ଭୁବନେଶ୍ୱର, ୩୧/୦୩: ଟ୍ରଲର୍ ସହ ମୁହାଁମୁହିଁ ଧକ୍କା ହେଲା ହାଇୱା । ଦୁର୍ଘଟଣାରେ ଟ୍ରଲର୍ ଡ୍ରାଇଭର୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର୍‌ ଗୁରୁତର ହୋଇଛନ୍ତି । ମୃତକ ବିହାର ଅଞ୍ଚଳର ମାନସ ଏବଂ ଗୁରୁତର ହେଲପର୍‌ ଦୋହନଲାଲ ଜାଦବ ବୋଲି ଜଣାପଡ଼ିଛି । କେଉଁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ୨୦ ନଂ ଜାତୀୟ ରାଜପଥରର ଶୈଲଙ୍ଗ ବିଜି ମୋଟର୍ସ ଛକ ନିକଟରେ ଏଭଳି ଘଟଣା ଘିଟିଛି । 

ସୂଚନା ମୁତାବକ, ରବିବାର ରାତି ପ୍ରାୟ ୩ଟା ବେଳେ ଏକ ଟ୍ରଲର୍‌ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ହାଇୱା ଆସୁଥିଲା । ୨୦ ନଂ ଜାତୀୟ ରାଜପଥରର ଶୈଲଙ୍ଗ ବିଜି ମୋଟର୍ସ ଛକ ନିକଟରେ ଉକ୍ତ ଟ୍ରଲର୍‌କୁ ହାଇୱା ଧକ୍କା ଦେଇଥିଲା । ଫଳରେ ଟ୍ରଲର୍‌ ଡ୍ରାଇଭର୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର୍‌ ଗୁରୁତର ହୋଇଛନ୍ତି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଏବଂ ଘଷିପୁରା ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଡ୍ରାଇଭର୍‌ଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ହେଲପର୍‌ଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ଉପସ୍ଥିତ ରହି ତଦନ୍ତ ଚଳାଇଛି ।