ଆତଙ୍କିତ ହୋଇ କିଛି ନକରି ବସିରହିବା କି? ‘ମାଟି ହେଲେ ନଷ୍ଟ, ସଭିଏଁ ପାଇବା କଷ୍ଟ’ । ଏ କଥାଟି ବୁଝିପାରି ବିପଦକୁ ଆଗରୁ ଦେଖି ପ୍ରାୟ ୫୦ବର୍ଷ ତଳୁ ଏ ସଂପର୍କରେ ଲୋକମାନଙ୍କୁ ସଚେତନ କରିବା ଆରମ୍ଭ କରିଥିଲେ ରାଧାମୋହନ ସାର୍ ।
ଏଇ ଶବ୍ଦଗୁଡ଼ିକୁ ଆମେ କିଛି ବାଜାର ତାନ ବୋଲି ଭାବୁଥିବା । କିନ୍ତୁ ନୁହେଁ । ଏଇ କିଛିଦିନ ତଳେ କେତେକ ଆଦିବାସୀ ଭାଇଭଉଣୀମାନେ ଆଲୋଚନା କରୁଥିଲେ ଖାଦ୍ୟ ଓ ଖାଦ୍ୟ ଉତ୍ପାଦନ ବ୍ୟବସ୍ଥା ସଂପର୍କରେ । ତାଙ୍କ ଆଲୋଚନାର ସାରାଂଶର ଅର୍ଥ ଥିଲାଭଲ ଖାଇବା, ଭଲ ଖୁଆଇବା, ଯାହାକୁ ସେମାନେ କୁଇ ଭାଷାରେ ‘ନାକେଦା ତିନ୍ନା, ନାକେଦା ତିତିନ୍ନା’ ବୋଲି କହିଥିଲେ । ସମସ୍ତେ ତ ଭଲ ଖାଇବାକୁ ଚାହାଁନ୍ତି। ଏଇଟା କ’ଣ ଗୋଟିଏ ଆଲୋଚନାର ବିଷୟ କି? ହଁ, ଏହା ଖାଲି ଆଲୋଚନାର ବିଷୟ ନୁହେଁ, ଆମର ବଞ୍ଚିବା ପାଇଁ ଜରୁରି ମଧ୍ୟ।
ଆମେ ବଞ୍ଚିବା ପାଇଁ ମୁଖ୍ୟତଃ ପବନ, ପାଣି ଓ ଖାଦ୍ୟ ଦରକାର । ପବନ ଓ ପାଣି ଆମେ ସିଧାସଳଖ ପ୍ରକୃତିରୁ ପାଇଛେ । କିନ୍ତୁ ଖାଦ୍ୟ ପାଇଁ ଆମକୁ ବର୍ତ୍ତମାନ ମୁଖ୍ୟତଃ ଚାଷବାସ କରିବାକୁ ପଡ଼ୁଛି, ଜଙ୍ଗଲ ବା ପାଣିରୁ କିଛି ସଂଗ୍ରହ କରିବାକୁ ପଡ଼ୁଛି । ହେଲେ ଆମ ଖାଦ୍ୟର ୯୫% ମାଟିରୁ ଆସେ । ଏହା ଫସଲ ବା ଗଛରୁ ସିଧାଳସଖ ଆସେ ବା ଘାସଗଛଗୁଡ଼ିକ ଉପରେ ନିର୍ଭର କରୁଥିବା ପ୍ରାଣୀମାନଙ୍କର କ୍ଷୀର, ଅଣ୍ଡା, ମାଂସ ଇତ୍ୟାଦିରୁ ଆସେ । ସେଇ ମାଟିର ଅବସ୍ଥା ଆମେ କ’ଣ କରିଛେ ଓ ସେମିତି ଆଉ କେତେଦିନ କରିପାରିବା ଦେଖିବା । ମାଟିକୁ ମାଆ କହିବାକୁ ଶିଖାଇଥିଲେ ଆମର ପୂର୍ବଜମାନେ । ଆମେ ଯୋଗ୍ୟମାନେ ମାଟିର ଯେଉଁ ଅବସ୍ଥା କରିଛେ ତାହା କୌଣସି ମାତୃହତ୍ୟାଠୁ କମ୍ ନୁହେଁ । ମାଟିକୁ ତ ଆଇ. ସି.ୟୁ.ରେ ରଖିବା ପରି ଅବସ୍ଥା । କ’ଣ କରୁଛେ ଆମେ ସେକଥା ଟିକେ ମନେ ପକାଇଦେବା।
ଏଇ ଗଲା ୫୦-୬୦ ବର୍ଷ ତଳର କଥା । ମଣିଷ ଜାତିର ଭୋକ ମେଣ୍ଟାଇବା କଥା କହି ଆମକୁ ନୂଆ ବିହନମାନ ଦିଆଗଲା । ତାକୁ ହାଇ-ଇଲଡିଂ ବା ହାଇବ୍ରିଡ ବିହନ ବୋଲି କୁହାଗଲା । ଯାହାର ଅର୍ଥ ସେଇ ବିହନମାନେ ଅଧିକ ଆଦାୟ ଦେଇପାରିବେ । କିନ୍ତୁ ନିଜେ ନିଜେ ଅଧିକା ଆଦାୟ ଦେଇପାରିଲା ଭଳି ଶକ୍ତି ସେଇ ବିହନମାନଙ୍କର ନଥିଲା । ସେଥିପାଇଁ ଆମକୁ କୁହାଗଲା ରାସାୟନିକ ସାର ଦେଲେ ଭଲ ଆଦାୟ ମିଳିବ । ପ୍ରଥମେ ସେସବୁ ବାହାରୁ ଆସୁଥିଲା । ପରେ ଆମ ଦେଶରେ ମଧ୍ୟ ବିଭିନ୍ନ ପ୍ରକାରର ରାସାୟନିକ ସାର ତିଆରି ହେଲା । ସେତିକିରେ କଥା ସରିଲାନି । ତା’ପାଇଁ ଅଧିକା ପାଣି, ଅଧିକା ବିଷ ଆଦିର ବ୍ୟବସ୍ଥା କରିବାକୁ ପଡ଼ିଲା । ସେସବୁ ପାଇଁ ମଧ୍ୟ ବହୁତ ପଇସାପତ୍ର ଦରକାର ହେଲା । କେତେ କଳକାରଖାନା, ନଦୀବନ୍ଧ ଆଦି ତିଆରି ହେଲା । ବୈଜ୍ଞାନିକମାନେ ଦିନରାତି ଏକାକାର କରି ଏସବୁ ଜିନିଷ ଉପରେ ଗବେଷଣା ଚଳାଇ ରଖିଲେ । ସରକାର ଅନେକ ବ୍ୟବସ୍ଥା ମାଧ୍ୟମରେ ଲୋକଙ୍କ ପାଖରେ କେବେ ମାଗଣାରେ ତ କେବେ ରିହାତି ଦରରେ ଏସବୁ ପହଞ୍ଚାଇବାରେ ଲାଗିଲେ । ଶେଷରେ ଫସଲ ଆଦାୟ ବଢ଼ିଲା ।
ଲୋକେ ଖୁସି, ସରକାର ଖୁସି ତଥା କମ୍ପାନୀମାନେ ବି ଖୁସି । ଆଉ କ’ଣ ଚିନ୍ତା? ଆମ ଅଜାଣତରେ ଏମାନଙ୍ଗ ସାଙ୍ଗରେ ଆଉ କିଛି ଲୋକେ ବି ଖୁସି ହେଲେ । ସେମାନେ ହେଲେ ଡାକ୍ତର ଓ ଡାକ୍ତରଖାନା, ରୋଗ ନିରୂପଣ କେନ୍ଦ୍ର, ଔଷଧ କମ୍ପାନୀ ଓ ଦୋକାନୀ ତଥା ଇନସୁରାନ୍ସ କମ୍ପାନୀ ଇତ୍ୟାଦି । କାହିଁକି ନା, ଘରେ ଘରେ ରୋଗୀ । ସାଂଘାତିକ ରୋଗୀମାନଙ୍କ ସଂଖ୍ୟା ବଢ଼ିଚାଲିଛି ଯେ, ବନ୍ଦ ହେବାର ନାଁ ନାହିଁ । ଡାଇବେଟିସ, ବ୍ଲଡପ୍ରେସର, କ୍ୟାନ୍ସର, ପାରାଲିସିସ, କିଡନୀ ଖରାପ, ହୃଦରୋଗ ଆଦି ଅତି ସାଧାରଣ କଥା ହେଇଗଲାଣି । କିଏ କେଉଁ ବୟସରେ, କେଉଁ ରୋଗରେ ପଡ଼ିବ ବା କାହାର ଜୀବନ ଯିବ ଜଣାନାହିଁ । ତେଣୁ ଅଧିକା ଫସଲ ଆଦାୟର ଖୁସି ବେଶି ଦିନ ତିଷ୍ଠିପାରିଲା ପରି ମନେ ହେଉନି ଆଉ ।
ଏମିତି କାହିଁକି ହେଲା? କିଏ ଭାବୁଛି ଏ ବିଷୟରେ? ଆମ ପିଢ଼ି ଓ ଖାଦ୍ୟ ଅପେକ୍ଷା ଔଷଧକୁ ଅଧିକା ଗୁରୁତ୍ୱ ଦେଇଛେ । ଆଉ ଆଗାମୀ ପିଢ଼ି ଅବସ୍ଥା ଯାହା ଆମେ କରିବା, ତାଙ୍କୁ ସେବା କରିବାକୁ କିଏ ରହିବ? ପିଲାଙ୍କ ପାଇଁ ଟଙ୍କା ସୁନା, ଗାଡ଼ିମଟର, ଅଳଙ୍କାର, କୋଠାବାଡ଼ି ଆଦି ରଖିଥିଲେ ପିଲାଏ ସେସବୁ ଖାଇ ରହିବେ? ଆମେ ସେସବୁ ଖାଇ ରହିବା? ଆମକୁ ଅତି କମ୍ରେ ଦିନକୁ ୩ଥର, ବର୍ଷକୁ ୩୬୫ ଦିନ (୧୦୯୫ ଥର) ଖାଦ୍ୟ ଦରକାର । ସେସବୁ ସେଇ ମାଟିରୁ ତ ଆସିବ । ଆଉ ମାଟିକୁ ମନଇଚ୍ଛା ବ୍ୟବହାର କଲେ ‘ଭାତହାଣ୍ଡିକୁ ନାତ ମାରିଲା’ ପରି କଥା ହେବ । ମାଟିକୁ ମାଆ ଭାବୁନେ ଆମେ ଆଉ । ଧୂଳି, ମାଟି, କାଦୁଅକୁ ଅସନା, ଆବର୍ଜନା ଜିନିଷ ବୋଲି ଭାବୁଛେ । ଯଦି ଭାବନା ଏମିତି ହେବ, ତାହେଲେ ଆମ ବ୍ୟବହାର ମଧ୍ୟ ସେମିତି ହେବ । ଆଉ ଯଦି ମାଟି ସାଙ୍ଗରେ ମନଇଚ୍ଛା ବ୍ୟବହାର କରିବା, ସେ ଆମକୁ ଖାଇବାକୁ ଦେବା ବନ୍ଦ କରିଦେବ ।
ସେତେବେଳେ କ’ଣ ହେବ? ଅତି ପଢ଼ାଶୁଣା କରିଥିବା ଲୋକମାନେ ଏକଥା ଆଲୋଚନା କଲାବେଳେ ଉତ୍ତର ଦିଅନ୍ତି- ସେତେବେଳେ ଦେଖାଯିବ । କିନ୍ତୁ ସେତେବେଳେ ସମୟଟା ହୁଏତ ହଜାରେ ବର୍ଷ ଲାଗିଯିବ । ସେତେଦିନ ଯାଏଁ ‘କେମିତି ଚଳିବା’ ପଚାରିଲେ ସେମାନେ କୁହନ୍ତି କ’ଣ ହେଲେ ବାହାରିବନି କି ସମାଧାନ ପାଇଁ । କଥାଟା ଯେତିକି ହାଲୁକା ଭାବୁଛେ, ଅବସ୍ଥା ସେତିକି ସାଂଘାତିକ । ମାଟି ତଥା ପାଣି, ପବନ, ଗଛପତ୍ର, ଜୀବଜନ୍ତୁ ସାଙ୍ଗରେ ଆମେ ଯେତେ ଖରାପ ବ୍ୟବହାର କରିଛେ ସଂସାରରେ କୌଣସି ପ୍ରାଣୀ ଏପରି କରନ୍ତି ନାହିଁ । ବର୍ତ୍ତମାନ ଆମ ମୂର୍ଖାମି ଚରମ ସୀମାରେ ପହଞ୍ଚି ସାରିଛି । ବେଳହୁଁ ସାବଧାନ ନହେଲେ ପରିସ୍ଥିତି ହାତରୁ ବାହାରକୁ ଚାଲିଯିବ । ମାଟିର ଓ ପାଣିର ଅପବ୍ୟବହାର କରି ଅତୀତରେ ଅନେକ ବିଶାଳ ସଭ୍ୟତା ମଧ୍ୟ ଧ୍ୱଂସ ହେଇଯାଇଛି । ଆମେ ରକ୍ଷାପାଇବା କି?
ମାଟି କମୁଛି, ପାଟି ବଢ଼ୁଛି । ପୃଥିବୀର ପାଖାପାଖି ୧୧% ଜାଗାରେ ହିଁ ଚାଷବାସ ହେଇପାରିବ । କିନ୍ତୁ ଆମର ଘରଦ୍ୱାର, ରାସ୍ତା, ରେଳଲାଇନ, କଳକାରଖାନା, ଖଣିଖାଦାନ ଇତ୍ୟାଦି ଓ ସେସବୁର ଆବର୍ଜନା ଜମା କରିବାକୁ ବି ଆମକୁ ଜାଗା ଦରକାର । ସେଥିଯୋଗୁଁ ତ ଚାଷଜମି କମୁଛି । ତା’ ବ୍ୟତୀତ ଅତ୍ୟଧିକ ବିଷାକ୍ତ ପଦାର୍ଥର ବ୍ୟବହାର, ଅତ୍ୟଧିକ ଜଳସେଚନ ଯୋଗୁଁ ମାଟିର ଲୁଣା ଅଂଶ ବଢ଼ି ଚାଷ ଅଯୋଗ୍ୟ ହେଇଯିବା ବଢ଼ିଚାଲିଛି । ଆଉ ଗୋଟିଏ ସାଂଘାତିକ କଥା ଆମ ଅଲକ୍ଷ୍ୟରେ ମଧ୍ୟ ଘଟିଚାଲିଛି । ପାଖାପାଖି ୭୮% ଜମି ୧୯୯୦ରୁ ୨୦୨୦ ମସିହା ମଧ୍ୟରେ ସବୁବେଳେ ଶୁଖିଲା ରହିବା ଅବସ୍ଥାକୁ ଆସିଗଲାଣି, ଯାହାକି ମରୁଡ଼ିଠାରୁ ଭୟଙ୍କର ହେବ ।
(ଡାଉନ ଟୁ ଆର୍ଥ, ୯.୧୨.୨୦୨୪) ଏହା ପାଇଁ ମନୁଷ୍ୟକୃତ କାରଣ ଅଧିକ ଦାୟୀ । ଏହାର ପରିଣାମ ଚାଷ ଉପରେ, ଜୀବନ ଜୀବିକା ଉପରେ ଓ ସେହି ଅଞ୍ଚଳର ପ୍ରକୃତି ଓ ଜୀବଜଗତ ଉପରେ ସାଂଘାତିକ ପ୍ରଭାବ ପକାଇବ । ଏଥିରେ ସାଧାରଣ ଗରିବ, ଆଦିବାସୀ, ମହିଳା ଓ ଚାଷୀଲୋକମାନେ ବହୁତ ପ୍ରଭାବିତ ହେବେ । ଆଉ ଏହି ପ୍ରଭାବର ପରିଣାମ କ’ଣ ହେବ କହି ହେବନାହିଁ । ମାଟିର କେବଳ ଉର୍ବରା ଶକ୍ତି କମୁନି, ଜଙ୍ଗଲ କ୍ଷୟ ଓ ବିଭିନ୍ନ କାରଣ ଯୋଗୁଁ ମାଟି କ୍ଷୟ ହୋଇଚାଲିଛି, ଯାହାକୁ ସଜାଡ଼ିବା କଷ୍ଟ । ଯାହା କ୍ଷୟ ହୋଇ ବୋହିଗଲା, ସେହି ମାଟିକୁ ପୁଣି କେବେହେଲେ ଆମେ ଫେରାଇ ଆଣିପାରିବାର ସାମର୍ଥ୍ୟ ମଣିଷ ସମାଜର ନାହିଁ ।
ସବୁଠୁ ବଡ଼ କଥା ହେଲା, ୧୯୬୦ ମସିହା ପରଠାରୁ ଫସଲ ଆଦାୟ ବଢ଼ାଇବା ପାଇଁ ନାନାପ୍ରକାର ରାସାୟନିକ ପଦାର୍ଥ ମାଟିରେ ଦିଆଗଲା । ଅନେକ ଅର୍ଥ ଖର୍ଚ୍ଚ ହେଲା । ଆଶ୍ଚର୍ଯ୍ୟଚକିତ କଲା ପରି ୨୦୨୨ ମସିହାରେ ରିପୋର୍ଟଟିଏ ସାମନାକୁ ଆସିଲା । ୨୦୦୫-୦୬ ଠାରୁ ୨୦୧୮-୧୯ ମସିହା ଭିତରେ ପଚାଶ ଲକ୍ଷରୁ ଅଧିକ ମାଟିର ନମୁନା ସଂଗ୍ରହ ହୋଇ ସରକାରୀ ବା ସରକାରଙ୍କ ସ୍ୱୀକୃତିପ୍ରାପ୍ତ ପରୀକ୍ଷାଗାରମାନଙ୍କରେ ପରୀକ୍ଷା କରାଯାଇଥିଲା । The State of Biofertilisers & Organic fertilisers in India ସବ ନାମକ ରିପୋର୍ଟରେ ସେହି ଆଶ୍ଚର୍ଯ୍ୟ କଥାମାନ ସାମନାକୁ ଆସିଲା । ଏତେ ରାସାୟନିକ ଜିନିଷ ବ୍ୟବହାର କଲାପରେ ବି ପାଖାପାଖି ୮୫% ନମୁନାରେ ମୃତ୍ତିକାର ଜୈବିକ ଅଙ୍ଗାର ଅଂଶ (ମାଟିର ଉର୍ବରତା ଜାଣିବା ପାଇଁ ଏକ ମୁଖ୍ୟ ମାପଦଣ୍ଡ) ସାଧାରଣ ସର୍ବନିମ୍ନ ସ୍ତରଠାରୁ କମ୍ । ୯୭% ନମୁନାରେ ଯବକ୍ଷାରଜାନ ବା ନାଇଟ୍ରୋଜେନ କମ୍, ୮୩% ନମୁନାରେ ଫସଫରସ କମ୍, ୭୧% ନମୁନାରେ ପଟାସିୟମ କମ୍, ୪୭% ନମୁନାରେ ବୋରେନ କମ୍, ୩୯% ନମୁନାରେ ଜିଙ୍କ୍ କମ୍, ୩୯% ନମୁନାରେ ଲୌହ କମ୍ ଓ ୩୬% ନମୁନାରେ ସଲଫର କମ୍ ବୋଲି ଜଣାପଡ଼ିଛି ।
ହରିୟାନା, ପଞ୍ଜାବ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ତାମିଲନାଡୁ ଇତ୍ୟାଦି ଅଞ୍ଚଳରେ ଯେଉଁଠି ଅଧିକ ରାସାୟନିକ ସାର ବ୍ୟବହାର ହୁଏ, ସେଠାରେ ଏହି ଜୈବିକ ଅଙ୍ଗାର ଅଂଶ ୯୦%ରୁ ଅଧିକ ନମୁନାରେ କମ୍ ଅଛି । ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଓ ଯବକ୍ଷାରଜାନ ଅଂଶ ୯୦ରୁ ୧୦୦% ନମୁନାରେ କମ୍ ଅଛି । ସେ ଭିତରୁ ଆମ ରାଜ୍ୟ ମଧ୍ୟ ଅନ୍ୟତମ । ସରକାର ଗତବର୍ଷ ପ୍ରାୟ ୧.୭ଲକ୍ଷ କୋଟି ଟଙ୍କାର ସବସିଡି ସାର ପାଇଁ ଦେଉଥିଲେ ଓ ଗତ ୫୦ବର୍ଷ ମଧ୍ୟରେ ବର୍ଷକୁ ବର୍ଷ ଏହି ଖର୍ଚ୍ଚ ବଢ଼ି ବଢ଼ି ଚାଲିଛି । ଶେଷରେ ମାଟି ଅବସ୍ଥା ଏମିତି! କେବେ ବୁଦ୍ଧି ଉଦୟ ହେବ ଆମର?
ଏସବୁ ରାସାୟନିକ ଜିନିଷ ପ୍ରୟୋଗ ଦ୍ୱାରା ମାଟିରେ ଥିବା ପ୍ରାଣୀମାନେ ମରିଗଲେ । ମାଟିକୁ ଜୀବନ୍ତ ରଖିବାରେ ସେମାନେ ଯେଉଁ ମୁଖ୍ୟ କାମଟି କରୁଥିଲେ ସେ କାମ କରିବାକୁ କିଏ ରହିଲା ଆଉ? ବର୍ତ୍ତମାନ ରୋଗୀକୁ ସାଲାଇନ, ଅକ୍ସିଜେନ କେମୋ, ଡାୟଲିସିସ୍ ବା ବିଭିନ୍ନ ଔଷଧପତ୍ର ଦେଇ ବଞ୍ଚାଇ ରଖିଲା ପରି ଆମେ ମାଟିକୁ ରଖିବାକୁ ଚେଷ୍ଟା କରୁଛେ । ଏମିତିରେ କେତେ ଦିନ? ମାଆ ଯଦି ଅସୁସ୍ଥ, ପିଲାଏ ସୁସ୍ଥ ରହିବେ କି? ସେମିତି ମାଟି ଯଦି ବିଷାକ୍ତ ବା ଅସୁସ୍ଥ ବା ଜୀବନୀଶକ୍ତିରହିତ, ଆମେ ସେଥିରୁ ସୁସ୍ଥ ଭଲ ଫସଲ ପାଇବା, ନା ଭଲ ଖାଇବା କି ଭଲ ଖୁଆଇବା? ଏବେ ଯଦି ଆମ ବୁଦ୍ଧି ନସୁଧୁରେ, ନେଡ଼ି ଗୁଣ କହୁଣିକୁ ବୋହିଯିବା ପରେ କି ପରିସ୍ଥିତି ସୃଷ୍ଟିହେବ କିଏ ଜାଣିଛି?
ଆତଙ୍କିତ ହୋଇ କିଛି ନକରି ବସିରହିବା କି? ‘ମାଟି ହେଲେ ନଷ୍ଟ, ସଭିଏଁ ପାଇବା କଷ୍ଟ’ । ଏ କଥାଟି ବୁଝିପାରି ବିପଦକୁ ଆଗରୁ ଦେଖି ପ୍ରାୟ ୫୦ବର୍ଷ ତଳୁ ଏ ସଂପର୍କରେ ଲୋକମାନଙ୍କୁ ସଚେତନ କରିବା ଆରମ୍ଭ କରିଥିଲେ ରାଧାମୋହନ ସାର୍ (ପଦ୍ମଶ୍ରୀ ସମ୍ମାନପ୍ରାପ୍ତ)। ଏଥିପାଇଁ ଖାଲି ସ୍ୱପ୍ନ ନଦେଖି କାମ କରି ବୁଝାଇ ଦେଇଥିଲେ ମାଟିର ଯତ୍ନ ନେଲେ ମାଟି ମାଆ ଆମକୁ କେତେଗୁଣ କରି କେତେ ପ୍ରକାର ଗଛଲତା ଓ ଜୀବଜନ୍ତୁ ଜରିଆରେ ଉପକାର କରେ । ଅନେକ ଚାଷୀ ଓ ମନୀଷୀମାନେ ମଧ୍ୟ ଏସବୁ ବିଷୟରେ କହିଛନ୍ତି, ଲେଖିଛନ୍ତି, ବୁଝାଇଛନ୍ତି ଓ କାମ କରି ଦେଖାଇଛନ୍ତି । ଆମେ ଆହୁରି ଅପେକ୍ଷା କରିବା ଆମର କ୍ଷତି ହେବାକୁ, ନା ଠିକ୍ ବାଟ ବାଛିବାକୁ ଚେଷ୍ଟା କରିବା? ରାଧାମୋହନ ସାର୍ ବ୍ୟସ୍ତ ହୋଇ ସଂସାରରୁ ଚାଲିଯିବା ପୂର୍ବରୁ ଲେଖାଟିଏ ଲେଖିଥିଲେ ‘ମାଟି ପାଇଁ କିଏ?’ (୧୧ ଜାନୁଆରୀ ୨୦୨୧) ଆମେ ଭୂମିକନ୍ୟା ଓ ଭୂମିପୁତ୍ରମାନେ ଉତ୍ତର ଦେବା ଚାଲନ୍ତୁ- ଆମେ ଅଛୁ । ତାହେଲେ ଆମର ଭଲ ଖାଇବା, ଭଲ ଖୁଆଇବା ସ୍ୱପ୍ନ ସାକାର ହେବ ।