କଟକ,୨୩/୦୫: ବାରମ୍ବାର ନିର୍ଦ୍ଦେଶ, ଚିଠି କରାଯିବା ସତ୍ତେ୍ୱ ସରକାରୀ ବାବୁଙ୍କ  ଗାଡ଼ିରେ ନାଲି ବତି ଲଗାଇବା ମୋହ ତୁଟୁନି । ଏନେଇ ପରିବହନ ବିଭାଗ ସଚିବ ଉଷା ପାଢ଼ୀ  ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏଣିକି ବିଭିନ୍ନ ବିଭାଗର ଅଧିକାରୀମାନେ ଯେପରି ମନମୁଖି  ଭାବେ ଗାଡ଼ିରେ ନାଲିବତି ନଲଗାନ୍ତି ସେନେଇ ପ୍ରତ୍ୟେକ ବିଭାଗକୁ ଚିଠି ଲେଖି ସତର୍କ  କରାଇ ଦେଇଛନ୍ତି । ଏଥିସହ ରାଜ୍ୟରେ ଶହଶହ ଗାଡ଼ିରେ ନାଲି ବତି ଲାଗିଥିଲାବେଳେ ପ୍ରାଧିକୃତ ଅଧିକାରୀ ଭାବରେ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ)ରୁ କେହି ଜଣେ ବି ଏଥିପାଇଁ ଅନୁମତି ନେଇନଥିବା ମଧ୍ୟ ପରିବହନ ସଚିବ ତାଙ୍କ ଚିଠିରେ ସ୍ପଷ୍ଟ କରିଛନ୍ତି ।  

ନିୟମ ଅନୁସାରେ, ଯେଉଁମାନେ ଗାଡ଼ିରେ ବତି ଲଗାଇବାକୁ ଚାହୁଁଛନ୍ତି ସେମାନେ  ଏସ୍‌ଟିଏରେ ଆବେଦନ କରି ଅନୁମତିମୂଳକ ଷ୍ଟିକର ନେବା ଲାଗି ସଚିବ ଚିଠିରେ  ଉଲ୍ଲେଖ କରିଛନ୍ତି । ପରିବହନ ବିଭାଗ ସଚିବ ଶ୍ରୀମତୀ ପାଢ଼ୀ ଏହି ମର୍ମରେ ରାଜ୍ୟ  ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ, ଗୃହ ବିଭାଗ  ପ୍ରମୁଖ ଶାସନ ସଚିବ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ, ପୁଲିସ୍‌ ଡିଜି, ଡିଜି ଗୃହରକ୍ଷୀ, ଡିଜି ଅଗ୍ନିଶମ ବିଭାଗଙ୍କୁ ଚିଠି ଲେଖି ସେମାନଙ୍କ ଅଧୀନ ଅଧିକାରୀଙ୍କୁ  ଗାଡ଼ିରେ ନାଲିବତି ଲଗେଇବାର ଥିବା ନିୟମ ସମ୍ପର୍କରେ ଅବଗତ କରିବାକୁ କହିଛନ୍ତି । କେଉଁ ଗାଡ଼ିରେ ବତି ଲାଗିପାରିବ ସେ ସଂପର୍କରେ ନିଷ୍ପତ୍ତି ନେବା ପାଇଁ ଏସ୍‌ଟିଏକୁ  ଦାୟିତ୍ୱ ଦିଆଯାଇଛି । 

କେଉଁ ଅଧିକାରୀମାନଙ୍କ ଗାଡ଼ିରେ ଏହି ମଲ୍‌ଟି କଲର୍‌ ବତି  ଲଗାଯାଇପାରିବ ସେନେଇ ସମ୍ପୃକ୍ତ ବିଭାଗକୁ ରିପୋର୍ଟ ଦେବାକୁ କୁହାଯାଇଥିଲା। ଯେଉଁ  ଅଧିକାରୀଙ୍କ ଗାଡ଼ିରେ ମଲ୍‌ଟି କଲର୍‌ ବତି ଲାଗିବ ତାଙ୍କୁ ଏସ୍‌ଟିଏ ପକ୍ଷରୁ ଏକ ଷ୍ଟିକର ମଧ୍ୟ  ଦିଆଯିବ । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଗୋଟିଏ ବି ବିଭାଗ ବା ଅଧିକାରୀ ଏହି ବତି ଲଗାଇବା  ପାଇଁ ଏସ୍‌ଟିଏରେ ଆବେଦନ କରିନଥିବା ଶ୍ରୀମତୀ ପାଢ଼ୀ କ୍ଷୋଭର ସହ ପ୍ରକାଶ କରିଛନ୍ତି ।