ନୂଆଦିଲ୍ଲୀ, ୧୮/୦୭ : ପହଲଗାମ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା 'ଦି ରେଜିଷ୍ଟେନ୍ସ ଫ୍ରଣ୍ଟ'କୁ ଆମେରିକା ବୈଶ୍ଵିକ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିଛି। ଏହି ଘୋଷଣା ପରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ସୋସିଆଲ ମିଡିଆରେ ପୋଷ୍ଟ କରି ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, 'ଆତଙ୍କବାଦ ବିରୋଧରେ ଭାରତ ଏବଂ ଆମେରିକା ଏକା ସାଙ୍ଗରେ ଠିଆ ହୋଇଛନ୍ତି। ଲସ୍କର-ଏ-ତଏବାର ପ୍ରକ୍ସି ଟିଆରଏଫକୁ ବୈଶ୍ଵିକ ଆତଙ୍କୀ ସଙ୍ଗଠନ ଘୋଷଣା କରିଥିବାରୁ ମାର୍କ ଋବିୟୋ ଏବଂ ଆମେରିକା ବୈଦେଶିକ ବିଭାଗକୁ ଧନ୍ୟବାଦ। ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା।'

ସୂଚନା ଥାଉକି, ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କ ଋବିୟୋ ଗୁରୁବାର ଟିଆରଏଫ୍‌କୁ ବୈଶ୍ଵିକ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିଥିଲେ। ସେ କହିଥିଲେ, ୨୦୦୮ ମୁମ୍ଵାଇ ଆକ୍ରମଣ ପରେ ପହଲଗାମ ଆକ୍ରମଣ ଭାରତୀୟଙ୍କ ଉପରେ ସବୁଠୁ ବଡ଼ ଆତଙ୍କୀ ହମଲା। ଏହି ନିଷ୍ପତ୍ତି ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା, ଆତଙ୍କବାଦ ବିରୋଧରେ ଲଢେଇ ଏବଂ ଭାରତ ସହ ସହଯୋଗର ପ୍ରମାଣ। ଏବେ ଏଫଟିଓରୁ ଟିଆରଏଫ୍‌କୁ ଆର୍ଥିକ ସହାୟତା ଉପରେ ରୋକ୍ ଲଗାଯିବ। ସେପଟେ ଏହି ଘୋଷଣା ପରେ ପାକିସ୍ତାନକୁ ଜୋରଦାର୍ ଝଟ୍‌କା ଲାଗିଛି। 

ଚଳିତ ବର୍ଷ ଏପ୍ରିଲ ୨୨ରେ ଜାମ୍ମୁ କାଶ୍ମୀର ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୨୬ ନୀରିହ ପର୍ଯ୍ୟଟକଙ୍କ ଜୀବନ ଯାଇଥିଲା। ଆକ୍ରମଣ ପଛରେ ଟିଆରଏଫ୍ ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିଥିଲା। ଏହି ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଲ୍ କରି କଥା ହୋଇଥିଲେ। ଆମେରିକା ଆତଙ୍କବାଦ ବିରୋଧୀ ଲଢେଇରେ ଭାରତ ସହ ଅଛି ବୋଲି କହିଥିଲେ।