କୋଣାର୍କ,୨୧।୯; କୋଣାର୍କ ସୂର୍ଯ୍ୟମନ୍ଦିର ନିକଟରେ ଅଘଟଣା । ବଜ୍ରପାତ ଯୋଗୁ ଦୁଇ ଫାଳ ହୋଇଗଲା ନିକଟରେ ଥିବା ଚାକୁଣ୍ଡା ଗଛ । ଅଧା ଅଂଶ ଭାଙ୍ଗିପଡ଼ିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପର୍ଯ୍ୟଟକ ।

ସାଧାରଣତଃ ଛୁଟି ମାନଙ୍କରେ କୋଣାର୍କ ସୂର୍ଯ୍ୟମନ୍ଦିରରେ ପର୍ଯ୍ୟଟକଙ୍କ ଭିଡ଼ ଜମିଯାଏ । ତେଣୁ ରବିବାର ଅର୍ଥାତ୍ ଆଜି ସୂର୍ଯ୍ୟମନ୍ଦିର ପରିସରରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଗହଳି ଲାଗିଥିଲା । ଦିନ ଦ୍ବିପ୍ରହର ହେବ ଅଚାନକ କଳାହାଣ୍ଡିଆ ମେଘ ମାଡ଼ି ଆସିଥିଲା । ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା  । ଏତିକି ବେଳେ ସୂର୍ଯ୍ୟମନ୍ଦିରର ଦକ୍ଷିଣ ପାର୍ଶ୍ବରେ ଥିବା ବିରାଟ ଚାକୁଣ୍ଡା ଗଛ ଉପରେ ବ୍ରଜାଘାତ ହୋଇଥିଲା । ଫଳରେ ଗଛଟି ଦୁଇ ଫାଳ ହୋଇଯାଇଥିଲା । ପ୍ରଚଣ୍ଡ ଶବ୍ଦ ଶୁଣି ସେଠାରେ ଥିବା ଲୋକେ ଭୟଭୀତ ହୋଇଯାଇଥିଲେ । ଚାକୁଣ୍ଡା ଗଛ ନିକଟରେ ଥିବା ପର୍ଯ୍ୟଟକ ଅଳ୍ପକେ ବର୍ତ୍ତିଯାଇଛନ୍ତି  ।

ଅନ୍ୟପଟେ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ୮ଟି ଅତ୍ୟାଧୁନିକ ପ୍ରୋଜେକ୍ଟର ଲଗାଯାଇ ଲାଇଟ୍ ଆଣ଼୍ଡ୍ ସାଉଣ୍ଡ ଶୋ ହେଉଛି । ହେଲେ ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି କାହାରି ଚିନ୍ତା ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ସେଡ୍ ବ୍ୟବସ୍ଥା ମଧ୍ୟ ହୋଇନାହିଁ । ଫଳରେ ବର୍ଷା ସମୟରେ ପର୍ଯ୍ୟଟକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।