କଟକ,୦୫/୦୮: କଟକରେ ହେବ ତାରକସି ହବ୍ । ଦୀର୍ଘ ବର୍ଷର ଏହି ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଆଜି ସିଡିଏ ସେକ୍ଟର-୬ ପେଟାନାଳ ରାସ୍ତାରେ କଟକ ତାରକସି ସର୍ବସାଧାରଣ ସୁବିଧା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ଶିଳାନ୍ୟାସ କରିବେ । ରାଜ୍ୟ ସରକାରଙ୍କ ଏ ପଦକ୍ଷେପକୁ ତାରକସି ଶିଳ୍ପ ସହ ଜଡ଼ିତ କାରିଗର, ବିଶେଷଜ୍ଞ ଓ ସହରବାସୀ ସ୍ୱାଗତ କରିଛନ୍ତି। ତେବେ ପ୍ରାୟ ଶହେ ବର୍ଷ ତଳେ କଟକର ଏହି ସୂକ୍ଷ୍ମ ହସ୍ତକଳାକୁ ବିପୁଳ ପ୍ରୋତ୍ସାହନ ଦେଇଥିବା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନାମରେ ଏହି କେନ୍ଦ୍ରକୁ ନାମିତ କରିବାକୁ ସବୁ ମହଲରେ ଦାବି ହୋଇଛି ।
କୁଟୀର ଓ ହସ୍ତଶିଳ୍ପର ବିକାଶରେ ମଧୁବାବୁଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା । ମଧୁବାବୁ କଟକରେ ନିଜ ବାସଗୃହରେ ତାରକସି ତାଲିମ କେନ୍ଦ୍ର ପ୍ରତିଷ୍ଠା କରି ସ୍ଥାନୀୟ କାରିଗରମାନଙ୍କୁ ପ୍ରୋତ୍ସାହନ ଦେଇଥିଲେ । ସେ ସୁନା, ରୁପା ଓ ଅନ୍ୟ କଞ୍ଚାମାଲ୍ କିଣିବା ପାଇଁ କାରିଗରମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଉଥିଲେ । ଏହା ସହିତ ଉତ୍ପାଦ ବିକ୍ରି ହେଉ କି ନହେଉ, କାରିଗରମାନଙ୍କୁ ଦୈନିକ ବେତନ ପ୍ରଦାନ କରୁଥିଲେ । ଯାହା ସ୍ଥାନୀୟ କାରିଗରମାନଙ୍କୁ ଆର୍ଥିକ ସ୍ଥିରତା ଓ ପ୍ରୋତ୍ସାହିତ କରୁଥିଲା । କେବଳ ସେତିକି ନୁହେଁ, ମଧୁବାବୁ କଟକର ତାରକସି ଶିଳ୍ପକୁ ବିଶ୍ୱ ମାନଚିତ୍ରରେ ପହଞ୍ଚାଇବା ପାଇଁ ଲଣ୍ଡନରେ ତାରକସିର ଏକ ପ୍ରଦର୍ଶନୀ ବି କରିଥିଲେ । ଏହି ପ୍ରଦର୍ଶନୀ କଟକର ତାରକସିର ସୌନ୍ଦର୍ଯ୍ୟ ଓ କାରିଗରି ଦକ୍ଷତାକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇଥିଲା । ବିଶ୍ୱ ସ୍ତରରେ ତାରକସିର ଲୋକପ୍ରିୟତା କଟକର କାରିଗରମାନଙ୍କୁ ନିଯୁକ୍ତି ଓ ଆତ୍ମନିର୍ଭରଶୀଳତା ପ୍ରଦାନ କରିଥିଲା । ମଧୁବାବୁଙ୍କ ପ୍ରୟାସ କାରଣରୁ କଟକକୁ "ସିଲଭର ସିଟି’ ଭାବେ ପରିଚୟ ମିଳିଥିଲା । ତେଣୁ କଟକ ତାରକସି ପ୍ରତି ମଧୁବାବୁଙ୍କ ଅବଦାନକୁ କୃତଜ୍ଞତାର ସହ ସ୍ୱୀକାର କରି ସୁବିଧା କେନ୍ଦ୍ରକୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ କରିବାକୁ ଦାବି ହୋଇଛି । ଏହା ସହ କଟକ ତାରକସି ସହିତ ମଧୁବାବୁଙ୍କ ସଂପର୍କିତ ସ୍ମାରକୀଗୁଡିକୁ ଏଠାରେ ପ୍ରଦର୍ଶିତ କରାଯିବା ଦରକାର ବୋଲି ମତ ପ୍ରକାଶ ପାଇଛି । ଏହା ମଧୁବାବୁଙ୍କୁ ଓଡ଼ିଆ ଜାତିର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, କଟକ ତାରକସି ସୁବିଧା କେନ୍ଦ୍ର ପାଇଁ ସିଡିଏ ନିକଟସ୍ଥ ପେଟାନାଳ ରାସ୍ତା ପାଶ୍ୱର୍ରେ ୭ ହଜାର ବର୍ଗଫୁଟ ସ୍ଥାନ ଚିହ୍ନଟ କରାଯାଇଛି । ଭୁବନେଶ୍ୱର ଆଇଆଇଟି ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରଦାନ କରିବା ପରେ ଏହାକୁ ସରକାର ଅନୁମୋଦନ କରିଥିଲେ । ଆଇଆଇଟି ଭୁବନେଶ୍ୱର ଏହି ସେଣ୍ଟରର ଡିଜାଇନ, ବୈଷୟିକ ସହାୟତା, ମାର୍କେଟିଂ ପ୍ଲାନ୍, ବ୍ରାଣ୍ଡ୍ ପ୍ରମୋସନ ମାଧ୍ୟମ ଆଦି ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଥିଲା । ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ୍ ହାଉସିଂ କର୍ପୋରେସନ ଏଥିପାଇଁ ୭ କୋଟିର ଟେଣ୍ଡର୍ ଆହ୍ୱାନ କରିଛି । ଏଥିରେ କାରିଗରମାନଙ୍କ ପାଇଁ ନୂତନ ଜ୍ଞାନକୌଶଳର ଯନ୍ତ୍ରପାତି ଓ ଅତ୍ୟାଧୁନିକ ତାଲିମ୍ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିବ ।
ଏଥିସହିତ ତାରକସି ସାମଗ୍ରୀ ପ୍ରଦର୍ଶନୀ, ଏହାର ବିକ୍ରି ତଥା ରପ୍ତାନୀ, ବିନା ଶୁଳ୍କରେ କିପରି ରୁପା କ୍ରୟ କରାଯାଇପାରିବ, ତାରକସି ସାମଗ୍ରୀ ତିଆରି ସମୟରେ ଏହାର ନିର୍ମାଣ ମୂଲ୍ୟ ବା ମେକିଂ ଚାର୍ଜ କିପରି ହ୍ରାସ କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବ । ସବୁଠାରୁ ବଡ଼କଥା ଏହି କେନ୍ଦ୍ରରେ ଗ୍ରାହକମାନେ ତାରକସି କାରିଗରମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ଆଲୋଚନା କରିବାର ସୁଯୋଗ ମଧ୍ୟ ପାଇପାରିବେ।