ବାରଙ୍ଗ ୦୧/୧୨(ମନୋଜ ସ୍ୱାଇଁ): ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ । ଆଗକୁ ନୂଆବର୍ଷ । ତେଣୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତ ହେଉଛି ନନ୍ଦନକାନନ । ଉଭୟ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନରେ ପର୍ଯ୍ୟଟକମାନଙ୍କୁ ନୂଆ ଅନୁଭୂତି ଦେବାକୁ ଗୁରୁତ୍ୱ ଦେଉଛନ୍ତି କର୍ତ୍ତୃପକ୍ଷ । ଏଥର ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକମାନେ କିଛି ନୂଆ ଜୀବଜନ୍ତୁ ଦେଖିବାକୁ ପାଇବେ । ଏଥିପାଇଁ ଖୁବ୍ଶୀଘ୍ର ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ କିଛି ଜୀବଜନ୍ତୁ ନନ୍ଦନକାନନ ଆସୁଥିବାବେଳେ ଆଗକୁ ଆହୁରି କିଛି ଜନ୍ତୁ ଆଣିବାର ଯୋଜନା ରହିଛି । ସେଥିପାଇଁ ନୂଆ ଖୁଆଡ଼ ମଧ୍ୟ ନିର୍ମାଣ ହେଉଛି, ଯାହା ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଅଦଳବଦଳ ପ୍ରକ୍ରିୟାରେ ଗୁଜୁରାଟରୁ ୪ ପ୍ରଜାତିର ୧୯ଟି ଜୀବଜନ୍ତୁ ଆସୁଛନ୍ତି ।
ଡିସେମ୍ବର ୧୦ରେ ଜନ୍ତୁଗୁଡ଼ିକ ନନ୍ଦନକାନନରେ ପହଞ୍ଚିବେ । ସେଥିମଧ୍ୟରେ ନନ୍ଦନକାନନକୁ ପ୍ରଥମଥର ଆସୁଛନ୍ତି ୫ଟି ପାଣି ଓଧ । ତା’ସାଙ୍ଗକୁ ଭାରତୀୟ ପଥର କଇଁଛ ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ । ଆଗକୁ ଆଉ କିଛି ନୂଆ ଜନ୍ତୁ ଆସିବାର ଯୋଜନା ରହିଛି । ତେବେ ଡିସେମ୍ବର ୨୯ ତାରିଖ ନନ୍ଦନକାନନ ପ୍ରତିଷ୍ଠା ଦିବସ ପରେ ପର୍ଯ୍ୟଟକମାନେ ନୂଆ ଖୁଆଡ଼ରେ ବିଦେଶୀ ଜୀବଜନ୍ତୁ ଦେଖିପାରିବେ ବୋଲି ସୂଚନା ମିଳିଛି । ସେହିପରି ଉଦ୍ଭିଦ ଉଦ୍ୟାନରେ ମଧ୍ୟ ନୂଆ ବଗିଚା ନିର୍ମାଣ ଚାଲିଛି, ଯାହା ଖୁବ୍ଶୀଘ୍ର ଶେଷ ହେବ । ଗତ ବର୍ଷ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ଥିଲା । ଚଳିତ ବର୍ଷ ମଧ୍ୟ ଅଧିକ ପର୍ଯ୍ୟଟକ ଦେଶ ବିଦେଶରୁ ଆସିବେ ବୋଲି ଆଶା କରାଯାଉଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ପାର୍କିଂ ପାଇଁ ଅଧିକ ଜାଗା ଓ ଅଧିକ ଟିକଟ କାଉଣ୍ଟର ବ୍ୟବସ୍ଥା ହେଉଛି । ଅଧିକ ସିକୁରିଟି ବ୍ୟବସ୍ଥା ମଧ୍ୟ କରାଯାଉଛି । ଭିଡ଼ ସମୟ ବିଶେଷ କରି ବଡ଼ଦିନ ଠାରୁ ନୂଆ ବର୍ଷ ପର୍ଯ୍ୟନ୍ତ ମେଡିକାଲ ଟିମ, ଅଗ୍ନିଶମ ବାହିନୀ ଓ ସ୍ୱେଚ୍ଛାସେବୀ ନିୟୋଜିତ ହେବେ ।