ନୂଆଦିଲ୍ଲୀ: ସ୍ପେନ୍ର ଜାରାଗୋଜାରେ ଭୟଙ୍କର ଅଗ୍ନିକାଣ୍ଡ । ଏକ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ଅଧିକାରୀ ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି । ଆଜି ସକାଳେ ସ୍ପେନ୍ର ଉତ୍ତର ପୂର୍ବ ସହର ମ୍ୟାଡ୍ରିଡ୍ରୁ ପାଖାପାଖି ୩୦ ମିନିଟ ଦୂରତାରେ ଥିବା ଭିଲାଫ୍ରାଙ୍କୋ ଦେ ଏବ୍ରୋ ନର୍ସିଂ ହୋମରେ ନିଆଁ ଲାଗିଥିବା ନେଇ ଖବର ମିଳିଥିଲା । ଏହ ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । ତେବେ ଅଗ୍ନିକାଣ୍ଡର କାରଣ କ’ଣ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
ଅରାଗୋନର ଆଞ୍ଚଳିକ ସରକାରର ମୁଖ୍ୟ ଜର୍ଜ ଏଜକୋନ ଏକ୍ସରେ ଲେଖିଛନ୍ତି, ଘଟଣା ପରେ ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ କରିଦିଆଯାଇଛି । ସେପଟେ ଦେଶର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଂଚେଜ ନିର୍ସିଂହୋମରେ ଘଟିଥିବା ଅଗ୍ନିକାଣ୍ଡକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହ ମୃତକଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି ।
ନିକଟରେ ଆକସ୍ମିକ ବନ୍ୟାରେ ଭାଲେନ୍ସିଆରେ ୨୦୦ ଲୋକଙ୍କ ଜୀବନ ଯାଇଥିଲା । ହାଜର ହଜାର ଘର ମାଟିରେ ମିଶିଯାଇଥିଲା । କିଛି ସପ୍ତାହର ବ୍ୟବଧାନ ପରେ ସ୍ପେନରେ ଆଉ ଏକ ଦୁଃଖଦ ଘଟଣା ଦେଶବାସୀଙ୍କୁ ବିଚଳିତ କରିଛି । ନର୍ସିଂହୋମରେ ଭୀଷଣ ଅଗ୍ନିକାଣ୍ଡ ଘଟି ସବୁକିଛି ଛାରଖାର ହୋଇଯାଇଛି । ବିଶେଷ କରି ଏଥିରୁ ନିର୍ଗତ ଧୂଆଁ ଲାଗି ଲୋକେ ଅଣନିଃଶ୍ବାସୀ ଅନୁଭବ କରୁଥିବା ନେଇ ସ୍ଥାନୀୟ ମେୟର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ୯ ବର୍ଷ ପୂର୍ବରୁ ଠିକ ଏହିଭଳି ଜାରାଗୋଜାର ଅନ୍ୟ ଏକ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟିଥିଲା ।