ଭୁବନେଶ୍ୱର, ୨୮/୧୧ : କୋଟି କୋଟି ଟଙ୍କା ଫାଇନ୍ ଗଡ଼ୁଥିଲା । ସରକାର ୱାନ୍ ଟାଇମ୍ ସେଟେଲ୍ମେଣ୍ଟ (ଓଏସ୍ଟି) ଯୋଜନା କରିଥିଲେ । ଭାବିଥିଲେ ଲୋକମାନେ ନିଜ ଇଚ୍ଛାରେ ଫାଇନ୍ ଦେବେ । ଯୋଜନା ହେବାର ୫୨ ଦିନର ତଥ୍ୟ ଦେଖିଲେ ଲାଗୁଛି ୧୦ ବର୍ଷ ବିତି ଗଲେ ବି ଓଏସ୍ଟି ହୋଇପାରିବ ନାହିଁ । ୫୨ ଦିନ ମଧ୍ୟରେ ବକେୟା ପଡ଼ିଥିବା ଫାଇନ୍ ମଧ୍ୟରୁ ମାତ୍ର ୧% ଆଦାୟ ହୋଇଛି । ଏଭଳି ଜରିମାନା ଆଦାୟ ପରିବହନ ବିଭାଗକୁ ଚକିତ କରିଛି ।
ସରକାର ଯୋଜନା କରିଥିଲେ, ୨୦୨୦ ଜୁଲାଇରୁ ୨୦୨୫ ଜୁଲାଇ ୩୧ ମଧ୍ୟରେ ଯେଉଁମାନଙ୍କ ଗାଡ଼ିରେ ଯେତେ ଟଙ୍କା ଜରିମାନା ହୋଇଥିବ, ସେଥିରୁ ୫୦% ପରିଶୋଧ କଲେ ବାକି ୫୦% ଛାଡ଼ ହୋଇଯିବ । ତେବେ ଏଥିରେ ବି କିଛି ସର୍ତ୍ତ ରଖିଥିଲେ ସରକାର । ସର୍ତ୍ତ ଥିଲା ଯେଉଁମାନଙ୍କ ଫାଇନ୍ କୋର୍ଟକୁ ପଳାଇଥିବ ସେମାନେ ଏହି ଓଏସ୍ଟି ଯୋଜନାର ଫାଇଦା ନେଇ ପାରିବେ ନାହିଁ । ସେପ୍ଟେମ୍ବର ୧୯ ତାରିଖରେ ସରକାର ଏନେଇ ବିଜ୍ଞପ୍ତି ପ୍ରକାଶ କଲେ । ୨୦୨୦ଜୁଲାଇରୁ ୨୦୨୫ ଜୁଲାଇ ମଧ୍ୟରେ ରାଜ୍ୟରେ ପ୍ରାୟ ୭୭ ଲକ୍ଷ ଇ-ଚାଲାଣ ଜାରି କରାଯାଇଥିଲା । ଯାହାର ମୂଲ୍ୟ ୨୨୫୦.୬୯ କୋଟି ଟଙ୍କା ଥିଲା । ଓଟିଏସ୍ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ୬୫୩.୪୩ କୋଟି ଟଙ୍କା (୨୯%) ପରିଶୋଧ କରାଯାଇଥିଲା । ଓଟିଏସ୍ ଲାଗୁ ହେଲା ପରେ ମୋଟ ବକେୟା ରାଶି ୧୫୯୭.୨୬ କୋଟି ଟଙ୍କା ଥିଲା । ସେପ୍ଟେମ୍ୱର ୧୯ରୁ ନଭେମ୍ୱର ୧୧ ତାରିଖ (୫୨ ଦିନ) ମଧ୍ୟରେ ଏହି ଯୋଜନା ଅଧୀନରେ କେବଳ ୨୧.୪୯ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା । ଅର୍ଥାତ ୧୫୯୭.୨୬ କୋଟି ଟଙ୍କା ବକେୟା ଶୁଳ୍କରୁ ମାତ୍ର ୧% ଆଦାୟ କରିବାରେ ସଫଳ ହୋଇଥିଲା ବିଭାଗ । ୫୦% ଛାଡ଼ ପରେ ବି ଜରିମାନା ଭରିବାକୁ ଅମଙ୍ଗ ହେବାର ଅନେକ କାରଣ ରହିଛି । ପ୍ରଥମ କାରଣ ହେଲା କିଛି କ୍ଷେତ୍ରରେ, ଚାଲାଣ ପରିମାଣ ସେମାନଙ୍କ ଗାଡ଼ିର ବର୍ତ୍ତମାନର ମୂଲ୍ୟ ସହିତ ପ୍ରାୟ ସମାନ । ତା’ଛଡ଼ା ଦୃତ ଗାଡ଼ି ଚାଳନା ପାଇଁ ୨ ହଜାର ଟଙ୍କା ଜରିମାନା ହେବାର ନିୟମ ରହିଛି । ହେଲେ ଗାଡ଼ି ମାଲିକଙ୍କ ପାଖକୁ ୧୦ ହଜାର ଟଙ୍କାର ଚାଲାଣ ଆସୁଛି । ସେଥିରେ ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଳାଉଥିବା ଜରିମାନା ବି ଯୋଡ଼ି ଦିଆଯାଉଛି । ଏଭଳି ଜବରଦସ୍ତ ଫାଇନ୍ ପାଇଁ ଉଲ୍ଲଂଘନକାରୀ ୫୦% ଅର୍ଥ ପରିଶୋଧ କରିବାକୁ ରାଜି ହେଉ ନାହାନ୍ତି ।
ସବୁଠାରୁ ବଡ଼ କଥା ହେଲା ଅପରାଧୀମାନେ ବିଭିନ୍ନ ଲୋକଙ୍କ ଗାଡ଼ି ନମ୍ବର ପ୍ଲେଟ୍ ବ୍ୟବହାର କରି ରାସ୍ତାରେ ନିୟମ ଭାଙ୍ଗୁଛନ୍ତି । ହେଲେ ଚାଲାଣ ପ୍ରକୃତ ଗାଡ଼ି ମାଲିକଙ୍କ ପାଖକୁ ଯାଉଛି । ସେ କ୍ଷେତ୍ରରେ ବି ଓଟିଏସ୍ ଯୋଜନା ଠାରୁ ଦୂରେଇ ରହୁଛନ୍ତି ଗାଡ଼ି ମାଲିକ । ଏନେଇ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କିଛି ଉଲ୍ଲଂଘନକାରୀ ଭାବୁଛନ୍ତି ଯେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ତାହା ସମ୍ପୂର୍ଣ୍ଣ ଭୁଲ୍ । ସରକାର ଚେତାବନୀ ଦେଇଛନ୍ତି ଯେ ଓଟିଏସ୍ ପରେ ବି ଯଦି କେହି ଫାଇନ୍ ଦେଉ ନାହାନ୍ତି ତା’ହେଲେ ଚାଲାଣ ସହିତ ଜଡ଼ିତ ଯାନବାହନ ପଞ୍ଜୀକରଣ ବାତିଲ ହୋଇପାରେ । ତା’ଛଡା ଓଏସ୍ଟି ବିଷୟରେ ବି ଅନେକ ଲୋକ ଜାଣିନାହାନ୍ତି । ସେ ବାବଦରେ ଅଧିକ ସଚେତନତାର ଆବଶ୍ୟକତା ରହିଛି । ଆଞ୍ଚଳିକ ପରିବହନ ଅଧିକାରୀମାନେ ନିଜ ଅଞ୍ଚଳରେ ଏନେଇ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି । ଯୋଜନା ପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ସାର୍ବଜନୀନ ସ୍ଥାନରେ ପୋଷ୍ଟର ଏବଂ ବ୍ୟାନର ଲଗାଯାଉଛି । ସମୟ ସୀମା ୨୦୨୬ ମାର୍ଚ୍ଚ ୧୯ ତାରିଖ ଧାର୍ଯ୍ୟ ହୋଇଛି । ଏହାରି ମଧ୍ୟରେ ଜରିମାନା ଆଦାୟ ୧%ରୁ ବଢ଼ି ୧୦୦% ହେବ ବୋଲି ଅଧିକାରୀ ଜଣଙ୍କ ଆଶାବାଦୀ ଅଛନ୍ତି ।