ଜହ୍ନ।ପଙ୍କ, ୩୦/୫: ପଦ୍ମ ଫୁଲ ଏକ ଜଳଜ ଉଦ୍ଭିଦ ହୋଇଥିବା ବେଳେ, ଏହାର ଯେଉଁ ଅଂଶ ମାଟି ଭିତରେ ଥାଏ ତାହାକୁ ପୂରନୀ କନ୍ଦା କୁହାଯାଏ l ଗ୍ରୀଷ୍ମ ଋତୁରେ ଯେଉଁ ପଦ୍ମ ପୋଖରୀ ଶୁଖିଯାଏ, ସେଠାରେ ମାଟି ଖୋଳି ଏହାକୁ ସଂଗ୍ରହ କରାଯାଏ l ପ୍ରାୟ ଏକ ଇଞ୍ଚରୁ ଦେଢ଼ ଇଞ୍ଚ ବ୍ୟାସ ବିଶିଷ୍ଟ ଟ୍ୟୁବ ଆକୃତିର ଇଷତ ମାଟିଆ ରଙ୍ଗର ଏହି ଲମ୍ବାଳିଆ ପଦାର୍ଥକୁ ଖାଦ୍ୟ ରୂପରେ ମଧ୍ୟ ବ୍ୟବହାର କରାଯାଏ l କିଛି ଲୋକ ଏହାକୁ କଞ୍ଚାରେ ଚୋବେଇ ଖାଆନ୍ତି ଯାହାଦ୍ୱାରା ଖରାଦିନେ ପେଟ ଥଣ୍ଡା ରହେ ବୋଲି ବିଶ୍ୱାସ କରାଯାଏ l ଜହ୍ନାପଙ୍କ ଭଳି ସ୍ଥାନୀୟ ବଜାରରେ ପ୍ରାୟ ୧ ଫୁଟ ଲମ୍ବର ୬ ରୁ ୭ ଖଣ୍ଡ ପୂରନୀ କନ୍ଦା ବିଡା ପ୍ରତି ୧୦ ରୁ ୨୦ ଟଙ୍କାରେ ବିକ୍ରି ହୁଏ l ପଡୋଶୀ ଜିଲ୍ଲାକୁ ମଧ୍ୟ ସ୍ଥାନୀୟ ବଜାରରୁ ପୂରନୀ କନ୍ଦା ଯୋଗାଣ କରାଯାଏ l ଗ୍ରୀଷ୍ମ ଋତୁର ଆରମ୍ଭରେ ଗାଡ଼ିଆ, ପୋଖରୀର ପାଣି ଶୁଖିଯିବା ପରେ ଏହା ମିଳିବା ଆରମ୍ଭ ହୋଇଥାଏ ଏବଂ ଗ୍ରୀଷ୍ମ ଋତୁର ଶେଷ ଆଡକୁ ଏହା ଅପେକ୍ଷାକୃତ ଅଧିକ ପରିମାଣରେ ମିଳିଥାଏ l
ତେବେ ପୂରନୀ କନ୍ଦା ସଂଗ୍ରହ କରିବା ପାଇଁ ସ୍ୱତନ୍ତ୍ର କୌଶଳର ଆବଶ୍ୟକତା ରହିଥାଏ l ପଦ୍ମ ପୋଖରୀ ଶୁଖି ଯିବାପରେ କୁଶଳୀ ଲୋକେ ମାଟି ଭିତରୁ ଏହାକୁ ଖୋଳି ବାହାର କରନ୍ତି l ତାପରେ ଭଲ ଭାବେ ଧୋଇ ନିର୍ଦିଷ୍ଟ ଦୈର୍ଘ୍ୟରେ କାଟି ବିଡା ବାନ୍ଧି ସ୍ଥାନୀୟ ବଜାରରେ ବିକ୍ରି କରନ୍ତି l ଏହା ଏକ ପାରମ୍ପରିକ ଜୈବିକ ଖାଦ୍ୟ ହୋଇଥିବା ବେଳେ ବ୍ୟବସାୟିକ ଭାବେ ଏହାର ଉତ୍ପାଦନ ହୁଏ ନାହିଁ l ସମ୍ପୂର୍ଣ୍ଣ ପ୍ରାକୃତିକ ଢଙ୍ଗରେ ସୃଷ୍ଟି ହେଉଥିବା ଏହି ଋତୁକାଳୀନ ଖାଦ୍ୟ କୃତ୍ରିମ ରାସାୟନିକ ପଦାର୍ଥ ସଂସ୍ପର୍ଶରେ ପ୍ରାୟତଃ ଆସିନଥାଏ l
ଏହାର ଲଭ୍ୟତା (availability) ବହୁତ କମ ଥିବା ସ୍ଥଳେ ଏହାର ବ୍ୟଞ୍ଜନ କୌଣସି ହୋଟେଲ ବା ରେଷ୍ଟୋରାଣ୍ଟରେ ମିଳେନାହିଁ l ଦେଶୀ ତଥା ସୌଖିନ ଖାଦ୍ୟ ପ୍ରିୟ ଲୋକେ ଏହାକୁ ରୋଷଇ କରି ସ୍ୱାଦିଷ୍ଟ ବ୍ୟଞ୍ଜନ ଭାବେ ମୁଖ୍ୟ ଖାଦ୍ୟ ସହିତ ଗ୍ରହଣ କରିଥାନ୍ତି l ସ୍ଥଳ ବିଶେଷରେ ଏହାକୁ ଘାଣ୍ଟ ତରକାରୀ ବା ଦେଶୀ ମୁଗଡାଲିରେ ବ୍ୟବହାର କରାଯାଇଥାଏ। ତଥାପି ଅଧିକାଂଶ ଲୋକ ପୂରନୀ କନ୍ଦା ଭଜା ଖାଇବାକୁ ବିଶେଷ ପସନ୍ଦ କରିଥାନ୍ତି l ଗୋଲାକାର ଆକୃତିରେ ଛୋଟ ଛୋଟ କଟାଯାଇଥିବା ପୂରନୀ କନ୍ଦା କୁ ପତଳା ପିଠଉ ଗୋଳେଇ ତାୱାରେ ଅନ୍ୟ ଭଜା ଭଳି ଘରେ ରୋଷେଇ କରି ଖିଆଯାଇଥାଏ l ବର୍ତ୍ତମାନ ଜୈବିକ ଏବଂ ପାରମ୍ପରିକ ଖାଦ୍ୟ ପ୍ରତି ଲୋକଙ୍କ ରୁଚି ବଢୁଥିବା ବେଳେ ପୂରନୀ କନ୍ଦା ପ୍ରତି ମଧ୍ୟ ଲୋକଙ୍କ ମଧ୍ୟରେ ଆଦର ଢେର ବଢୁଥିବା ପରିଲକ୍ଷିତ ହେଉଛି l