ଆଦିବାସୀମାନଙ୍କ ସ୍ଥାୟୀ ଅଭ୍ୟାସରୁ ଶିକ୍ଷା ଗ୍ରହଣ କରିବା ଓ  ଆଦିବାସୀଙ୍କର ସ୍ଥାୟୀ ଅଭ୍ୟାସକୁ ଶିକ୍ଷାରେ ଅନ୍ତର୍ଭୁକ୍ତ କରାଇବା ସ୍ଥାୟୀ  ଭବିଷ୍ୟତ ଦିଗରେ ଗୁରୁତ୍ୱପୂର୍ଣ୍ଣ ଅଟେ । ଆଦିବାସୀଙ୍କର ଅବଦାନ କେବଳ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଦିଗରେ ସୀମିତ ନୁହେଁ,  ବରଂ ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ମଧ୍ୟ ସୁନିଶ୍ଚିତ କରି,  ବୈଶ୍ୱିକ ସୌହାର୍ଦ୍ଦ୍ୟ ବୃଦ୍ଧି କରିବା ପାଇଁ ଶିକ୍ଷା ପ୍ରଦାନ କରେ, ଯାହାକୁ  ଆଧୁନିକ ବିଶ୍ୱ ଅଣଦେଖା କରିପାରିବ ନାହିଁ ।

ଭାରତୀୟ ଜନଜାତି ହେଉଛନ୍ତି ଭାରତର  ସ୍ୱଦେଶୀ ଐତିହ୍ୟର ଏକ ଅନନ୍ୟ ପ୍ରମାଣ ।  ଆଦିବାସୀଙ୍କ ଜୀବନଶୈଳୀ ହେଉଛି ଗତିଶୀଳ ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଏକ ଜରୁରି ଉପାଦାନ ।  ମନୁଷ୍ୟ ଏବଂ ପ୍ରକୃତି ମଧ୍ୟରେ ଥିବା ପବିତ୍ର ସମ୍ପର୍କକୁ  ଆଦିବାସୀଙ୍କର ଜୀବନଶୈଳୀ ପ୍ରତିଫଳିତ କରିଥାଏ,  ଯାହା ସମାଜକୁ ପୃଥିବୀ ସହିତ ଅଧିକ ସୌହାର୍ଦ୍ଦ୍ୟପୂର୍ଣ୍ଣ  ଅସ୍ତିତ୍ୱକୁ ଫେରିବା ପାଇଁ ଆହ୍ୱାନ ଦେଇ, ପରିବେଶ  ଅବକ୍ଷୟ ସହିତ ସଂଘର୍ଷ କରୁଥିବା ବିଶ୍ୱ ଲାଗି ପରିବେଶ  ଚେତନାକୁ ଗଭୀର ଭାବରେ ପ୍ରତିଧ୍ୱନିତ କରିବା  ସହିତ, ସ୍ଥାୟିତ୍ୱ ଏବଂ ସଂରକ୍ଷଣଭିତ୍ତିକ ଶିକ୍ଷା ମଧ୍ୟ  ପ୍ରଦାନ କରିଥାଏ । ଜଙ୍ଗଲ ସଂରକ୍ଷଣ, ପ୍ରାକୃତିକ କୃଷି,  ପାରମ୍ପରିକ ବିଶ୍ୱାସ ଏବଂ ଉତ୍ସବ ପାଳନ ପଦ୍ଧତିର ଏକ  ନିଆରା ଶୈଳୀ ମାଧ୍ୟମରେ, ଆଦିବାସୀମାନେ ଜଳବାୟୁ  ପରିବର୍ତ୍ତନର ନକାରାତ୍ମକ ପ୍ରଭାବକୁ ରୋକିବାରେ ଏକ  ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି । 

ପ୍ରତ୍ୟେକ ଆଦିବାସୀ ଗାଁରେ, ବିଶେଷକରି ସାନ୍ତାଳ,  ମୁଣ୍ଡା, ଓରାଓଁ, ହୋ, ଭୂମିଜ, ଆଦିବାସୀ ସମ୍ପ୍ରଦାୟରେ  ଏକ ସାର୍ବଜନୀନ ପୂଜାସ୍ଥଳ ଥାଏ, ଯାହା ‘ଜାହେର୍‌  ସ୍ଥଳ' ବା "ସାର୍ନା ସ୍ଥଳ' ନାମରେ ଜଣାଶୁଣା । ଶାଳଗଛ  ବଣକୁ ନେଇ ଗଠିତ ସେଇ ପବିତ୍ର ସ୍ଥଳରେ ଥିବା ଶାଳଗଛରେ ସେମାନଙ୍କର ଦେବତା ବାସ କରନ୍ତି ବୋଲି  ବିଶ୍ୱାସ । ମାଘ ପରବ, ବାହା ପରବ, ସୋହରାଇ  ପରବ, ମାଗେ ପରବ, ସର୍ହୁଲ୍‌ ପରବ ଭଳି ପ୍ରମୁଖ  ଆଦିବାସୀ ପର୍ବଗୁଡ଼ିକ ଶାଳଗଛ ବା ଶାଳ ଜଙ୍ଗଲ ସହିତ  ଜଡ଼ିତ । ଶାଳଗଛ ଅନେକ ଆଦିବାସୀ ଧାର୍ମିକ ପ୍ରଥା ଏବଂ ପର୍ବପର୍ବାଣୀର କେନ୍ଦ୍ରବିନ୍ଦୁ । ଆଦିବାସୀଙ୍କର ଏହା  ବିଶ୍ୱାସ ଯେ, ଶାଳଗଛରେ ସେମାନଙ୍କର ଈଷ୍ଟ ଦେବତାଙ୍କ  ବାସ । ଆଦିବାସୀମାନଙ୍କ ପାଇଁ ଶାଳଗଛ ହେଉଛି ମଣିଷ  ଏବଂ ପ୍ରକୃତି ମଧ୍ୟରେ ଥିବା ସନ୍ତୁଳନର ପ୍ରତୀକ ।  ଆଦିବାସୀ ସମ୍ପ୍ରଦାୟ, ସେମାନଙ୍କର ପାରମ୍ପରିକ ଜ୍ଞାନ ମାଧ୍ୟମରେ ଦୀର୍ଘଦିନ ଧରି ଶାଳଗଛର ସ୍ଥାୟୀ ବ୍ୟବହାର,  ଗଛର କ୍ଷୟକ୍ଷତି ବିନା ତାହାର ପତ୍ର ଏବଂ ମଞ୍ଜି ଅମଳ  କରିଆସୁଛନ୍ତି । ଆଦିବାସୀ ଏବଂ ଶାଳଗଛ ମଧ୍ୟରେ  ଏହି ସମ୍ପର୍କ ପରିବେଶ ପରିଚାଳନାର ଏକ ଢାଞ୍ଚାକୁ  ପ୍ରତିଫଳିତ କରେ । ଶାଳଗଛ ପ୍ରତି ଆଦିବାସୀଙ୍କ ଶ୍ରଦ୍ଧା,  ଶାଳ ଜଙ୍ଗଲର ସଂରକ୍ଷଣକୁ ନିଶ୍ଚିତ କରେ, ଯାହା  ପରବର୍ତ୍ତୀ ସମୟରେ ପରିବେଶ ଏବଂ ଜୈବବିବିଧତାରେ  ବ୍ୟାପକ ସଂସ୍କାର ଆଣିବାରେ ସହାୟକ ହୁଏ । ପରିବେଶ  ଦୃଷ୍ଟିକୋଣରୁ ଜାହେର୍‌ ସ୍ଥଳ ପରିବେଶ ସନ୍ତୁଳନ ଏବଂ  ପ୍ରାକୃତିକ ଅଙ୍ଗାରକାମ୍ଳ ପୃଥକୀକରଣର ଏକ ଅନନ୍ୟ  ମାଧ୍ୟମ । ଦ୍ରୁତ ଶିଳ୍ପାୟନ ଏବଂ ଜନସଂଖ୍ୟା ବୃଦ୍ଧି ସହିତ  ଭାରତ ଯେତେବେଳେ ବିଶ୍ୱର ସବୁଠାରୁ ବଡ଼ ଗ୍ରୀନ୍‌  ହାଉସ୍‌ ଗ୍ୟାସ୍‌ ନିର୍ଗମନକାରୀ ଦେଶ, ଯାହା ବିଶ୍ୱର ପ୍ରାୟ  ୭% ଅଙ୍ଗାରକାମ୍ଳ ନିର୍ଗମନ କରିଥାଏ, ସେତେବେଳେ  ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳ ନିର୍ଗମନ ସ୍ତରକୁ ହ୍ରାସ କରି,  ଅନ୍ତର୍ଜାତୀୟ ଜଳବାୟୁ ଲକ୍ଷ୍ୟ ପ୍ରତି ନିଜର ପ୍ରତିବଦ୍ଧତା  ସାବ୍ୟସ୍ତ ନିମନ୍ତେ, ଅଙ୍ଗାରକାମ୍ଳ ପୃଥକୀକରଣ ଅତ୍ୟନ୍ତ  ଆବଶ୍ୟକ ହୋଇଯାଏ, ଯେଉଁଠି ଆଦିବାସୀ ଓ ଶାଳଗଛ  ଆଚ୍ଛାଦିତ ସେମାନଙ୍କର "ଜାହେର୍‌ ସ୍ଥଳ' ଏକ ପ୍ରମୁଖ  ଭୂମିକା ନିର୍ବାହ କରନ୍ତି । 

ମୁଖ୍ୟତଃ ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା,  ପଶ୍ଚିମବଙ୍ଗ, ବିହାର ଏବଂ ଆସାମର ଆଦିବାସୀ,  ପାରମ୍ପରିକ ଭାବରେ ଜଙ୍ଗଲ ଅଧିବାସୀ । ଝାଡ଼ଖଣ୍ଡ,  ଯେଉଁଠାରେ ଆଦିବାସୀମାନଙ୍କର ଏକ ବୃହତ  ଜନସଂଖ୍ୟା ଜଙ୍ଗଲରେ ବାସ କରନ୍ତି, ସେଠାକାର  ଜଙ୍ଗଲଗୁଡ଼ିକ ଆଦିବାସୀଙ୍କର ପାରମ୍ପରିକ ଅଭ୍ୟାସ  ମାଧ୍ୟମରେ ବା ପ୍ରକୃତି ପ୍ରତି ସେମାନଙ୍କର ସାଂସ୍କୃତିକ  ଶ୍ରଦ୍ଧା ମାଧ୍ୟମରେ ପରିଚାଳିତ । ଜାତୀୟ କୃଷି ଅନୁସନ୍ଧାନ ପରିଷଦର ୨୦୨୨ ମସିହା ଆକଳନ ଅନୁଯାୟୀ, ଏଭଳି  ବିଶାଳ ଜଙ୍ଗଲ କ୍ଷେତ୍ରରୁ ପ୍ରତିବର୍ଷ ହେକ୍ଟର ପିଛା ପ୍ରାୟ  ୨.୩ ଟନ୍‌ ଅଙ୍ଗାରକାମ୍ଳ ପୃଥକୀକରଣ କରାଯାଇଥାଏ ।  ଏହାର ଅର୍ଥ ହେଉଛି ଯେ, କେବଳ ଝାଡ଼ଖଣ୍ଡର  ଜଙ୍ଗଲ ପ୍ରତିବର୍ଷ ପ୍ରାୟ ୫୪ ନିୟୁତ ଟନ୍‌ ଅଙ୍ଗାରକାମ୍ଳ  ପୃଥକୀକରଣ କରିଥାଏ, ଯାହାର  ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଆଦିବାସୀଙ୍କ  ଦ୍ୱାରା ପରିଚାଳିତ । 

ଇଣ୍ଡିଆ ଷ୍ଟେଟ୍‌  ଅଫ୍‌ ଫରେଷ୍ଟ ରିପୋର୍ଟ-୨୦୨୧  ଅନୁଯାୟୀ, ପଶ୍ଚିମବଙ୍ଗରେ ମୋଟ୍‌  ଜଙ୍ଗଲ ଆଚ୍ଛାଦନ ୧୬,୯୦୧ ବର୍ଗ  କିଲୋମିଟର, ଯାହା ରାଜ୍ୟର  ଭୌଗାଳିକ କ୍ଷେତ୍ରର ୧୯.୧%,  ଯେଉଁଠି ସାନ୍ତାଳ-ନିର୍ଦ୍ଦିଷ୍ଟ ଅଞ୍ଚଳ  ଯେପରି ପୁରୁଲିଆର ଜଙ୍ଗଲ  ଆଚ୍ଛାଦନ ୧,୬୫୫ ବର୍ଗ କିଲୋମିଟର, ବାଙ୍କୁରାର ୧,୫୦୬  ବର୍ଗ କିଲୋମିଟର, ପଶ୍ଚିମ  ମେଦିନୀପୁରର ୧,୬୨୬ ବର୍ଗ କିଲୋମିଟର ଏବଂ  ବୀରଭୂମର ୪୧୮ ବର୍ଗ କିଲୋମିଟର । ପୁରୁଲିଆ,  ବାଙ୍କୁରା ଏବଂ ପଶ୍ଚିମ ମେଦିନୀପୁରର ସାନ୍ତାଳ ଅଞ୍ଚଳରେ  ଥିବା ଶାଳ ଜଙ୍ଗଲ, ଯେଉଁଥିରେ ସାନ୍ତାଳମାନଙ୍କର  ଜାହେର୍‌ ସ୍ଥଳ ମଧ୍ୟ ଅନ୍ତର୍ଭୁକ୍ତ, ସେମାନଙ୍କର ଉଚ୍ଚ  ଅଙ୍ଗାରକାମ୍ଳ ପୃଥକୀକରଣ କ୍ଷମତା ପାଇଁ ଜଣାଶୁଣା ।  ବିଭିନ୍ନ ପରିବେଶ ଅଧ୍ୟୟନ ଅନୁଯାୟୀ, ଶାଳ ଜଙ୍ଗଲ  ପ୍ରତିବର୍ଷ ହେକ୍ଟର ପିଛା ପ୍ରାୟ ୪-୫ ଟନ୍‌ ଅଙ୍ଗାରକାମ୍ଳ  ପୃଥକୀକରଣ କରିପାରେ, ଯେଉଁଥିରୁ ପୁରୁଲିଆ, ବାଙ୍କୁରା  ଏବଂ ପଶ୍ଚିମ ମେଦିନୀପୁରର ସାନ୍ତାଳ ଅଞ୍ଚଳ ଅନ୍ତର୍ଭୁକ୍ତ  ମିଳିତ ଜଙ୍ଗଲ ଆଚ୍ଛାଦିତ କ୍ଷେତ୍ର, ବାର୍ଷିକ ପ୍ରାୟ ୧୯ରୁ ୨୪ନିୟୁତ ଟନ୍‌ ଅଙ୍ଗାରକାମ୍ଳ ପୃଥକୀକରଣର କ୍ଷମତା  ରଖେ । ଓଡ଼ିଶାରେ ବିଶେଷକରି ମୟୂରଭଞ୍ଜ, କେନ୍ଦୁଝର  ଏବଂ ସୁନ୍ଦରଗଡ଼ ଭଳି ଉତ୍ତର ଜିଲ୍ଲାଗୁଡ଼ିକରେ, ଯେଉଁଠାରେ ଘନ ଜଙ୍ଗଲର କାୟା ବିସ୍ତାର କରିଛି,  ସେଠାରେ ସାନ୍ତାଳ ଓ ଅନ୍ୟ ଜନଜାତିଙ୍କ ଜନସଂଖ୍ୟା  ଉଲ୍ଲେଖନୀୟ । ରାଜ୍ୟରେ ପାଖାପାଖି ୫୨,୧୫୬  ବର୍ଗ କିଲୋମିଟର ଜଙ୍ଗଲ ରହିଛି, ଯାହା ରାଜ୍ୟର  ଭୌଗୋଳିକ କ୍ଷେତ୍ରର ୩୩.୫୦% (ଭାରତୀୟ ଜଙ୍ଗଲ  ସର୍ବେକ୍ଷଣ-୨୦୨୩) । ଏହି ଜଙ୍ଗଲ ଅଞ୍ଚଳର ଅଧିକାଂଶ  ଅଂଶ ସାନ୍ତାଳଙ୍କ ସମେତ ଅନ୍ୟ ଜନଜାତିଙ୍କ ଦ୍ୱାରା  ପରିଚାଳିତ । ଯଦିଓ ଜାହେର୍‌ ସ୍ଥଳ ବା ସାର୍ନା ସ୍ଥଳର  ଆକାର ଭିନ୍ନ ଭିନ୍ନ ହୋଇଥାଏ, ସେଗୁଡ଼ିକ ସାଧାରଣତଃ  ୦.୫ରୁ ୨ହେକ୍ଟର ମଧ୍ୟରେ ରହିଥାଏ । ଆକଳନରୁ  ଜଣାପଡିଛି ଯେ ଜାହେର୍‌ ସ୍ଥଳ ବା ସାର୍ନା ସ୍ଥଳମାନଙ୍କରେ  ସଂରକ୍ଷିତ ପବିତ୍ର ଶାଳବୃକ୍ଷ ପ୍ରତିବର୍ଷ ହେକ୍ଟର ପିଛା  ୧.୫ରୁ ୩ଟନ୍‌ ଅଙ୍ଗାରକାମ୍ଳ ପୃଥକୀକରଣ କରିବାର  କ୍ଷମତା ରଖନ୍ତି । 

ସାନ୍ତାଳ ଜନସଂଖ୍ୟାବିଶିଷ୍ଟ ମୟୂରଭଞ୍ଜ  ଜିଲ୍ଲାରେ ପାଖାପାଖି ୩୯୬୬ଟି ଗ୍ରାମ ରହିଛି । ଯଦି  ପ୍ରତ୍ୟେକ ଗାଁ ହାରାହାରି ୧  ହେକ୍ଟର ଆକାରର ଏକ ଜାହେର୍‌  ସ୍ଥଳ ବଜାୟ ରଖନ୍ତି, ତେବେ  ଏହି ପବିତ୍ର ଉପବନଗୁଡ଼ିକର  ସାମୂହିକ କ୍ଷେତ୍ର ପ୍ରାୟ ୩୯୬୬  ହେକ୍ଟର ହେବ । ବର୍ଷକୁ ହେକ୍ଟର  ପିଛା ଆନୁମାନିକ ୧.୫ରୁ ୩ଟନ୍‌  ଅଙ୍ଗାରକାମ୍ଳ ପୃଥକୀକରଣ  ହାରରେ, କେବଳ ଏହି ଜିଲ୍ଲାର  ଜାହେର୍‌ ସ୍ଥଳ ବାର୍ଷିକ ୫୯୪୯ରୁ  ୧୧,୮୯୮ ଟନ୍‌ ଅଙ୍ଗାରକାମ୍ଳ  ପୃଥକୀକରଣ କରିପାରିବ ।  ଅଙ୍ଗାରକାମ୍ଳ ପୃଥକୀକରଣରେ  "ଜାହେର୍‌ ସ୍ଥଳ' ବା "ସାର୍ନା ସ୍ଥଳ'ର ଗୁରୁତ୍ୱ ଏହାର  ଜୈବବିବିଧତା, ବୃକ୍ଷଲତା, ବିଶେଷକରି ବ୍ୟାପକ ମୂଳ  ପ୍ରଣାଳୀ ଥିବା ବୃହତ୍‌ ବୃକ୍ଷ, ଏକ ପ୍ରମୁଖ ଅଙ୍ଗାରକାମ୍ଳ  ସିଙ୍କ୍‌ ଭାବରେ କାର୍ଯ୍ୟ କରନ୍ତି । ଅଧ୍ୟୟନରୁ ଜଣାପଡିଛି  ଯେ, ଜନଜାତିବିଶିଷ୍ଟ ଜଙ୍ଗଲ ବା ଆଦିବାସୀ ଗ୍ରାମଦ୍ୱାରା  ପରିଚାଳିତ ଜାହେର୍‌ ସ୍ଥଳ ବା ସାର୍ନା ସ୍ଥଳ, ଅନ୍ୟ ଜଙ୍ଗଲ  ଆଚ୍ଛାଦନ ତୁଳନାରେ ହେକ୍ଟର ପିଛା ୩୩% ଅଧିକ  ଅଙ୍ଗାରକାମ୍ଳ ସଞ୍ଚୟ କରନ୍ତି (ଆଇୟୁସିଏନ୍‌- ୨୦୨୨) । 

ପ୍ରାକୃତିକ ଜଙ୍ଗଲ ଏବଂ ପବିତ୍ର ଉପବନଗୁଡ଼ିକର  ସଂରକ୍ଷଣ ବ୍ୟତୀତ, ଆଦିବାସୀମାନେ ଐତିହାସିକ  ଭାବରେ କୃଷି-ବନାୟନ ମଧ୍ୟ ଅଭ୍ୟାସ କରନ୍ତି  ଯେଉଁଥିରେ ବୃକ୍ଷ ଏବଂ ଗୁଳ୍ମଗୁଡ଼ିକର ଏକୀକରଣ  ମଧ୍ୟ ସାମିଲ । ଏହି ଅଭ୍ୟାସ କେବଳ ଉତ୍ତମ ଫସଲ  ଉତ୍ପାଦନ ଏବଂ ମୃତ୍ତିକା ଉର୍ବରତା ସୁନିଶ୍ଚିତ କରେନାହିଁ,  ବରଂ କୃଷିକ୍ଷେତ୍ରରେ ଅଙ୍ଗାରକାମ୍ଳ ପୃଥକୀକରଣକୁ ମଧ୍ୟ  ବୃଦ୍ଧିକରେ । ମୋନୋକଲ୍‌ଚର୍‌ ଠାରୁ ଭିନ୍ନ, କୃଷି-ବନୟନ ଜୈବବିବିଧତାକୁ ବୃଦ୍ଧି କରିଥାଏ ଏବଂ ଉଭୟ ଉଦ୍ଭିଦ ଓ  ମୃତ୍ତିକାରେ ଅଙ୍ଗାରକାମ୍ଳ ସଞ୍ଚୟ କରିଥାଏ । ଖାଦ୍ୟ ଏବଂ  କୃଷି ସଂଗଠନର ଅନୁସନ୍ଧାନରୁ ଜଣାପଡିଛି ଯେ, କୃଷି  ଜଙ୍ଗଲ ପ୍ରଣାଳୀ ବାର୍ଷିକ ହେକ୍ଟର ପିଛା ୧.୧ରୁ ୨.୨ ଟନ୍‌  ଅଙ୍ଗାରକାମ୍ଳ ପୃଥକୀକରଣ କରିପାରେ, ଯାହା ଜଳବାୟୁ ପ୍ରଶମନ ପାଇଁ ଏକ ଶକ୍ତିଶାଳୀ ଉପକରଣ । ଓଡ଼ିଶାର  ଶିମିଳିପାଳ ଜାତୀୟ ଉଦ୍ୟାନ, ଯାହା ସାନ୍ତାଳ ପରିଚାଳିତ  ଜଙ୍ଗଲ ଅନ୍ତର୍ଭୁକ୍ତ, ଜୈବବିବିଧତାର ଏକ ପ୍ରମୁଖ କ୍ଷେତ୍ର,  ଯେଉଁଠି ଉଭୟ ଉଦ୍ଭିଦ ଏବଂ ପ୍ରାଣୀଙ୍କ ବିଭିନ୍ନ ପ୍ରଜାତି  ଅଙ୍ଗାରକାମ୍ଳ ପୃଥକୀକରଣରେ ଯୋଗଦାନ କରିଥାନ୍ତି ।  ଝାଡ଼ଖଣ୍ଡ ଏବଂ ଓଡ଼ିଶାର ସାନ୍ତାଳ-ପରିଚାଳିତ ଅଞ୍ଚଳର  ବାଉଁଶ ଜଙ୍ଗଲ, କିପରି ଅଙ୍ଗାରକାମ୍ଳ ପୃଥକୀକରଣରେ  ଯୋଗଦାନ କରେ, ତାହା ଆଉ ଏକ ଉଦାହରଣ ।  ବାଉଁଶ ପ୍ରତିବର୍ଷ ହେକ୍ଟର ପିଛା ୧୨ଟନ୍‌ ପର୍ଯ୍ୟନ୍ତ  ଅଙ୍ଗାରକାମ୍ଳ ପୃଥକୀକରଣ କରିପାରେ, ଯାହା ସବୁଠାରୁ  ଦକ୍ଷ ଅଙ୍ଗାରକାମ୍ଳ ସିଙ୍କ୍‌ ମଧ୍ୟରୁ ଗୋଟିଏ । 

ଶହ ଶହ ବର୍ଷ ଧରି ଆଦିବାସୀ ସମ୍ପ୍ରଦାୟମାନେ ଏପରି ଜୀବନଶୈଳୀ ବିକଶିତ କରିଛନ୍ତି, ଯାହା କେବଳ  ପ୍ରକୃତି ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନ କରିନଥାଏ,  ବରଂ ଏହାର ସଂରକ୍ଷଣ ଏବଂ ପୁନରୁଦ୍ଧାରରେ ମଧ୍ୟ  ସକ୍ରିୟ ଭାବରେ ଯୋଗଦାନ କରିଥାଏ । ଆଦିବାସୀମାନେ ନିଜକୁ ପରିସଂସ୍ଥାର ଏକ ଅଂଶଭାବରେ ଦେଖନ୍ତି,  ଯେଉଁଠାରେ ସେମାନଙ୍କର ସାଂସ୍କୃତିକ, ପାରମ୍ପରିକ,  ମୌଳିକ ଓ କୌଳିକ ଅଭ୍ୟାସ ପରିବେଶ ସନ୍ତୁଳନ  ବିଷୟରେ ଗଭୀର ବୁଝାମଣାକୁ ପ୍ରତିଫଳିତ କରେ ।  ଜଙ୍ଗଲର ସୁରକ୍ଷା ମାଧ୍ୟମରେ, ଆଦିବାସୀମାନେ ଜଙ୍ଗଲ  କ୍ଷୟକୁ ରୋକିବା ଏବଂ ଜୈବବିବିଧତାକୁ ପ୍ରୋତ୍ସାହିତ  କରି ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବା ଓ ସ୍ଥାୟୀ  ବିକାଶ ଲକ୍ଷ୍ୟ-୧୩ ହାସଲ କରିବାରେ ଯୋଗଦାନ  କରନ୍ତି । ଆଦିବାସୀମାନଙ୍କର ପରିବେଶ ସହିତ ଗଭୀର  ସମ୍ପର୍କ ହେତୁ, ଭାରତର ଜୈବିକ ସମ୍ପତ୍ତିର ସଂରକ୍ଷଣରେ  ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଫଳସ୍ୱରୂପ, ଏହା  ଖାଦ୍ୟ ସୁରକ୍ଷା ଏବଂ ଜଳ ସମ୍ବଳ ପ୍ରଦାନ କରି ସ୍ଥାୟୀ  ବିକାଶ ଲକ୍ଷ୍ୟ-୨ ଓ ୬ ହାସଲ କରିବାରେ ସହାୟକ  ହୁଅନ୍ତି । 

ଏହା ସତ୍ତେ୍ୱ ମଧ୍ୟ, ଆଦିବାସୀମାନେ ସେମାନଙ୍କର  ଜଳବାୟୁ କାର୍ଯ୍ୟାନୁଷ୍ଠାନ ଭୂମିକା ଜାରି ରଖିବାରେ  ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ଦ୍ରୁତ  ଶିଳ୍ପାୟନ, ଜଙ୍ଗଲ କ୍ଷୟ, ଖଣି ଏବଂ ଭିତ୍ତିଭୂମି ପ୍ରକଳ୍ପ  କାରଣରୁ ବିସ୍ଥାପନ, ସେମାନଙ୍କ ପାରମ୍ପରିକ ଜମି,  ଜଙ୍ଗଲ, ଜଳ ଏବଂ ଜୀବନଶୈଳୀ ପ୍ରତି ବିପଦ ସୃଷ୍ଟି  କରୁଛି । ସେମାନଙ୍କ ଯୋଗଦାନର ପୂର୍ଣ୍ଣ ସମ୍ଭାବନାକୁ  ଉପଯୋଗ କରିବା ପାଇଁ ଜାତୀୟ ଏବଂ ବିଶ୍ୱ ଜଳବାୟୁ  ରଣକୌଶଳରେ ଆଦିବାସୀ ଜ୍ଞାନର ଅଧିକ ସ୍ୱୀକୃତି  ଏବଂ ଏକୀକରଣ ହେବା ଆବଶ୍ୟକ । 

ଆଦିବାସୀ ଜମିର  ସୁରକ୍ଷା, ପରିବେଶ ଶାସନରେ ସେମାନଙ୍କର ଅଂଶଗ୍ରହଣ  ସୁନିଶ୍ଚିତ କରିବା ଏବଂ ସେମାନଙ୍କ ସ୍ଥାୟୀ ଅଭ୍ୟାସରୁ  ଶିକ୍ଷା ଗ୍ରହଣ କରିବା ଓ ଆଦିବାସୀଙ୍କର ସ୍ଥାୟୀ ଅଭ୍ୟାସକୁ  ଶିକ୍ଷାରେ ଅନ୍ତର୍ଭୁକ୍ତ କରାଇବା ସ୍ଥାୟୀ ଭବିଷ୍ୟତ ଦିଗରେ  ଗୁରୁତ୍ୱପୂର୍ଣ୍ଣ ଅଟେ । ଆଦିବାସୀଙ୍କର ଅବଦାନ କେବଳ  ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଦିଗରେ  ସୀମିତ ନୁହେଁ, ବରଂ ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟର  ସଂରକ୍ଷଣ ମଧ୍ୟ ସୁନିଶ୍ଚିତ କରି, ବୈଶ୍ୱିକ ସୌହାର୍ଦ୍ଦ୍ୟ ବୃଦ୍ଧି  କରିବା ପାଇଁ ଶିକ୍ଷା ପ୍ରଦାନ କରେ, ଯାହାକୁ ଆଧୁନିକ  ବିଶ୍ୱ ଅଣଦେଖା କରିପାରିବ ନାହିଁ ।