କଟକ,୨୪/୧୨: ଆସନ୍ତା ୨୦୨୫ ନୂଆ  ବର୍ଷରୁ ଭୁବନେଶ୍ୱର-କଟକ ଟ୍ୱିନ୍‌ ସିଟିରେ କାର୍ଯ୍ୟକ୍ଷମ ହେବ ଉନ୍ନତ ଟ୍ରାଫିକ୍‌ ପରିଚାଳନା ବ୍ୟବସ୍ଥା। ଏଣିକି  ଟ୍ରାଫିକ୍‌ ନିୟନ୍ତ୍ରଣ ସହ ଗହଳି ଅଞ୍ଚଳ ଉପରେ କଡ଼ା  ନଜର ରଖିବ ପୁଲିସ୍‌ । ୨୦୧୯ ମସିହାରେ ଡ୍ରୋନ୍‌  ବ୍ୟବସ୍ଥା ସଫଳ ହେବା ପରେ ଏବେ ଅର୍ଥାତ୍‌ ୫  ବର୍ଷ ପରେ ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ  ନିଷ୍ପତ୍ତି ନେଇଛି କମିସନରେଟ୍‌ ପୁଲିସ୍‌ । ଏ ନେଇ  କମିସନରେଟ୍‌ ପୁଲିସ୍‌ ପକ୍ଷରୁ ଡ୍ରୋନ୍‌ କିଣିବା ପାଇଁ ସୋମବାର ଟେଣ୍ଡର୍‌ ଡକାଯାଇଛି । ଅତ୍ୟାଧୁନିକ  ଓ ଉଚ୍ଚଶକ୍ତି ସମ୍ପନ୍ନ ବିଶିଷ୍ଟ ଏହି ଡ୍ରୋନ୍‌ ୧୫  କିମି ପର୍ଯ୍ୟନ୍ତ ସହର ଉପରେ ନଜର ରଖିବ । 

ରାଜଧାନୀ ଭୁବନେଶ୍ୱରରେ ଜନସଂଖ୍ୟା  ବଢ଼ିବାରେ ଲାଗିଛି । ଘରଦ୍ୱାର ସାଙ୍ଗକୁ କାରଖାନା  ଓ ଶିକ୍ଷାନୁଷ୍ଠାନ ଆଦି ମଧ୍ୟ ବଢ଼ିଛି । ଏସବୁ ମଧ୍ୟରେ  ସମାନ ଢଙ୍ଗରେ କଟକ ଭଳି ସହର ମଧ୍ୟ ସମ୍ପ୍ରସାରିତ  ହେଉଛି । ସେହିଭଳି ଭୁବନେଶ୍ୱର ଓ କଟକକୁ ପ୍ରତି  କିଛିଦିନ ବ୍ୟବଧାନରେ ଭିଭିଆଇପିମାନେ ମଧ୍ୟ  ଆସୁଛନ୍ତି । ଏମିତିକି ପ୍ରତିଦିନ ହଜାର ହଜାର ଲୋକ  କଟକ ଭୁବନେଶ୍ୱରକୁ ଯା’ଆସ କରୁଛନ୍ତି । କିନ୍ତୁ  ଏହି ଟ୍ୱିନ୍‌ ସିଟି ପାଇଁ ଟ୍ରାଫିକ୍‌ ପରିଚାଳନା ବ୍ୟବସ୍ଥା  ମୁଖ୍ୟ ସମସ୍ୟା ଭାବେ ଲାଗିରହିଛି । ପୂର୍ବରୁ ୨୦୧୯  ମସିହାରେ ତତ୍କାଳୀନ ଟ୍ରାଫିକ୍‌ ଡିସିପି ସାଗରିକା ନାଥ  ପ୍ରଥମେ ଟ୍ରାଫିକ୍‌ ବ୍ୟବସ୍ଥା ପାଇଁ ଡ୍ରୋନ୍‌ ଡିଜିଟାଲ୍‌  ସେବାକୁ ପରୀକ୍ଷାମୂଳକ ଆରମ୍ଭ କରିଥିଲେ । କିନ୍ତୁ  ପରବର୍ତ୍ତୀ ସମୟରେ ଏ ଦିଗରେ କୌଣସି ପଦକ୍ଷେପ  ନିଆଯାଇ ନ ଥିଲା । ୨୦୨୩ରେ ଏକ ଉଚ୍ଚ ଶକ୍ତି  ସମ୍ପନ୍ନ ଡ୍ରୋନ୍‌କୁ କେବଳ ଗହଳିପୂର୍ଣ୍ଣ ସ୍ଥାନ ଉପରେ ନଜର ରଖିବାକୁ ଅଣାଯାଇଥିଲା । କିନ୍ତୁ ଟ୍ରାଫିକ୍‌  ପରିଚାଳନା ପାଇଁ ଏଣିକି ଡ୍ରୋନ୍‌କୁ ମଧ୍ୟ ବ୍ୟବହାର  କରାଯିବ । ଏଥିପାଇଁ କମିସନରେଟ ପୁଲିସ୍‌  ଇ-ଟେଣ୍ଡର୍‌ ଡାକିଥିଲାବେଳେ ପ୍ରଥମ ପର୍ଯ୍ୟାୟରେ  ଦୁଇଟି ଡ୍ରୋନ୍‌ ଆଣିବାକୁ ଯୋଜନା ହୋଇଛି । ଯାହା  ସାମାନ୍ୟ ଅଧିକ ଉଚ୍ଚ କ୍ଷମତା ବିଶିଷ୍ଟ ଫଟୋ ଓ  ଭିଡିଓ ଉତ୍ତୋଳନ କରିବ । ଏହି ଟେଣ୍ଡର୍‌ ଜାନୁଆରୀ  ୬ ତାରିଖରେ ଟେକ୍ନିକାଲ୍‌ ଓ କର୍ମସିଆଲ୍‌ ବିଡ୍‌  ଖୋଲିବାକୁ ନିଷ୍ପତ୍ତି ହୋଇଛି । ଯାହା ଟ୍ୱିନ୍‌ ସିଟିରେ  ଉନ୍ନତ ଟ୍ରାଫିକ୍‌ ପରିଚାଳନାରେ ବେଶ୍‌ ସହାୟକ  ହେବ ବୋଲି ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି ।