ନୂଆଦିଲ୍ଲୀ ୩୧/୦୮: ଶନିବାର ରିଲିଜ୍‌ ହୋଇଛି ଟାଇଗର୍‌ ଶ୍ରଫ୍‌ ଷ୍ଟାରର୍‌ ‘ବାଗି-୪’ର ଟ୍ରେଲର୍‌ । ସୋସିଆଲ ମିଡିଆରେ ଟ୍ରେଲର୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି । ୟୁଟ୍ୟୁବ୍‌ ଏହାକୁ ‘କିଛି ୟୁଜର୍‌ଙ୍କ ପାଇଁ ଅନୁପଯୁକ୍ତ’ ବୋଲି କହିଛି । ଏଥିରେ ହିଂସାତ୍ମକ ଦୃଶ୍ୟ ଅଧିକ ରହିଥିବା ଏହା କହିଛି । ଫିଲ୍ମରେ ଟାଇଗର୍‌ ଉଭୟ ଆନିମଲ ଓ ଗଜ୍‌ନୀ ମୋଡ୍‌ରେ ଅଛନ୍ତି ବୋଲି ସୋସିଆଲ ମିଡିଆ ୟୁଜର୍‌ କହୁଛନ୍ତି । ଟ୍ରେଲର୍‌ ଆରମ୍ଭରେ ହିଂସାକୁ ଦୃଷ୍ଟିରେ ରଖି ‘ରିଷ୍ଟ୍ରିକ୍ଟେଡ୍‌ ଭାଓଲେନ୍ସ’ର ଲୋଗୋ ଦିଆଯାଇଛି । ଏହାପରେ ଟାଇଗର୍‌ଙ୍କ ଏଣ୍ଟ୍ରି ହୋଇଛି । ସେ ହାତରେ ଏକ ବଡ଼ ଛୁରି ଧରିଛନ୍ତି । ପ୍ରଚ୍ଛଦରେ ଚାଲିଥିବା ଭଏସ୍‌ ଓଭର୍‌ରେ କୁହାଯାଉଛି ‘ପ୍ରେମର କାହାଣୀ ବହୁତ ଶୁଣିଥିଲି, କିନ୍ତୁ ଏଭଳି ଆକ୍ସନ୍‌-ପ୍ୟାକ୍‌ଡ ଲଭ୍‌ଷ୍ଟୋରୀ ଜୀବନରେ ପ୍ରଥମ ଥର ଦେଖିଲି । ରୋମିଓ, ମଜ୍‌ନୁ ଓ ରାଂଝା ସମସ୍ତଙ୍କୁ ଜଣେ ବାଗି ଫେଲ୍‌ କରିଦେଲା ।’ 

ଗୋଟିଏ ଦୃଶ୍ୟରେ ଟାଇଗର୍‌ଙ୍କୁ ପଚରାଯାଉଛି ‘ତୁମ ମୁଣ୍ଡ କ’ଣ ଖରାପ ହୋଇଯାଇଛି?’ ଟାଇଗର୍‌ ଜବାବ ଦେଇଛନ୍ତି ‘ମୁଣ୍ଡ ନୁହେଁ, ହୃଦୟ ।’ ଏହା ପରେ କାହାଣୀରେ ମନୋବୈଜ୍ଞାନିକ ଟ୍ୱିଷ୍ଟ୍‌ର ଝଲକ୍‌ ଦେଖିବାକୁ ମିଳିଛି । ଶ୍ରେୟସ ତଲପଡ଼େଙ୍କ ଚରିତ୍ର କହୁଛି ‘ଅଲିଶା ତ କେବଳ ତା’ ମସ୍ତିଷ୍କରେ ରହିଛି ।’ ଫିଲ୍ମର କାହାଣୀରେ ଟାଇଗର୍‌ ନିଜ ସାଥୀ ଅଲିଶାର ମୃତ୍ୟୁର ପ୍ରତିଶୋଧ ନେଇଛନ୍ତି । ଫ୍ଲାଶ୍‌ବ୍ୟାକ୍‌ରେ ସେ ଜଣେ ନୌସେନା ଅଫିସର ୟୁନିଫର୍ମରେ ପରଦାକୁ ଆସିଛନ୍ତି । କିନ୍ତୁ ଅଲିଶାର ମୃତ୍ୟୁ ତାଙ୍କୁ ପ୍ରତିଶୋଧର ରାସ୍ତାରେ ଠିଆ କରିଛି । ଅଲିଶା ଭୂମିକାରେ ଅଭିନୟ କରିଛନ୍ତି ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ ସନ୍ଧୁ । ଫିଲ୍ମରେ ଭିଲେନ୍‌ ଭୂମିକାରେ ଅଭିନୟ କରିଛନ୍ତି ସଞ୍ଜୟ ଦତ୍ତ । ଏକ ଦୁର୍ଗରେ ରହୁଥିବା ତାଙ୍କ ଚରିତ୍ର ଆଙ୍ଗୁଳି କାଟିବା ଭଳି ଅନେକ ହିଂସାତ୍ମକ କାଣ୍ଡ ଘଟାଉଛି । 

ତେବେ ଫିଲ୍ମଟି ଆସନ୍ତା ୫ ତାରିଖରେ ମୁକ୍ତିଲାଭ କରିବ । ଏହି ଦିନ ବିବେକ ଅଗ୍ନିହୋତ୍ରୀଙ୍କ ‘ଦ ବଙ୍ଗାଲ ଫାଇଲ୍ସ’ ମଧ୍ୟ ରିଲିଜ୍‌ ହେବ । ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ନିର୍ଦ୍ଦେଶକ ଏ. ହର୍ଷା । ‘ବାଗି’ ଫ୍ରାଞ୍ଚାଇଜି ପୂର୍ବରୁ ମଧ୍ୟ ସଫଳ ହୋଇଛି । ୨୦୧୬ରେ ମୁକ୍ତିପ୍ରାପ୍ତ ମୂଳ ଫିଲ୍ମ ପ୍ରାୟ ୧୨୯ କୋଟି ବ୍ୟବସାୟ କରିଥିଲା । ‘ବାଗି-୨’(୨୦୧୮) ୨୫୫ କୋଟି ଏବଂ ୨୦୨୦ରେ ମୁକ୍ତିପ୍ରାପ୍ତ ‘ବାଗି୩’ ୧୩୭ କୋଟି କଲେକ୍ସନ୍‌ କରିଥିଲା ।