କାରଗିଲ ଯୁଦ୍ଧରେ ଶତ୍ରୁ ସମ୍ମୁଖରେ ଅପୂର୍ବ ବୀରତ୍ୱ ପ୍ରଦର୍ଶନ ପାଇଁ  ସୈନିକର ସର୍ବୋଚ୍ଚ ସମ୍ମାନ ‘ପରମବୀର ଚକ୍ର’ରେ କେପ୍ଟେନ ବିକ୍ରମ  ବାତ୍ରାଙ୍କୁ (ମରଣୋତ୍ତର) ଭୂଷିତ କରିଥିଲେ ଭାରତର ରାଷ୍ଟ୍ରପତି  ଶ୍ରୀଯୁକ୍ତ କେ. ଆର. ନାରାୟଣନ । ଯୁଦ୍ଧଭୂମିରେ ବୀରଗତି ପ୍ରାପ୍ତ ହୋଇ  କେପ୍ଟେନ ବାତ୍ରା ପାଳନ କରିଥିଲେ ସୈନିକର ପରମ ଧର୍ମ । ତାଙ୍କର  ବୀରତ୍ୱ ଓ ବଳିଦାନ ଭାରତୀୟ ସେନାର ଗର୍ବ ଓ ଗୌରବ । ଭାରତର  ସାମରିକ ଇତିହାସରେ ସେ ଏକ ଜ୍ୱଳନ୍ତ ତାରକା, ଭାରତ ମାତାର  ସୁଯୋଗ୍ୟ ବୀର ସନ୍ତାନ ।


‘କାରଗିଲ ଯୁଦ୍ଧ’ ପାକିସ୍ତାନର ଭାରତ  ବିପକ୍ଷରେ ଚତୁର୍ଥ ଯୁଦ୍ଧ, ବଳପୂର୍ବକ  କାଶ୍ମୀର ହାସଲ କରିବାର ନିଷ୍ଫଳ ପ୍ରୟାସ ।  ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ  ବାଜପେୟୀ ଶାନ୍ତି ସ୍ଥାପନା ପାଇଁ ଅଗ୍ରଣୀ ଭୂମିକା  ଗ୍ରହଣ କରି ଲାହାର ବସ୍‌ଯାତ୍ରା ମାଧ୍ୟମରେ ବନ୍ଧୁତ୍ୱର  ହାତ ମିଳାଇଥିଲେ, ସେତେବେଳେ ପାକିସ୍ତାନୀ  ସୈନ୍ୟମାନେ ଗୁପ୍ତରେ ଭାରତ ବିରୁଦ୍ଧରେ ଏକ ବିରାଟ  ଯୁଦ୍ଧର ଯୋଜନାରେ ବ୍ୟସ୍ତ ଥିଲେ । ପାକିସ୍ତାନର ଏହା  ଥିଲା ବିଶ୍ୱାସଘାତକତାର ଚରମ ନିଦର୍ଶନ । 

କାରଗିଲ ଅଧିକାର କରି ଶ୍ରୀନଗର-ଲେହ ରାଜମାର୍ଗ  କବଳିତ କରି ଜାମ୍ମୁ କାଶ୍ମୀରରେ ନିଜର ଆଧିପତ୍ୟ  ସ୍ଥାପନ କରିବା ଉଦ୍ଦେଶ୍ୟ ଥିଲା ପାକିସ୍ତାନୀ ସେନାର ।  କାରଗିଲ ଯୁଦ୍ଧର ଯୋଜନା ୧୯୮୭ ମସିହାରେ  ପାକିସ୍ତାନର ମୁଖ୍ୟ ଶାସକ ଜେନେରାଲ ଜିଆ ଉଲ୍‌  ହକ୍‌ଙ୍କ ଶାସନ କାଳରେ ରୂପରେଖ ନେଇଥିଲା ।  ୧୯୭୧ ମସିହା ଭାରତ-ପାକ୍‌ ଯୁଦ୍ଧରେ ଭାରତର  ବିଜୟ, ନବେ ହଜାରରୁ ଊଦ୍ଧ୍ୱର୍ ପାକିସ୍ତାନୀ ସୈନ୍ୟଙ୍କ  ଭାରତ ନିକଟରେ ଆତ୍ମସମର୍ପଣ ଏବଂ ୧୯୮୪  ମସିହାରେ ସିଆଚେନରେ ଭାରତୀୟ ସେନାର  ପ୍ରାଧାନ୍ୟ ପାକିସ୍ତାନୀ ଶାସକଙ୍କୁ ଯନ୍ତ୍ରଣା ଜର୍ଜରିତ  କରିଥିଲା । ତାହାରି ପ୍ରତିଫଳନ ଥିଲା ‘କାରଗିଲ  ଯୁଦ୍ଧର ଯୋଜନା’ । 

କାରଗିଲ, ଦ୍ରାସ, ତୋଲଲିଙ୍ଗ, କାକ୍ସର, ମଶକୋହ  ଉପତ୍ୟକା, ବଟାଲିକ ଅଞ୍ଚଳ ଥିଲା ଅତି ଦୁର୍ଗମ ।  ଉଚ୍ଚ ଉଚ୍ଚ ପର୍ବତଶୃଙ୍ଗ, ଘଞ୍ଚ ଜଙ୍ଗଲ, ବରଫାବୃତ୍ତ  ଅତ୍ୟଧିକ ଥଣ୍ଡା ଅଞ୍ଚଳ (ଶୂନ୍ୟ ଡିଗ୍ରୀରୁ କମ୍‌  ତାପମାତ୍ରା), ତୀବ୍ର ବେଗରେ ବୋହୁଥିବା  ଶୀତଳ ପବନ, ଜୀବନ ଧାରଣ ପାଇଁ ଥିଲା  ବାସ୍ତବରେ ସଂଗ୍ରାମ ଭୂମି । ୧୫ହଜାର ଫୁଟ  ଉଦ୍ଧ୍ୱର୍ରେ ଅକ୍ସିଜେନର ଘୋର ଅଭାବ କାରଣରୁ  ଶ୍ୱାସ-ପ୍ରଶ୍ୱାସ ନେବା ଥିଲା ଖୁବ୍‌ କଷ୍ଟକର । ସେଠାରେ  ଯୁଦ୍ଧ ସରଞ୍ଜାମ, ଅସ୍ତ୍ରରେ ସଜ୍ଜିତ ହୋଇ ଶତ୍ରୁ ସହ  ଲଢ଼ିବା ଥିଲା ସୈନିକ ପାଇଁ ଏକ ପ୍ରକୃଷ୍ଟ ପରୀକ୍ଷାଗାର । ପାକିସ୍ତାନୀ ସେନା ଦ୍ୱାରା ଅଧିକୃତ ଶୃଙ୍ଗଗୁଡ଼ିକରୁ  ସେମାନଙ୍କୁ ବିତାଡ଼ିତ କରି ପୁନଃ ଅଧିକାର ପାଇଁ  ୧୯୯୯ ମସିହା ଜୁନ ୨ ତାରିଖ ରାତିରେ ଜାମ୍ମୁ-କାଶ୍ମୀର ରାଇଫଲ ଇନଫାଣ୍ଟ୍ରି-ବଟାଲିଅନକୁ ଦ୍ରାସ  ସେକ୍ଟରରେ ଆଦେଶ ଦିଆଗଲା । ତୋଲଲିଙ୍ଗର  ଉଚ୍ଚ ଶୃଙ୍ଗଗୁଡ଼ିକ ମଧ୍ୟରୁ ରକି-ନବ୍‌ ଅଞ୍ଚଳରୁ ଶତ୍ରୁକୁ  ହଟାଇବାକୁ ଆଦେଶ ମିଳିବା ପରେ ଭୀଷଣ ସଂଘର୍ଷ  ପରେ ଶତ୍ରୁକୁ ହଟାଇବାରେ ସକ୍ଷମ ହୋଇଥିଲେ । ଦ୍ରାସ ସେକ୍ଟର ଅଞ୍ଚଳରେ ପଏଣ୍ଟ-୫୧୪୦ ଅଞ୍ଚଳରୁ  ପାକ୍‌ ସେନା ଆମେରିକା ନିର୍ମିତ ଷ୍ଟିନଜର ମିସାଇଲ  ଦ୍ୱାରା ଭାରତୀୟ ସେନାର ହେଲିକୋପ୍ଟରକୁ ଧ୍ୱଂସ  କରିଦେଲେ, ଯେଉଁଥିରେ ଭାରତୀୟ ବାୟୁସେନାର  ଓଡ଼ିଶାର ସର୍ଜେଣ୍ଟ ରାଜକିଶୋର ସାହୁ ଅନ୍ୟ  ବାୟୁସେନା ସଦସ୍ୟଙ୍କ ସହ ସହିଦ ହୋଇଥିଲେ । ଏହି ଶୃଙ୍ଗ ଅଞ୍ଚଳକୁ ଶତ୍ରୁକବଳରୁ ମୁକ୍ତ କରିବାକୁ ଜାମ୍ମୁ  କାଶ୍ମୀର ଇନଫାଣ୍ଟ୍ରି ବଟାଲିଅନକୁ ଆଦେଶ ଦିଆଗଲା ।  କମ୍ପାନୀ କମାଣ୍ଡର ଥିଲେ କେପ୍ଟେନ ବିକ୍ରମ ବାତ୍ରା । କେପ୍ଟେନ ବିକ୍ରମ ବାତ୍ରା ତାଙ୍କ ଅଧୀନସ୍ଥ ସୈନ୍ୟମାନେ  ୧୯୯୯ ଜୁନ ୧୯ ତାରିଖ ସକାଳେ ତୋଲଲିଙ୍ଗ ଶୃଙ୍ଗର  ପଶ୍ଚାତ୍‌ଭାଗରେ ପହଞ୍ଚି ଗୁପ୍ତତା ରକ୍ଷା କରିବା ସହ  ଦିନସାରା ସେଠାରୁ ଶତ୍ରୁର ଗତିବିଧି, ଅବସ୍ଥିତି, ନିରବରେ ଅନୁଧ୍ୟାନ କଲେ । ଦିନ ଢଳିବା ପରେ  ରାତିର ଅନ୍ଧକାରରେ ଏହି ବଟାଲିଅନର ଅନ୍ୟ  ଏକ କମ୍ପାନୀ ସୈନ୍ୟବଳ ସହ ଶତ୍ରୁର ମୁକାବିଲା  ପାଇଁ ଅଗ୍ରସର ହେଲେ । କେପ୍ଟେନ ବାତ୍ରା ଏବଂ  ସାଥୀ ଯବାନମାନେ ୧୫୦୦୦ ଫୁଟ ଉଚ୍ଚ ଶୃଙ୍ଗକୁ  ଚଢ଼ିଲାବେଳେ ଆମ ଆଟିଲାରୀ ଫାୟାରିଂ ଜାରି  ରହିଲା । ଶତ୍ରୁକୁ ନତମସ୍ତକ ହୋଇ ବଙ୍କରରେ  ରହିବାକୁ ଥିଲା ଉଦ୍ଦିଷ୍ଟ । 

ବହୁ ବାଧାବିଘ୍ନ ସତ୍ତେ୍ୱ କେପ୍ଟେନ ବାତ୍ରା ଓ ତାଙ୍କ  ସହ ସୈନ୍ୟବଳ ଆଗେଇଲେ ବୀରଦର୍ପରେ, ଯଦିଓ  ଅକ୍ସିଜେନର ଘୋର ଅଭାବରେ ଶ୍ୱାସ ପ୍ରଶ୍ୱାସ ନେବା  ଥିଲା ଅତି କଷ୍ଟକର । ପ୍ରବଳ ବେଗରେ ବୋହୁଥିବା ଛାତିଥରା ଥଣ୍ଡା ପବନ, ଶତ୍ରୁର ଆଟିଲାରୀ ଗୋଳାବର୍ଷଣ  ଭିତରେ ଗୁଳିଗୋଳା, ଗ୍ରିନେଡ, ଯୁଦ୍ଧସାମଗ୍ରୀର ଭାର  ବହନ କରି ତୀକ୍ଷ୍‌ଣ ଶୃଙ୍ଗ ଚଢ଼ିବା କିଭଳି କଷ୍ଟସାଧ୍ୟ  ତାହା ସହଜରେ ଅନୁମେୟ । ବହୁ କଷ୍ଟ ସ୍ୱୀକାର  କରି କେପ୍ଟେନ ବାତ୍ରାଙ୍କ ସୈନ୍ୟବଳ ଶତ୍ରୁ ଅଧିକୃତ  ଗିରିଶୃଙ୍ଗ ନିକଟରେ ପହଞ୍ଚିବାରେ ସକ୍ଷମ ହେଲେ–  ସମୟ ଥିଲା ରାତି ୩ଟା ୧୫ ମିନିଟ୍‌ । ସେହି ଶିଖରରେ  ପାକିସ୍ତାନୀଙ୍କର ଥିଲା ଦୁଇଟି ବଙ୍କର ଓ ପୂର୍ବପାଶ୍ୱର୍ରେ  ଥିଲା ୫ଟି ବଙ୍କର । କେପ୍ଟେନ ବାତ୍ରାଙ୍କ ଅନ୍ୟ ସାଥୀ  କମ୍ପାନୀ କମାଣ୍ଡର ଥିଲେ କେପ୍ଟେନ ଜମୱାଲ ।  କେପ୍ଟେନ ଜମୱାଲ ପଏଣ୍ଟ-୫୧୪୦ ଶୃଙ୍ଗର ବାମପାଶ୍ୱର୍ରୁ  ଶତ୍ରୁ ଉପରକୁ ଆକ୍ରମଣ କଲେ । ପାକିସ୍ତାନୀ ସେନା  ଚତୁରତାର ସହ କେପ୍ଟେନ ବାତ୍ରାଙ୍କ ଓୟାରଲେସ୍‌  ଫ୍ରିକ୍ୱେନ୍ସି ତାଙ୍କ ଛଦ୍ମନାମ ‘ଶେରସାହ’ ବ୍ୟବହାର କରି  ଧମକ ଦେବାକୁ ଲାଗିଲେ । ମାତ୍ର କେପ୍ଟେନ ବାତ୍ରା ଆର୍ମି  ବ୍ୟବହୃତ ସ୍ଲାଙ୍ଗ ବ୍ୟବହାର କରି ପ୍ରତ୍ୟୁତ୍ତର ଦେବା  ଫଳରେ ପାକିସ୍ତାନୀ ସେନା ହୋଇଥିଲେ ନିରବ ତଥା  ନିରୁତ୍ସାହିତ। କେପ୍ଟେନ ବାତ୍ରା ଓ ତାଙ୍କ ଅଧୀନରେ  ଥିବା ସୈନ୍ୟବଳ ଶତ୍ରୁର ବଙ୍କରଗୁଡ଼ିକ ଉପରକୁ ୩ଟି  ରକେଟ ଫାୟାରିଂ କରିବାରୁ ୬ଜଣ ପାକିସ୍ତାନୀ ସୈନ୍ୟ  ନିହତ ହେଲେ । 

ପଏଣ୍ଟ-୫୧୪୦ ପାକିସ୍ତାନୀଙ୍କ କବଳରୁ  ମୁକ୍ତ ହେବାପରେ ଯୁଦ୍ଧର ଗତି ଏକ ଭିନ୍ନ  ମୋଡ଼ ନେଇଥିଲା । ସଫଳତା ହାସଲ  ପରେ ଯୁଦ୍ଧଭୂମିରେ ଟିଭି ରିପୋର୍ଟର  ବରଖା ଦତ୍ତଙ୍କ ଦ୍ୱାରା କେପ୍ଟେନ ବାତ୍ରାଙ୍କ  ସାକ୍ଷାତକାର ଟିଭି ପରଦାରେ ଲାଇଭ୍‌  ପ୍ରଦର୍ଶିତ ହୋଇ ସାରାଦେଶରେ ସୃଷ୍ଟି କରିଥିଲା  ଏକ ଅପୂର୍ବ ଉନ୍ମାଦନା । ଧ୍ୱସ୍ତବିଧ୍ୱସ୍ତ ଯୁଦ୍ଧଭୂମିରୁ  କେପ୍ଟେନ ବାତ୍ରାଙ୍କୁ ଟିଭି ରିପୋର୍ଟର ପ୍ରଶ୍ନ କରିଥିଲେବିଜୟ ହାସଲ ପରେ କ’ଣ ଅନୁଭବ କରୁଛନ୍ତି ଓ  ଭବିଷ୍ୟତରେ କ’ଣ ଚାହାଁନ୍ତି? ଉତ୍ତରରେ ଏହି ବୀର  କେପ୍ଟେନ ବିକ୍ରମ ବାତ୍ରା ତତ୍‌କ୍ଷଣାତ୍‌ କହିଥିଲେ ‘ୟେ  ଦିଲ୍‌ ମାଙ୍ଗେ ମୋର୍‌’ । 

ମୁଶକୋହ ଉପତ୍ୟକାରେ ପଏଣ୍ଟ-୪୮୭୫ ଗିରିଶୃଙ୍ଗ  ସାମରିକ ଦୃଷ୍ଟିରୁ ଥିଲା ଅତି ଗୁରୁତ୍ୱପୂର୍ଣ୍ଣ । ଶତ୍ରୁ  କବଳରୁ ମୁକ୍ତ କରିବା ଥିଲା ଜରୁରି ଓ ସେଥିପାଇଁ  କେପ୍ଟେନ ବିକ୍ରମ ବାତ୍ରାଙ୍କୁ ଆଦେଶ ଦିଆଗଲା  ୧୯୯୯ ମସିହା ଜୁନ ୩୦ ତାରିଖ ଦିନ । ଜୁଲାଇ ୨  ଓ ୩ ତାରିଖରେ ଭାରତୀୟ ସେନା ଏହି ଶୃଙ୍ଗର  ୧୫୦୦ ମିଟର ତଳେ ଯୁଦ୍ଧ ସରଞ୍ଜାମ ପହଞ୍ଚାଇବାରେ  ଲାଗିଲେ । ଜୁଲାଇ ୪ ତାରିଖ ସନ୍ଧ୍ୟାରେ ଭାରତୀୟ ସେନାର ବୋଫର୍ସ ଗନ୍‌, ମଲ୍‌ଟି ବେରେଲ  ରକେଟଗୁଡ଼ିକରୁ ଗୋଳା ବର୍ଷଣ ଆରମ୍ଭ କଲେ ଏବଂ  ରାତିର ଘନ ଅନ୍ଧକାରରେ ଆମ ଯବାନମାନେ ଆଗେଇ  ଯାଇଥିଲେ ସଂକଳ୍ପ ସାଧନ ନିମନ୍ତେ । ଅତି ତୀକ୍ଷ୍‌ଣ,  ପଥୁରିଆ ଅଞ୍ଚଳ ସହ ପାଗ ଅତ୍ୟଧିକ ଥଣ୍ଡା ଥିବାରୁ  ଗୋଟିଏ ପାଦ ଆଗକୁ ବଢ଼ାଇବା ଖୁବ୍‌ କଷ୍ଟକର ଥିଲେ  ମଧ୍ୟ ଆମ ବାହାଦୁର ସୈନିକ ଭ୍ରୂକ୍ଷେପ କରିନଥିଲେ । 

ଶତ୍ରୁର ୨୦୦ ମିଟର ନିକଟରେ ପହଞ୍ଚିବା ପରେ  ଆମ ସେନା ଉପରକୁ ସେମାନେ ଅଟୋମେଟିକ୍ସରୁ  ଗୁଳିବର୍ଷଣ ଆରମ୍ଭ କରିଦେଲେ । ଲାଗିଯାଇଥିଲା  ଘମାଘୋଟ ସଂଘର୍ଷ । ବହୁ କଷ୍ଟ ସ୍ୱୀକାର କରି ଏହି  ପଏଣ୍ଟ-୪୮୭୫କୁ ଜୁଲାଇ ୫ ତାରିଖରେ ଅଧିକାର  କରିବାରେ ଆମେ ହୋଇଥିଲୁ ସକ୍ଷମ । ମାତ୍ର ଜୁଲାଇ  ୬ ତାରିଖ ରାତିରେ ପାକିସ୍ତାନୀ ସେନା କାଉଣ୍ଟର ଏଟାକ୍‌  ଜାରି ରଖିଲା । ୭ ତାରିଖ ସକାଳେ ଏହାର ମୁକାବିଲା  ପାଇଁ କେପ୍ଟେନ ବିକ୍ରମ ବାତ୍ରା ଶତ୍ରୁର ଗୁଳିବର୍ଷଣ ସତ୍ତେ୍ୱ  ସାହସର ସହ ବୀରଦର୍ପରେ ଆଗେଇ ଯାଇଥିଲେ । ଅତି  ଚତୁରତାର ସହ ଶତ୍ରୁର ଖୁବ୍‌ ନିକଟରେ ପହଞ୍ଚି ଚକିତ  କରି ଗୁଳିବର୍ଷଣ ଦ୍ୱାରା ୫ଜଣ ପାକିସ୍ତାନୀ ସୈନ୍ୟଙ୍କୁ  ନିହତ କରିବାରେ ହୋଇଥିଲେ ସମର୍ଥ । ପାକିସ୍ତାନୀ  ସେନାର ଏକ ସ୍ନାଇପର ଅଟୋମେଟିକ୍ସରୁ ନିର୍ଗତ ଗୁଳି  ତାଙ୍କ ଛାତି ଭେଦ କଲା ଓ ଭାରତ ମାତାର ବୀର ସନ୍ତାନ  କେପ୍ଟେନ ବିକ୍ରମ ବାତ୍ରା ଟଳିପଡ଼ିଲେ³ ମାତ୍ର ପଏଣ୍ଟ- ୪୮୭୫ ସଂପୂର୍ଣ୍ଣ ବିଜୟ ହାସଲ କରିବା ପରେ । 

କାରଗିଲ ଯୁଦ୍ଧରେ ଶତ୍ରୁ ସମ୍ମୁଖରେ ଅପୂର୍ବ ବୀରତ୍ୱ  ପ୍ରଦର୍ଶନ ପାଇଁ ସୈନିକର ସର୍ବୋଚ୍ଚ ସମ୍ମାନ  ‘ପରମବୀର ଚକ୍ର’ରେ କେପ୍ଟେନ ବିକ୍ରମ ବାତ୍ରାଙ୍କୁ  (ମରଣୋତ୍ତର) ଭୂଷିତ କରିଥିଲେ ଭାରତର  ରାଷ୍ଟ୍ରପତି ଶ୍ରୀଯୁକ୍ତ କେ. ଆର. ନାରାୟଣନ ।  ଯୁଦ୍ଧଭୂମିରେ ବୀରଗତି ପ୍ରାପ୍ତ ହୋଇ କେପ୍ଟେନ ବାତ୍ରା  ପାଳନ କରିଥିଲେ ସୈନିକର ପରମ ଧର୍ମ । ତାଙ୍କର  ବୀରତ୍ୱ ଓ ବଳିଦାନ ଭାରତୀୟ ସେନାର ଗର୍ବ ଓ  ଗୌରବ । ଭାରତର ସାମରିକ ଇତିହାସରେ ସେ  ଏକ ଜ୍ୱଳନ୍ତ ତାରକା, ଭାରତ ମାତାର ସୁଯୋଗ୍ୟ  ବୀର ସନ୍ତାନ ।