ଦେରାଡୁନ୍ : ପହଲଗାମ ଆତଙ୍କୀ ହମଲା ପରେ ' ଅପରେସନ ସିନ୍ଦୂର' ପରେ ଉତ୍ତରାଖଣ୍ଡ ଆସୁଥିବା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ରେକର୍ଡ କରାଯାଇ ଥିଲା। କେଦାରନାଥ-ବଦ୍ରିନାଥ ସହ ଉତ୍ତରାଖଣ୍ଡର ଚାରିଧାମରେ ମଧ୍ୟ ଭକ୍ତଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଥିଲା। କିନ୍ତୁ , ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତିର ଘୋଷଣା ପରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟାରେ ବୃଦ୍ଧି ହେବାରେ ଲାଗିଛି।
ୟୁପିର ସହାରନପୁର , ମୁରାଦାବାଦ , ମିରଟ , ମୁଜ୍ଜଫରନଗର , ବିଜନୌର ସହ ଦିଲ୍ଲୀ-ଏନସିଆର , ହରିଆଣା ସହ ଅନ୍ୟ ପଡୋଶ ରାଜ୍ୟରୁ ପର୍ଯ୍ୟଟକ ବହୁ ସଂଖ୍ୟାରେ ଉତ୍ତରାଖଣ୍ଡରେ ପହଞ୍ଚୁଛନ୍ତି। ଉତ୍ତରାଖଣ୍ଡରେ ନୈନିତାଲ , ହଲଦ୍ୱାନୀ , ମସୂରୀ, ହରିଦ୍ୱାର, ଋଷିକେଶ ଆଦି ଟୁରିଷ୍ଟ ସ୍ଥାନରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ହେବାରେ ଲାଗିଛି।
ନୈନିତାଲ, ମସୂରୀ , ହିରଦ୍ୱାର ଓ ଆଖପାଖ ଅଞ୍ଚଳର ପର୍ଯ୍ୟଟନ ବ୍ୟବସାୟକୁ ଆଶ୍ୱସ୍ତି ମିଳିବାର ଆଶା ରହିଛି। ଟୁରିଷ୍ଟ ସ୍ଥାନ ଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ନୈନିତାଲ ଜୁ , ହିମାଳୟନ ବଟନିକାଲ ଗାର୍ଡେନ ,ୱୁଡଲ୍ୟାଣ୍ଡ ୱାଟରଫଲ, ଜିରୋ ପଏଣ୍ଟ, ମାଲ୍ ରୋଡ୍ରେ ପର୍ଯ୍ୟଟକମାନେ ଦିନସାରା ଯିବା ଆସିବା କରୁଥିବା ଦେଖା ଯାଉଛି। ନୌକା ଚାଳନାର ଉପଭୋଗ କରିବାକୁ ମଧ୍ୟ ଭିଡ଼ ଜମିଛି।
ଅପ୍ରେଲର ତୃତୀୟ ସପ୍ତାହରେ ନୈନିତାଲକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ ହ୍ରାସ ପାଇବାକୁ ଲାଗିଥିଲା।ମଇର ଆରମ୍ଭରେ ସହରରେ ଘଟଣା ପରେ ହୋଟେଲ , ହୋମ୍ ଷ୍ଟେ ପାଖାପାଖି ଖାଲି ହୋଇ ଯାଇଥିଲା। ହେଲେ , ରବିବାର ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରୁ ବ୍ୟବସାୟୀ ମାନେ ଆଶ୍ୱସ୍ତିର ନିଶ୍ୱାସ ନେଇଛନ୍ତି।
ଦିଲ୍ଲୀ-ହରିଦ୍ୱାର ହାଇୱେରେ ଟ୍ରାଫିକ୍ ଡାଇଭର୍ଟ –
ବୁଦ୍ଧ ପୂର୍ଣ୍ଣିମା ସ୍ନାନକୁ ନେଇ ପୁଲିସ-ପ୍ରଶାସନ ମଧ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ। ପର୍ଯ୍ୟଟକଙ୍କ ଭିଡ଼ ଓ ହରିଦ୍ୱାର ଆସୁଥିବା ଶ୍ରଦ୍ଧାଳୁଙ୍କ ସହ ଚାରି ଧାମ ଯାତ୍ରାରେ ଯାଉଥିବା ତୀର୍ଥ ଯାତ୍ରୀଙ୍କ ପାଇଁ ଟ୍ରାଫିକ୍ ଡାଇଭର୍ଜନ ପ୍ଲାନ୍ ମଧ୍ୟ କରାଯାଇଛି। ଭାରି ଯାନକୁ ହାଇୱେରେ ନାରସେନ ବର୍ଡରରେ ରୋକା ଯାଉଛି। ହରିଦ୍ୱାରରେ ପାର୍କିଂ ସଂପୂର୍ଣ୍ଣ ଫୁଲ୍ ଅଛି। ଦିଲ୍ଲୀ –ହରିଦ୍ୱାର ହାଇୱେରେ ଟ୍ରାଫିକ୍ ମଧ୍ୟ ଡାଇଭର୍ଟ କରାଯାଇଛି।
ହୋଟେଲ ପୂରା ଫୁଲ୍ –
ଉତ୍ତରାଖଣ୍ଡର ଅନେକ ପର୍ଯ୍ୟଟନ ସ୍ଥଳରେ ଆଡଭାନ୍ସ ବୁକିଂ ହେବା ଆରମ୍ଭ ହୋଇ ଯାଇଛି। ନୈନିତାଲ , ମସୂରୀ , ହରିଦ୍ୱାର ଆଦି ସହରରେ ହୋଟେଲ ପୂରା ପ୍ୟାକ୍। ଏହା ସହ ପାର୍କିଂ ମଧ୍ୟ ଫୁଲ୍ ହୋଇଛି। ଟୁରିଷ୍ଟଙ୍କ ପ୍ରବଳ ଭିଡ଼କୁ ଦେଖି ହୋଟେଲ ବ୍ୟବସାୟୀଙ୍କ ଚେହେରାରେ ଖୁସି ଝଲସିଛି।