ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଯାତ୍ରା କରୁଥିବା ଯାତ୍ରୀମାନେ, ଧ୍ୟାନ ଦିଅନ୍ତୁ ! ଆଗାମୀ ଦିନରେ ଯାତ୍ରା କେବଳ ସୁଖଦ ହେବ ନାହିଁ ବରଂ ସୁଗମ ମଧ୍ୟ ହେବ । ଭାରତୀୟ ରେଳବାଇ ସେମି ହାଇସ୍ପିଡ୍ ଟ୍ରେନ ଏବଂ ବିଳାସପୂର୍ଣ୍ଣ ଟ୍ରେନର ଗତି ବୃଦ୍ଧି କରିବାକୁ ପ୍ରସ୍ତୁତି କରୁଛି । ଏହା ୪୫ ମିନିଟରୁ ୪ ଘଣ୍ଟା ପର୍ଯ୍ୟନ୍ତ ସମୟ ସଞ୍ଚୟ କରିବ । ଏହାର ଅର୍ଥ ହେଉଛି ଏବେ ଦିଲ୍ଲୀରୁ ମୁମ୍ବାଇ ଯାତ୍ରା କରିବା କେବଳ ସହଜ ହେବ ନାହିଁ ବରଂ ସମୟ ମଧ୍ୟ ବଞ୍ଚିବ। ଏଥିରେ ଭଲ କଥା ହେଉଛି ଯେ, ଟ୍ରେନ ଭଡାରେ କୌଣସି ବୃଦ୍ଧି ହେବ ନାହିଁ।
କୋଟା ଦେଇ ଦିଲ୍ଲୀରୁ ମୁମ୍ବାଇ ରେଳପଥରେ ଦୂରତା ପ୍ରାୟ ୧୩୩୬ କିଲୋମିଟର । ଏହି ଟ୍ରାକର ଏକ ବଡ଼ ଅଂଶ ପଶ୍ଚିମ କେନ୍ଦ୍ରୀୟ ରେଳବାଇର କୋଟା ରେଳ ଡିଭିଜନ ଦେଇ ଗତି କରୁଛି। ଏବେ ଏହି ରୁଟରେ ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଟ୍ରେନ୍ ଚଳାଇବା ପାଇଁ ପ୍ରସ୍ତୁତି ଚାଲିଛି । କୋଟା ସମେତ ଅନ୍ୟାନ୍ୟ ଡିଭିଜନଗୁଡ଼ିକରେ ଟ୍ରେନଗୁଡ଼ିକ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଚାଲୁଛି । ସମସ୍ତ ଡିଭିଜନରେ ମିଶନ ରାପ୍ତାର ସମାପ୍ତ ହେବା ପରେ, ଟ୍ରେନଗୁଡ଼ିକ ସବୁ ରୁଟରେ ୧୬୦ କିଲୋମିଟର ବେଗରେ ଚାଲିପାରିବ । ଏନେଇ କୋଟା ରେଳ ଡିଭିଜନର ବରିଷ୍ଠ ବାଣିଜ୍ୟିକ ପରିଚାଳକ ସୌରଭ ଜୈନ କହିଛନ୍ତି ଯେ, ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନ ବିଛାଇବା ପାଇଁ ନିର୍ମାଣ ବିଭାଗ ରିପୋର୍ଟ ପ୍ରସ୍ତୁତ କରି ରେଳ ବୋର୍ଡକୁ ପଠାଇଛି।
ବର୍ତ୍ତମାନ, ଏକ୍ସପ୍ରେସ୍ ଟ୍ରେନ୍ ସମେତ ପ୍ରିମିୟମ୍ ଟ୍ରେନ୍ ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଯାତ୍ରା କରିବାକୁ ପ୍ରାୟ ୧୫ ରୁ ୧୬ ଘଣ୍ଟା ସମୟ ନେଉଛି । ମିଶନ ରାପ୍ତାର ସମାପ୍ତ ହେବା ପରେ, ଏହି ଦୂରତା ଅତିକ୍ରମ କରିବାକୁ ୧୨ ଘଣ୍ଟା ସମୟ ଲାଗିବ । ବର୍ତ୍ତମାନ ଏହି ରୁଟ୍ରେ କେବଳ ଦୁଇଟି ଲାଇନ ଅଛି । ଯାତ୍ରୀ ଏବଂ ମାଲବାହୀ ଟ୍ରେନ୍ ଯୋଗୁଁ ଏହି ରୁଟ୍ ଉପରେ ଚାପ ରହିଛି । ପୂର୍ବ ଟ୍ରେନ୍ ପରବର୍ତ୍ତୀ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ପଛରୁ ଟ୍ରେନ୍ ଛାଡ଼ିପାରିବ ନାହିଁ । ଏହାକୁ ଦୃଷ୍ଟିରେ ରଖି, ରେଳବାଇ ଦିଲ୍ଲୀ-ମୁମ୍ବାଇ ରୁଟରେ ଆଉ ଦୁଇଟି ଲାଇନ ବିଛାଇବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲା । ଦୁଇଟି ଅତିରିକ୍ତ ଲାଇନ ବିଛାଇବା ପରେ ଅଧିକ ଟ୍ରେନ ଚଳାଚଳ କରିପାରିବ। ଏହି ରୁଟରେ, ମଥୁରାରୁ କୋଟା ଡିଭିଜନର ନାଗଡା ପର୍ଯ୍ୟନ୍ତ ୫୪୫ କିଲୋମିଟର ଏବଂ ରତଲାମ ଡିଭିଜନର ନାଗଡାରୁ ଗୋଧ୍ରା ପର୍ଯ୍ୟନ୍ତ ୨୨୮ କିଲୋମିଟର ଲାଇନ ବିଛାଯିବ।