କେସିଙ୍ଗା,୧୩/୧୨: କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଏକ ପୁରାତନ ବିଜ୍ଞାପିତ ଅଞ୍ଚଳ ପରିଷଦ । ଯାହା ୧୯୬୫ ମସିହାରେ ସ୍ଥାପିତ ହୋଇଥିଲା । ହେଲେ ସ୍ଥାପିତ ହେବାର ଦୀର୍ଘ ବର୍ଷ ପରେ ମଧ୍ୟ କେସିଙ୍ଗା ସହର ଯେଉଁ ଭଳି ହେବା କଥା ତାହା ହୋଇପାରି ନାହିଁ।ଏହାକୁ ଏକ ମାଷ୍ଟର ପ୍ଲାନ୍ ସହର ଭାବେ ଗଢି ତୋଳିବା ପାଇଁ ଯେଉଁ ଜନପ୍ରତିନିଧିମାନଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ରହିବା କଥା ତାକୁ ନିର୍ବାଚିତ ଜନପ୍ରତିନିଧିମାନେ ଭୁଲି ଯାଉଛନ୍ତି। ପ୍ରଶାସନର ଏଭଳି ମନୋଭାବ ଯୋଗୁଁ କେସିଙ୍ଗା ସହରରେ ବିଭିନ୍ନ ସମସ୍ୟା ରହିଥିବା ସାଧାରଣରେ ଅଭିଯୋଗ ହେଉଛି ।

କେସିଙ୍ଗା ସହର ମଧ୍ୟରେ ବର୍ତ୍ତମାନ ଟ୍ରାଫିକ ଏକ ପ୍ରମୁଖ ସମସ୍ୟା ରହିଛି । ଟ୍ରାଫିକ ସମସ୍ୟାର ସମାଧାନ ଦିଗରେ ସ୍ଥାନୀୟ ପ୍ରଶାସନ ଯେଉଁ ଭଳି ପଦକ୍ଷେପ ନେବା କଥା ତାହା ହେଉନଥିବା ଦେଖିବାକୁ ମିଳିଛି । ବରଗଡ଼ ଠାରୁ ବୋରିଗୁମ୍ମାକୁ ସଂଯୋଗ ହୋଇଥିବା ୨୬ ନମ୍ବର ଜାତୀୟ ରାଜପଥ କେସିଙ୍ଗା ସହର ମଧ୍ୟ ଦେଇ ଯାଇଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗାଡି ମୋଟର ଯିବା ଆସିବା କରିଥାଏ । ହେଲେ ଟ୍ରାଫିକ ନିୟନ୍ତ୍ରଣର ସୁବ୍ୟବସ୍ଥା ହୋଇନଥିବା ଯୋଗୁଁ କେସିଙ୍ଗା ସହର ଭିତରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ସହରର ଜାତୀୟ ରାଜପଥ କଡ଼ରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଅନେକ ଥର ସମନ୍ବୟ ବୈଠକ ମଧ୍ୟ କରାଯାଇଛି ହେଲେ ତାହାର କୌଣସି ଫଳପ୍ରଦ ଆଜି ଯାଏଁ ହୋଇପାରି ନାହିଁ।

ଜାତୀୟ ରାଜପଥ କଡ଼ରେ ଛୋଟ ଛୋଟ ବ୍ୟବସାୟୀ ମାନେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବ୍ୟବସାୟ କରୁଛନ୍ତି। ସହରର ଜାତୀୟ ରାଜପଥ କଡ଼ରେ ମାଛ ବ୍ୟବସାୟୀ, ଠେଲା, ପନିପରିବା ତଥା ଫଳ ବ୍ୟବସାୟୀ ମାନଙ୍କ ଦୋକାନ ରହିଥିଲେ ମଧ୍ୟ ଏନ୍ଏସି ପକ୍ଷରୁ ସେମାନଙ୍କ ଥଇଥାନ କରିବା ପାଇଁ ସୁବ୍ୟବସ୍ଥା ହୋଇପାରି ନଥିବା ବିଷୟ ବିଭିନ୍ନ ଉଠା ଦୋକାନୀମାନଙ୍କ ଠାରୁ ଶୁଣିବାକୁ ମିଳୁଛି ।ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, କେସିଙ୍ଗା ସହରର ଜାତୀୟ ରାଜପଥ କଡ଼ରେ ବିଭିନ୍ନ ବ୍ୟବସାୟ କରୁଥିବା ଉଠା ଦୋକାନୀ ମାନଙ୍କ ସଂଖ୍ୟା ୨୦୫ ରହିଥିବା ବେଳେ ସେମାନଙ୍କ ଥଇଥାନ କରିବା ଉଦ୍ଦେଶ୍ୟରେ ଓ୍ବାର୍ଡ ନମ୍ବର ୩ ସ୍ଥିତ ଅମ୍ବାଜୀ ମନ୍ଦିର ସମ୍ମୁଖରେ ମିଶନ ଶକ୍ତି କ୍ୟାଫେ ଏବଂ ଭେଣ୍ଡି ଜୋନ୍ ନିର୍ମାଣ କରାଯାଇ ଉଦଘାଟନ କରାଯାଇଥିଲା ।

ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ୧୪ ଜଣ ଉଠା ଦୋକାନୀଙ୍କୁ ଭେଣ୍ଡିଙ୍ଗ ଜୋନ୍ ରେ ଏନ୍ଏସି ପକ୍ଷରୁ କେବିନ୍ ଆବଣ୍ଟନ କରାଯାଇଥିଲା । ହେଲେ ସେଠାରେ ଆବଣ୍ଟନ ଗ୍ରାହୀମାନେ ଦୋକାନ ଖୋଲିନଥିବାରୁ ଏନ୍ଏସି ପକ୍ଷରୁ ବାରମ୍ବାର ନୋଟିସ ମଧ୍ୟ କରାଗଲା ତଥାପି ଭେଣ୍ଡିଙ୍ଗ ଜୋନ୍ ରେ ବ୍ୟବସାୟ କରିନଥିବା ଯୋଗୁଁ ଶେଷରେ ଆବଣ୍ଟନ ଆଦେଶ ବାତିଲ୍ କରାଯାଇଥିଲା। ତେଣୁ ଭେଣ୍ଡିଙ୍ଗ ଜୋନକୁ କାର୍ଯ୍ୟକ୍ଷମ କରିବା ପାଇଁ ନୂତନ ସ୍ଟ୍ରୀଟ୍ ଭେଣ୍ଡର ଚୟନ କରିବା ପାଇଁ ଏନ୍ଏସି ପକ୍ଷରୁ ପଦକ୍ଷେପ ନିଆଯିବା ବିଳମ୍ବ ହେଉଥିବା ଅଭିଯୋଗ ହେଉଛି।ସେହିପରି କେସିଙ୍ଗା ସହରରେ ପାର୍କିଂର ମଧ୍ୟ ସମସ୍ୟା ରହିଛି। କେସିଙ୍ଗା ଏନ୍ଏସିରେ ରାସ୍ତା କଡ଼ରେ ପାର୍କିଂର କିଛି ନିୟମ ନଥିବା ଭଳି ଜଣାପଡିଛି । ଯଦି ପାର୍କିଂ ନିୟମ ରହିଛି ତେବେ ରାସ୍ତାକୁ ଯେତିକି ଆବଦ୍ଧ କରି ପାର୍କିଂ କରିବା କଥା ତାହା ହେଉନାହିଁ। ହେଲେ ଏଥିପ୍ରତି ମଧ୍ୟ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ରାସ୍ତା କଡ଼ରେ ପାର୍କିଂ କରିବା ଏକ ବେନିୟମ କାର୍ଯ୍ୟ ଅଟେ।

ରାସ୍ତାକଡ଼ର ବେନିୟମ ପାର୍କିଂ ଉପରେ ସ୍ଥାନୀୟ ପୁଲିସ ବିଭାଗ ଦ୍ଵାରା ଉଚିତ୍ ପଦକ୍ଷେପ ନେବାର ବ୍ୟବସ୍ଥା ରହିଛି ହେଲେ କେସିଙ୍ଗା ସହରରେ ପୁଲିସର ପଦକ୍ଷେପ ଯେଉଁ ଭଳି ରହିବା କଥା ତାହା ହେଉନଥିବା ଅଭିଯୋଗ ହେଉଛି । ପ୍ରକାଶ ଥାଉକି,କଳାହାଣ୍ଡି ଜିଲ୍ଲାର ସମସ୍ତ ସହରାଞ୍ଚଳ ପାଇଁ ଉଚିତ ଟ୍ରାଫିକ ନିୟନ୍ତ୍ରଣ ଓ ବାହନ ଦୁର୍ଘଟଣା ଏଡେଇବା ପାଇଁ ପ୍ରତି ମାସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥାଏ। ଭେଣ୍ଡିଙ୍ଗ ଜୋନ୍ ଏବଂ ରାସ୍ତା ଉପରେ ଗାଡି ପାର୍କିଂ ବିଷୟ ଉପରେ କେସିଙ୍ଗା ଏନ୍ଏସି ନିର୍ବାହୀଙ୍କୁ ପଚାରିବାରୁ ଭେଣ୍ଡିଙ୍ଗ ଜୋନ୍ ପାଇଁ ସ୍ଟ୍ରୀଟ୍ ଭେଣ୍ଡର ଚୟନ ନିମନ୍ତେ ଟେଣ୍ଡର ଡକାଯାଇଛି ବୋଲି କହିଛନ୍ତି ।ଏଥିସହିତ ରାସ୍ତାକଡ଼ରେ ବେନିୟମ ପାର୍କିଂ ବିଷୟ ଉପରେ ଯଥାଶୀଘ୍ର ଏକ ସମନ୍ଵୟ ବୈଠକ ଡକାଯାଇ ତାହାର ସମାଧାନ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ତେବେ ପୂର୍ବରୁ ଅନେକଥର ସମନ୍ୱୟ ବୈଠକ କରାଯାଇଛି । ହେଲେ ସୁଫଳ ମିଳିନଥିବା ଯୋଗୁଁ ସହରରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।