ନୀଲଡୁଙ୍ଗୁରି /ସମ୍ବଲପୁର,୨୬/୧୨: ସମ୍ବଲପୁର ନୀଲଡୁଙ୍ଗୁରିରେ ‘ପୁଷ୍ପ ଅବଶେଷରୁ କଳାକୃତି ଦ୍ୱାରା ନାରୀ ସଶକ୍ତିକରଣ ଶିବିର’ ଅନୁଷ୍ଠିତ । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଆମର ମା’ ଭଉଣୀମାନଙ୍କୁ ସ୍ୱାବଲମ୍ବୀ କରିବାର ଏକ ସଶକ୍ତ ମାଧ୍ୟମ ।
ଆଜି ଉଦ୍ୟାନ କୃଷି ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ସିଏସଆଇଆର-ରାଷ୍ଟ୍ରୀୟ ବନସ୍ପତି ଅନୁସନ୍ଧାନ ସଂସ୍ଥାନ, ଲକ୍ଷ୍ନୌ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି "ହ୍ୟାଣ୍ଡସ୍-ଅନ୍-ଟ୍ରେନିଂ" ପ୍ରଶିକ୍ଷଣ ଶିବିରକୁ ପ୍ରଶଂସା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ- ପୁଷ୍ପକୃଷି ମିଶନ ଅଧୀନରେ ଏଠାରେ ଆମର ମାଆ ଭଉଣୀମାନେ ଅବଶେଷ ଫୁଲରୁ ନିମନ୍ତ୍ରଣ ପତ୍ର, ଅନ୍ୟାନ୍ୟ କଳାକୃତି ସାମଗ୍ରୀ ତିଆରି କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାତୃଶକ୍ତିଙ୍କୁ ‘ଲକ୍ଷପତି ଦିଦି’ ଭାବରେ ଦେଖିବାର କଳ୍ପନା କରିଛନ୍ତି । ଆଜିର ବ୍ୟବସ୍ଥା ଦ୍ୱାରା ଗ୍ରାମାଞ୍ଚଳର ମହିଳାମାନେ ନୂତନ ଜ୍ଞାନକୌଶଳ ମାଧ୍ୟମରେ ଉଦ୍ୟୋଗୀ ହେବେ । ସ୍ଥାନୀୟ ସମ୍ବଳର ସଦୁପଯୋଗ ହେବା ସହ ମହିଳାମାନଙ୍କ ଆର୍ଥିକ ଅଭିବୃଦ୍ଧି ଘଟିବ । ଏହି ପ୍ରଶଂସନୀୟ ପ୍ରୟାସ ପାଇଁ ଧର୍ମେନ୍ଦ୍ର ପ୍ରଧାନ ସିଏସଆଇଆର-ରାଷ୍ଟ୍ରୀୟ ବନସ୍ପତି ଅନୁସନ୍ଧାନ ସଂସ୍ଥାନ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।
ସେ କହିଛନ୍ତି, ଆମ ସମ୍ବଲପୁରର ଯୁଜୁମୁରା ଅଞ୍ଚଳ ପରିଶ୍ରମୀ ଚାଷୀମାନଙ୍କର ଅଞ୍ଚଳ । ଏହି ମାଟିର ଚାଷୀ ଭାଇମାନେ ଡାଲି, ବାଦାମ, ଛତୁ, ବିଭିନ୍ନ ଫଳ ଏବଂ ପନିପରିବା ଚାଷରେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି । କିନ୍ତୁ ଏହି ଦକ୍ଷତାକୁ ଏକ ବଡ଼ ବ୍ୟବସାୟିକ ରୂପ ଦେବା ପାଇଁ ଆମକୁ କିଛି ଦୃଢ଼ ପଦକ୍ଷେପ ନେବାକୁ ହେବ । ଆମକୁ ପ୍ରତିଟି ପଞ୍ଚାୟତ ସ୍ତରରେ ଏକ 'କୃଷିଭିତ୍ତିକ ମାଷ୍ଟରପ୍ଲାନ୍' ପ୍ରସ୍ତୁତ କରିବାକୁ ପଡ଼ିବ । ମୁଁ ଜିଲ୍ଲା ପ୍ରଶାସନକୁ ଏହି ଦାୟିତ୍ୱ ଦେଉଛି ଯେ, ଯୁଜୁମୁରା ଅଞ୍ଚଳରେ ଜଳସେଚନ ପ୍ରକଳ୍ପଗୁଡ଼ିକୁ କିପରି ତ୍ୱରାନ୍ୱିତ କରାଯିବ, ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଜଳସେଚନର ସୁବିଧା ହେଲେ ଚାଷୀମାନେ ବର୍ଷସାରା ଫସଲ ଅମଳ କରିପାରିବେ ।
ଆଜିର ସମୟରେ କେବଳ ପାରମ୍ପରିକ ଚାଷ କଲେ ହେବ ନାହିଁ, ବରଂ କୃଷିଭିତ୍ତିକ ଅର୍ଥନୀତିକୁ ଏକ 'କମର୍ସିଆଲ ମଡେଲ' ବା ବ୍ୟବସାୟିକ ରୂପ ଦେବାକୁ ପଡ଼ିବ । ଲୋକଙ୍କ ଆର୍ଥିକ ସମ୍ପନ୍ନତା ପାଇଁ ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ଼ କରିବା ଆମର ମୂଳ ଲକ୍ଷ୍ୟ । ଫୁଲ ଚାଷ ହେଉ ବା ପନିପରିବା ଚାଷ, ଏହାର ଦୁଇଟି ମୂଳ ସର୍ତ୍ତ ହେଲା ଠିକ୍ ପ୍ରଶିକ୍ଷଣ ଏବଂ ଉପଯୁକ୍ତ ବଜାର ବ୍ୟବସ୍ଥା । ଅର୍ଥାତ୍ ଚାଷୀ ନିଜ ଉତ୍ପାଦିତ ସାମଗ୍ରୀର ସଠିକ୍ ମୂଲ୍ୟ ପାଇବା ଆବଶ୍ୟକ । ଯୁଜୁମୁରାରେ ଉତ୍ପାଦିତ ସାମଗ୍ରୀଗୁଡ଼ିକର ଏକ 'ଲୋକାଲ୍ ବ୍ରାଣ୍ଡ' ତିଆରି ହେଉ । ଯଦି ଆମର ପ୍ୟାକେଜିଂ ଏବଂ ବ୍ରାଣ୍ଡିଂ ବିଶ୍ୱସ୍ତରୀୟ ହେବ, ତେବେ ଆମ ସାମଗ୍ରୀର ଚାହିଦା ବଢ଼ିବ । ଆଜି ଆମ ରାଜ୍ୟର ପନିପରିବା ବିଦେଶ ବଜାରକୁ ରପ୍ତାନି ହେଉଛି । ଆମ ଯୁଜୁମୁରା ଏବଂ ସମ୍ବଲପୁରର ଚାଷୀଙ୍କ ହାତତିଆରି ସାମଗ୍ରୀ ମଧ୍ୟ ବିଦେଶ ବଜାରରେ ପହଞ୍ଚାଇବା ପାଇଁ ପ୍ରୟାସ ହେବା ଉଚିତ୍ । ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସେହି ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସେ ମତ ପ୍ରକାଶ କରିଥିଲେ ।