ଫୁଲବାଣୀ/ଚକାପାଦ,୨୫/୧୨: ଟଳିଲା ଟପ୍ ମାଓ ନେତା । ସେଣ୍ଟ୍ରାଲ କମିଟି ମେମ୍ବର ତଥା ଓଡ଼ିଶା ମାଓ ସଂଗଠନର ମୁଖିଆ ଗଣେଶ ନିହତ । ସୁରକ୍ଷା ବାହିନୀର ଏନକାଉଣ୍ଟରରେ ସମାଧି ନେଲା କୋଟିଏ ଟଙ୍କିଆ ମୁଣ୍ଡ । ଗଣେଶ ସମେତ ୫ଜଣ ମାଓବାଦୀ ନିହତ ହୋଇଛନ୍ତି ।
ଗୁରୁବାର କନ୍ଧମାନ ଜିଲ୍ଲା ଚକାପାଦ ଅନ୍ତର୍ଗତ ଗସମା ଅଞ୍ଚଳ ଅର୍ଥାତ୍ ଗଞ୍ଜାମ ଜିଲ୍ଲା ରମ୍ଭା ସୀମାନ୍ତ ଜଙ୍ଗଲରେ ଏକାଧିକ ମାଓବାଦୀ ଲୁଚିଥିବା ନେଇ ସୁରକ୍ଷା ବାହିନୀକୁ ଗୁଇନ୍ଦା ଇନପୁଟ୍ ମିଳିଥିଲା । ଏହା ପରେ ସୁରକ୍ଷା ବାହିନୀର ୨୩ଟି ଟିମ୍ ସ୍ଥାନୀୟ ଜଙ୍ଗଲରେ କୁମ୍ବି ଅପରେସନ କରିଥିଲା । ଏସଓଜିର ୨୦ ସିଆରପିଏଫର ୨ଟି ଏବଂ ବିଏସଏଫର ଗୋଟିଏ ଟିମ୍ ଏହି ଅପରେସନରେ ସାମିଲ୍ ଥିଲେ । ସୁରକ୍ଷା ବାହିନୀକୁ ଦେଖି ମାଓବାଦୀମାନେ ଗୁଳି ମାଡ଼ କରିଥିଲେ । ଏହାର ପାଲଟା ଜବାବ ଦେଇଥିଲେ ଯବାନ । ଏହି ଗୁଳି ବିନିମୟରେ ୪ଜଣ ନକ୍ସଲ ନିହତ ହୋଇଛନ୍ତି । ଏଥିରେ ସେଣ୍ଟ୍ରାଲ କମିଟିର ଟପ୍ ମାଓ ନେତା ତଥା ଓଡ଼ଶା ସଂଗଠନର ମୁଖିଆ ଗଣେଶ ପ୍ରାଣ ହରାଇଛି । ପୂର୍ବରୁ ଗଣେଶ ମୁଣ୍ଡ ବଦଳରେ ପୁଲିସ ୧ କୋଟି ୧୦ ଲକ୍ଷ ଟଙ୍କା ଘୋଷଣା କରିଥିଲା । ସେପଟେ ଅନ୍ୟ ୪ ମୃତ ମାଓବାଦୀଙ୍କ ମଧ୍ୟ ପରିଚୟ ମିଳିଛି । ସେମାନ ମଧ୍ୟରେ ୨ଜଣ ପୁରୁଷ ଏବଂ ୨ଜଣ ମହିଳା ରହିଛନ୍ତି । ସେମାନେ ହେଲେ ରୂପା, ରାଜେଶ ତିଓ୍ବାରୀ, ପକ୍କା ହନୁମନ୍ତୁ ଏବଂ ଚମ୍ରୁ । ଅନ୍ୟପଟେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାବାହିନୀ ସେମାନଙ୍କ ଠାରୁ ଦୁଇଟି ଇନସାସ୍ ରାଇଫଲ୍ସ ଏବଂ ଗୋଟିଏ ୩୦୩ ରାଇଫଲ୍ ଜବତ କରିଛି । ଏହାଛଡ଼ା ତୁମୁଡିବନ୍ଧ ବ୍ଲକ୍ ବେଲଘର ଥାନା ଅଞ୍ଚଳରେ ଗୁଳି ବିନିମୟରେ ଦୁଇ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ତେଣୁ ଏହାକୁ ପୁଲିସର ମାଓ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି।