, ହରିଣ, ସମ୍ବର, ଗୟଳ, ଠେକୁଆ, ବେଲରା ମୂଷା, ନୀଳଗାଈ, ସମେତ ବିଭିନ୍ନ ପ୍ରଜାତିର ପକ୍ଷୀ ଦେଖିବା ପାରିବେ।
କୁଳଡିହାକୁ ଲାଗି ରହିଥିବା ଡ୍ୟାମ୍ ସାତଘାଟି, ରିସିଆ, ପୁରୁଣାପାଣି, ଜୋଡ଼ାଚୁଆ, ମୁଖଚତୁରି, କଇମଚତୁରୀ ଅଞ୍ଚଳରେ ୨୫୦ରୁ ଅଧିକ ସଂଖ୍ୟାରେ ଦେଶୀ, ବିଦେଶୀର ପକ୍ଷୀ ଦେଖିବାକୁ ମିଳେ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ଅଭୟାରଣ୍ୟରେ ପର୍ଯ୍ୟଟନର ବିକାଶ ଲାଗି ଗୋହିରାଭୋଳ ଠାରେ ‘ରିସିଆ ପ୍ରକୃତି ନିବାସ’ ଖୋଲାଯାଇଛି । ରାତ୍ର ରହଣି ନିମନ୍ତେ ୯ଟି ତମ୍ବୁଘର ହୋଇଛି । ଏହା ସହ ନେଚର୍ସ କ୍ୟାମ୍ପ କରାଯାଇ ଖାଦ୍ୟ, ପିଇବା ପାଣି ଏବଂ ଶୌଚାଳୟର ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷେ ମାଦକଦ୍ରବ୍ୟ ଉପରେ କଟକଣା ରହିଛି ।
ବନ୍ୟପ୍ରାଣୀ ପଶି ନ ଆସିବା ପାଇଁ ଚାରିପାଖରେ ଟ୍ରେଞ୍ଚ ମଧ୍ୟ ଖୋଳାଯାଇଛି।ଏହି ନେଚର୍ସ କ୍ୟାମ୍ପରେ ରହି ରାତ୍ରିଯାପନ କରି ପର୍ଯ୍ୟଟକମାନେ ବୁଲିବା ସମୟରେ ୪ଟି କୃତ୍ରିମ ସଲ୍ଟପିଟ, ୫ଟି ୱାଚ ଟାୱାରରୁ କୁଲଡିହା ଅଭୟାରଣ୍ୟ ପଶୁପକ୍ଷୀଙ୍କୁ ଦେଖିବା ସହ ପ୍ରକୃତିର ମଜା ନେଇପାରିବେ।ନେଚର୍ସ କ୍ୟାମ୍ପରେ ରାତ୍ରିଯାପନ ପାଇଁ ଅନ୍ ଲାଇନରେ ବୁକିଂର ବ୍ୟବସ୍ଥା ରହିଛି। ଏପରିକି ଏହି ବିଷୟରେ ଅଧିକ ଜାଣିବା ପାଇଁ ୱେବ ସାଇଡ଼ www.ecotourodisha.com ରହିଛି। ପୂର୍ବାହ୍ନ ୯ଟା ୩୦ରୁ ଅପରାହ୍ନ ୧ଟାରେ ପ୍ରବେଶ ସହ ୫ଟା ପର୍ଯ୍ୟନ୍ତ ପରିଭ୍ରମଣର ସୁବିଧା ରଖାଯାଇଛି। ଏଠାରେ ଜଣେ ବ୍ୟକ୍ତି ପାଇଁ ୪୦ଟଙ୍କା, କ୍ୟାମେରା ପାଇଁ ୫୦ଟଙ୍କା, ଚାରିଚକିଆ ଯାନ ପାଇଁ ୧୦୦ ଟଙ୍କା ଓ ନେଚର୍ସ କ୍ୟାମ୍ପରେ ରାତ୍ରିଯାପନ ପାଇଁ ୩ ହଜାର ୮୫୪ ଟଙ୍କା ଧାର୍ଯ୍ୟ କରାଯାଇଛି।ତେବେ ଏନେଇ ଆମ ପ୍ରତିନିଧି ସିଧା ସୂଚନା ଦେଉଛନ୍ତି।