ପେରୁ,୦୫/୧୧: ହୁଏତ ଖେଳ ଜଗତ ପାଇଁ ଏମିତି ଦୁଃଖଦ ଖବର କେବେ ଆସି ନଥିବ । ମ୍ୟାଚ ଚାଲିଥିଲା । ସମସ୍ତ ଦର୍ଶକ ମ୍ୟାଚ ଦେଖିବାରେ ବ୍ୟସ୍ତ ଥିଲେ । ଖେଳାଳିଙ୍କ ଫୋକସ ଥିଲା ଖେଳ ଉପରେ । ଅଚାନକ ଏମିତି କିଛି ହେଲା ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ପେରୁରେ ଦୁଇ ଦଳ ମଧ୍ୟରେ ଏକ ଫୁଟବଲ ମ୍ୟାଚ ଚାଲିଥିଲା । ଏହି ସମୟରେ ବ୍ରଜପାତ ହୋଇଥିଲା । ଫଳରେ ଜଣେ ଖେଳାଳିଙ୍କ ମୃତ୍ୟୁ ହୋଇଥିବାବେଳେ ରେଫରି ଓ ଅନ୍ୟ ଖେଳାଳି ଗୁରୁତର ହୋଇଛନ୍ତି । ସମସ୍ତଙ୍କ ଚିକିତ୍ସା ଜାରି ରହିଛି ।
ପେରୁରେ ଦୁଇଟି ଘରୋଇ ଫୁଟବଲ ଦଳ ଜୁବେଟ଼ଡ ବେଲାବିଷ୍ଟ ଏବଂ ଫେମିନିଆ ଚୋକା ମଧ୍ୟରେ ମ୍ୟାଚ ଚାଲିଥିଲା । ମ୍ୟାଚର ପ୍ରଥମ କ୍ବାର୍ଟର ଚାଲିଥିଲା । ଜୁବେଟ଼ଡ ବେଲାବିଷ୍ଟ ୨-୦ ଗୋଲରେ ଆଗୁଆ ଥିଲା । ଏହି ସମୟରେ ପାଗ ବିଗିଡି ଯାଇଥିଲା । ଅଚାନକ ବର୍ଷା ସହ ଘଡଘଡି ବିଜୁଳି ମାରିଥିଲା । ଆଉ ଘଟିଥିଲା ଅଘଟଣ । ବ୍ରଜଘାତରେ ୩୯ ବର୍ଷୀୟ ଖେଳାଳି ଜୋସ ହୋଗୋଙ୍କ ମୃତ୍ୟୁ ହୋଇଥିଲା । ଏହା ସହିତ ମ୍ୟାଚ ରେଫରି ଓ ଅନ୍ୟ ୫ ଖେଳାଳି ଗୁରୁତର ଆହତ ହୋଇଛନ୍ତି । ଅଘଟଣ ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।