ପ୍ରମୂଖ ଖବର
  • ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍ : ୨୫% ଶୁଳ୍କ ସହ ଜରିମାନା ଲଗାଇଲା ଆମେରିକା, ୧ ଅଗଷ୍ଟରୁ ହେବ ଲାଗୁ
  • ||
  • ଗଲୱାନର ଚାରବାଗ ଅଞ୍ଚଳରେ ସେନା ଗାଡ଼ି ଉପରେ ଖସିଲା ପଥର; ୨ ଅଧିକାରୀ ସହିଦ, ୩ ଗୁରୁତର
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଗିରଫ
  • ||
  • ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ||
  • ନଦୀରେ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କନ୍ଧମାଳ : ସାପ କାମୁଡ଼ାରେ ଚାଲିଗଲା ୨ ଜଣଙ୍କ ଜୀବନ
  • ||
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ଓଦା ଆଖି, ବଦ୍ଧମୁଷ୍ଟି : ଭାରତୀୟ ଅମଲାତନ୍ତ୍ର

Published By : Rasmita Pradhan | July 30, 2025 10:39 AM

ଅପରାହ୍ଣ ଚାରିଟା ବେଳେ ସେକ୍ରେଟାରୀ ଡାକିଲେ ଓ ମତେ ସାଙ୍ଗରେ ନେଇ ଗଲେ ମନ୍ତ୍ରୀଙ୍କ କୋଠରିକୁ । ପ୍ରତାପୀ ମନ୍ତ୍ରୀ, ପୁଣି କଥା କଥାକେ ନିଆଁବାଣ । ବସିବାକୁ ଇଙ୍ଗିତ ଦେଲେ ମନ୍ତ୍ରୀଜୀ । ଦେଶମୁଖଜୀ ବସିଲେ, ମୁଁ ବସିବାକୁ ଗଲାବେଳକୁ ମନ୍ତ୍ରୀଜୀ କହିଲେ: ରୁହ, ତୁମେ କିଏ? ମୁଁ ତୁମକୁ ବସିବାକୁ କହିନି ।

ଲୋକସମାଜରେ ଉଭୟ ନିର୍ବାଚିତ ଲୋକପ୍ରତିନିଧି ଓ ବିବିଧ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମନୋନୀତ ଅଧିକାରୀ (ଲୋକସେବକ/ ପବ୍ଲିକ ସର୍ଭେଣ୍ଟ) ନିନ୍ଦିତ । ଗଣତନ୍ତ୍ରରେ ଇଏ ଏକ ଅନ୍ତର୍ଘାତ । ନାଗରିକ ଯଦି ସହଜ ଶରବ୍ୟ ଖୋଜନ୍ତି, ତେବେ ଗଣତନ୍ତ୍ରରେ ଲୋକସେବକ ଆଖିସାମ୍ନାରେ ମିଳିଯିବେ । ଯାହାକୁ ଆପଣ ଏତେ ହୀନଦୃଷ୍ଟିରେ ଦେଖି କଥାକଥାକେ ନିନ୍ଦୁଚନ୍ତି, ତାର କଷ୍ଟ, ଅପମାନ ଓ ଜୀବନ ସଂଗ୍ରାମ ବିଷୟରେ ଆପଣ କିଛି ଜାଣିନାହାଁନ୍ତି । ପ୍ରତିସ୍ତରରେ ତାକୁ ଲଢ଼ିବାକୁ ପଡ଼େ, କିନ୍ତୁ ସେ ଲାଗିରହେ, କାରଣ ସେଇ ଚାକିରି ଖଣ୍ଡକ ତାକୁ ବଞ୍ଚାଏ । ସମସ୍ତେ ଚୋରି କରନ୍ତିନାହିଁ କି ଭ୍ରଷ୍ଟାଚାରୀ ନୁହଁନ୍ତି, ବଡ଼ରୁ ବଡ଼ ଲୋକସେବକ ବି ପେନସନ ଗଣ୍ଡାକରେ ଜୀବନ ନିର୍ବାହ କରନ୍ତି । ହୁଏତ ପାରାଭାଡ଼ିଟିଏ କିଣିଛନ୍ତି, ଋଣ ଆହୁରି ଶୁଝିନି । ପିଲାମାନେ କିଛି ହେଲେ ବା ନହେଲେ କି ଫରକ ପଡୁଚି? ଏକଦା ମହାଶକ୍ତିଶାଳୀ ଟାଣୁଆ ଅମଲା କହୁଚନ୍ତି ଏକା ବେକାର ସାନପୁଅଟି ତାଙ୍କ କଥା ବୁଝେ, ସିଏ କୁଆଡ଼େ ଜାଣିଶୁଣି ଚାକିରି କରୁନି, କାରଣ ତା’ ବିନା ବାପା ମାଆ ଦୁହେଁ ଅଚଳ । 

ଅଧିକାଂଶ ଅମଲାଙ୍କ ଦୃଷ୍ଟି ପିଲାଙ୍କ ଶିକ୍ଷା ଉପରେ । ଏ ଯୋଉ ଉଦ୍‌ବାର୍ଯ୍ୟ ବାଳୁଙ୍ଗା ଟୋକା ବାପ ପ୍ରତିପତ୍ତିରେ ବାଉଳା ହୁଅନ୍ତି, ତାଙ୍କ ସଂଖ୍ୟା କମ୍‌, କିନ୍ତୁ ବାପକୁ ବଦନାମ କରିବା ପାଇଁ ଯଥେଷ୍ଟ । ପ୍ରକୃତରେ ଅଯଥାରେ ନିନ୍ଦିତ ଅମଲା ଶ୍ରେଣୀ, ଅଳ୍ପ କିଛି ଉତ୍ପାତିଆଙ୍କ ପାଇଁ କଳଙ୍କିତ । ଆମ ସରକାରଙ୍କ ଅମଲାମାନେ ମୁହଁଖୋଲି କିଛି କହନ୍ତି ନାହିଁ, କାରଣ ସେମାନେ ଖୋଲିକି ନିଜକୁ ବ୍ୟକ୍ତ କରିବାରେ ଆଚାର ସଂହିତାର ପ୍ରତିବନ୍ଧ ଅଛି । ସେମାନେ ଅଯଥା ଆକ୍ରୋଶ ସହିଯାନ୍ତି । ବେଳ ଆସେ ଯେତେବେଳେ ସେମାନେ କିଛିକୁ ଭ୍ରୂକ୍ଷେପ କରନ୍ତି ନାହିଁ । କଥା ମାନନ୍ତି ନାହିଁ, ମନମାନି କରନ୍ତି । ଧୀରେ ଧୀରେ ଯୁବ ଅମଲାଟିଏ ସବୁ ଜାଣିଥିବା ପ୍ରାଜ୍ଞପୁରୁଷଟିଏ ହୋଇଯାଏ । କିରାଣି ବଡ଼ବାବୁ ହୁଏ, ଆହୁରି ଉପରକୁ ବି ଯାଏ । ଯୁବ ଲୋକସେବକ ସର୍ବୋଚ୍ଚ ଆସନରେ ବସେ । ୟାଙ୍କ ଭିତରେ ଭ୍ରଷ୍ଟାଚାରୀ ଖୁବ୍‌ କମ୍‌ । ଏକଦା ବିଲ୍‌କୁଲ୍‌ ନଥିଲେ । ଭ୍ରଷ୍ଟାଚାର କରି କୋଠାବାଡ଼ି କରିଥିବା, ବିଡ଼ା ବିଡ଼ା ଟଙ୍କା ଲୁଚେଇଥିବା ଅମଲାଙ୍କ ସଂଖ୍ୟା ବହୁତ କମ୍‌ । ଯଦି ସବୁ ଅମଲା ଏମିତି ହୋଇଥାନ୍ତେ, ତେବେ ବ୍ୟବସ୍ଥା ନଥାନ୍ତା । ସେହିଭଳି, ସବୁ ରାଜନେତା ଭ୍ରଷ୍ଟାଚାରୀ ନୁହଁନ୍ତି । ସମସ୍ତେ ଭ୍ରଷ୍ଟାଚାର କରୁଥିଲେ ଗଣତନ୍ତ୍ର ନଥାନ୍ତା । ସର୍ବୋଚ୍ଚ ସ୍ତରରେ ୟାର ପରୀକ୍ଷା । କେନ୍ଦ୍ର ଶ୍ରମ ମନ୍ତ୍ରାଳୟରେ ଜଣେ ଡେପୁଟି ସେକ୍ରେଟାରୀ ଭାବରେ ଯୋଗ ଦେଲାବେଳକୁ ମୋର ବୟସ ୩୪, ମୁଁ ଶ୍ରୀନଗରରୁ ଆସିଲି ଦିଲ୍ଲୀ । 

ସେତେବେଳକୁ ଶ୍ରୀମତୀ ଗାନ୍ଧୀ ପ୍ରଧାନମନ୍ତ୍ରୀ, ଶ୍ରମ ମନ୍ତ୍ରୀ ଶ୍ରୀ ଭାଗବତ ଝା ଆଜାଦ ଓ ଶ୍ରମ ସଚିବ ଶ୍ରୀ ଭାଲଚନ୍ଦ୍ର ଗୋପାଲ ଦେଶମୁଖ । ଆଜାଦଜୀ ଥିଲେ ଜଣେ ବିହାରନିବାସୀ ସ୍ୱାଧୀନତା ସଂଗ୍ରାମୀ, ଜଣେ ଉଚ୍ଚକୋଟୀର ସାହିତ୍ୟିକ, କିନ୍ତୁ ଜଣେ ଅତି କଠୋର ବ୍ୟକ୍ତି । ଶ୍ରୀ ଦେଶମୁଖ ଥିଲେ ମହାରାଷ୍ଟ୍ର କ୍ୟାଡରର ଜଣେ ବିଚକ୍ଷଣ ଆଇ.ଏ.ଏସ. ଅଫିସର । ମନ୍ତ୍ରାଳୟ (ଶ୍ରମଶକ୍ତି ଭବନ)ରେ ମୋର ପ୍ରଥମ ଦିନ ଥିଲା ବଡ଼ ବିପଜ୍ଜନକ, କିନ୍ତୁ ସ୍ମରଣୀୟ । ଠିକ୍‌ ଦିନ ଏଗାରଟା ବେଳେ ମୁଁ ଶ୍ରୀ ଦେଶମୁଖଙ୍କ ସମ୍ମୁଖରେ । ସେତେବେଳକୁ ଜଣେ ଜଏଣ୍ଟ ସେକ୍ରେଟାରୀ ସେଠି ଥିଲେ । ମତେ ବସିବାକୁ କହି ଦେଶମୁଖଜୀ ଜଏଣ୍ଟ ସେକ୍ରେଟାରୀଙ୍କ ଫାଇଲ ପଢ଼ିଲେ ପ୍ରାୟ ଘଣ୍ଟାଏ । ପଢ଼ିସାରି ପଚାରିଲେ: ତମର କ’ଣ ଷ୍ଟେନୋ-ସେକ୍ରେଟାରୀ ନାହାଁନ୍ତି, ହାତରେ ଲେଖିଚ ତିରିଶ ପୃଷ୍ଠା? ଥତମତ ହୋଇ ଜଏଣ୍ଟ ସେକ୍ରେଟାରୀ କହିଲେ: ମୁଁ ମୋ ହାତରେ ନୋଟ୍‌ ଲେଖେ ସାର୍‌ ଓ ନିଜ ଆଙ୍ଗୁଠିରେ ନେସି ହେଇଥିବା ନୀଳ ସ୍ୟାହିକୁ ଚାହିଁଲେ । ତା’ପରେ ସେ ଦୁଇଟି ବାକ୍ୟରେ କହିଲେ ଯାହା ଲେଖିଥିଲେ । ଦେଶମୁଖଜୀ କହିଲେ: ସେତିକି ଲେଖ, ଯେଉଁ ସୁନ୍ଦର ଭାଷାରେ ତମେ ଲେଖିଚ, ବେଢଙ୍ଗିଆ ଭାଷାରେ ସେଇସବୁ କଥା ତୁମ କିରାଣି, ସେକ୍ସନ ଅଫିସର ଲେଖିସାରିଚନ୍ତି, ତୁମର କାମ ଚିନ୍ତାକରି ଏକ ନିଷ୍କର୍ଷ ଓ ବିକଳ୍ପ ମତେ ଜଣାଇବ । ମୂଲ୍ୟବାନ ସମୟ ତମ ଉପନ୍ୟାସ ରଚନାରେ ନଷ୍ଟ କରନା । ମୁଁ ଜାଣିଗଲି ତମେ ହାତରେ ଲେଖିପାର, କିନ୍ତୁ ସରକାର ଗୁଡ଼େ ସହାୟକ ଦେଲେ କାହିଁକି? 

ଜଏଣ୍ଟ ସେକ୍ରେଟାରୀ ସେତେବେଳକୁ ଗମ୍ଭୀର ଓ ବିଷଣ୍ଣ । ଏତେବେଳେ ଯାଇ ସେକ୍ରେଟାରୀ ମତେ ଚାହିଁଲେ ଓ କହିଲେ- ତମେ ଲେବର ୱେଲଫେଆର ଡିଭିଜନରେ ରହିବ । ଯାଅ ଲାଉଞ୍ଜରେ ରାମାନୁଜନ ଓ କୁଲକାର୍ଣ୍ଣିଙ୍କର କ’ଣ ସମସ୍ୟା ବୁଝ, ମତେ ରିପୋର୍ଟ କର । ମନେରଖ, ଶ୍ରମିକ ନେତାମାନେ ଉଚ୍ଚକୋଟୀର ବ୍ୟକ୍ତି, ଆମର ସମ୍ମାନର ପାତ୍ର । ଏଇ ସେଇ ରାମାନୁଜନ ଯିଏ ସେତେବେଳେ ଆଇ.ଏନ.ଟି.ୟୁ.ସି.ର ଅଧ୍ୟକ୍ଷ ଥିଲେ ଓ କିଛି ବର୍ଷ ପରେ ଓଡ଼ିଶାର ଗଭର୍ଣ୍ଣର ହେଲେ । ମୁଁ ଉଠିବାକୁ ଯାଉଚି, ଝଡ଼ ଭଳି ପଶିଆସିଲେ ଶ୍ରୀ ଭେଙ୍କଟରମଣୀ, କହିଲେ: ମୁଁ ଭାବୁଚି ଆପଣଙ୍କ ନିଷ୍ପତ୍ତି ଉପରେ ଆପଣ ପୁନର୍ବିଚାର କରିବା ଉଚିତ । ଦେଶମୁଖଜୀ କହିଲେ: ଲିଭ ଦ ଫାଇଲ ଓ ପଚାରିଲେ: ପୁଅ କେମିତି ଅଛି? ଭେଙ୍କଟରମଣୀ ଟିକେ ହସିଲେ, ଆଖିରେ ଲୁହ ଭରିଗଲା ଓ ସେ ଉତ୍ତର ନଦେଇ ଚାଲିଗଲେ । ଏଇ ଭେଙ୍କଟରମଣୀ ତାଙ୍କ ବ୍ୟାଚର ଟପ୍ପର ଓ ବିଚକ୍ଷଣ, ତାଙ୍କର ଏକମାତ୍ର ସନ୍ତାନ ଆଜନ୍ମ ବ୍ୟାଧିଗ୍ରସ୍ତ । ନିଜେ ରୋଷେଇ କରି ସମସ୍ତଙ୍କୁ ଖୁଆଇ ଅଫିସ ଆସନ୍ତି । ନିର୍ଭୀକ, ସଚ୍ଚୋଟ ଏବଂ ସ୍ୱାବଲମ୍ବୀ । ରାମାନୁଜନଜୀ ମତେ ଚାହିଁଲେବି ନାହିଁ । କହିଲେ: ସେକ୍ରେଟାରୀଙ୍କ ସାଙ୍ଗେ କଥା ଅଛି । ମୁଁ ମୋ ଅଫିସକୁ ଆସିଲା ବେଳକୁ ମତେ ଅପେକ୍ଷା କରି ବସିଥିଲେ ଶ୍ରୀ ରାମକୃଷ୍ଣ ଦାସ, ନବନିଯୁକ୍ତ ଅଣ୍ଡର ସେକ୍ରେଟାରୀ । ସେ କହିବାକୁ ଆସିଥିଲେ ସେ ଚାକିରି ଛାଡ଼ିଦେବେ, କାରଣ ତାଙ୍କୁ କୌଣସି ଡିଭିଜନ ଗ୍ରହଣ କରୁନାହାଁନ୍ତି । ଏଠି ମାସେ ତ ସେଠି ଦି’ମାସ । ସେ କାମ କରନ୍ତିନି, ଶୁଅନ୍ତି, ସମୟ ଆଗରୁ ଘରକୁ ପଳାନ୍ତି । ମୁଁ ତାଙ୍କୁ ତାଙ୍କର ପରିବାର ଓ ପାଠ ବିଷୟରେ ପଚାରିଲି, ସେ ଚୁପ୍‌ ହେଇଗଲେ । ତା’ପରେ ରହି ରହି କହିଲେ ତାଙ୍କ ଜୀବନ କଥା । ଘର ପୂର୍ବବଙ୍ଗ, ସବୁ ହରାଇ ଆସିଥିଲେ ଭାରତ । କଲିକତା ପ୍ରେସିଡେନ୍‌ସି କଲେଜରୁ ଇଂରାଜୀ ସ୍ନାତକୋତ୍ତର ପ୍ରଥମ ଶ୍ରେଣୀ, ପରୀକ୍ଷା ଦେଇ ପଶିଗଲେ ସେଣ୍ଟ୍ରାଲ ସେକ୍ରେଟାରୀଏଟ ସର୍ଭିସରେ । ଅଣ୍ଡର ସେକ୍ରେଟାରୀ ହେଲେ । କିଛିବର୍ଷ ତଳେ ଘଟିଲା ଭୟଙ୍କର ଘଟଣା । 

ଚବିଶ ବର୍ଷର ପୁଅ ହଠାତ୍‌ ଭୁଲ୍‌ ଚିକିତ୍ସା ଯୋଗୁଁ ଚାଲିଗଲା । ସାନ ଝିଅଟିଏ, ବାପା ଆଉ ମାଆ ଚିତ୍ତରଞ୍ଜନ ପାର୍କ ଘରେ ଦିନରାତି କାନ୍ଦିଲେ ବିକଳ ହେଇ । କାହାକୁ କିଛି କହିଲେନାହିଁ, ଅଫିସ ଆସିଲେ କେବଳ ଦରମା ଗଣ୍ଡେ ପାଇଁ । ରୋଷେଇ ହୁଏନି, ଖାଲିପେଟରେ ଆସନ୍ତି, କଅଣ ୟାଡୁ ସ୍ୟାଡୁ ଖାଇଦିଅନ୍ତି, ଶୋଇପଡ଼ନ୍ତି । ତାଗିଦ ଓ ଗାଳି ସହନ୍ତି । ପରଦିନ ପୁଣି ସେଇଆ । ଏମିତି କଟିଲାଣି ଚାରିବର୍ଷ । ଏବେ ପଚାଶବର୍ଷିଆ ରିଭ୍ୟୁରେ ସେ ବରଖାସ୍ତ ହେବାର ଦ୍ୱାରଦେଶରେ । ମୁଁ ତାଙ୍କୁ କହିଲି: ଅଫିସ ସାରିଲେ, ମୁଁ ଯିବି ଆପଣଙ୍କ ଘରକୁ । ସେ କୁଣ୍ଠିତ ହେଲେ, କିନ୍ତୁ ମୁଁ ତାଙ୍କୁ ବାଧ୍ୟକରି ବସେଇଲି । ଅପରାହ୍ଣ ଚାରିଟା ବେଳେ ସେକ୍ରେଟାରୀ ଡାକିଲେ ଓ ମତେ ସାଙ୍ଗରେ ନେଇ ଗଲେ ମନ୍ତ୍ରୀଙ୍କ କୋଠରିକୁ । ପ୍ରତାପୀ ମନ୍ତ୍ରୀ, ପୁଣି କଥା କଥାକେ ନିଆଁବାଣ । ବସିବାକୁ ଇଙ୍ଗିତ ଦେଲେ ମନ୍ତ୍ରୀଜୀ । ଦେଶମୁଖଜୀ ବସିଲେ, ମୁଁ ବସିବାକୁ ଗଲାବେଳକୁ ମନ୍ତ୍ରୀଜୀ କହିଲେ: ରୁହ, ତୁମେ କିଏ? ମୁଁ ତୁମକୁ ବସିବାକୁ କହିନି । ଦେଶମୁଖଜୀ କହିଲେ: ଇଏ ଆମ ଲେବର ୱେଲଫେୟାର ଡିଭିଜନର ନୂଆ ଡେପୁଟି ସେକ୍ରେଟାରୀ । ବସିବାର ଆଦେଶ ମିଳିଲା, ତା’ପରେ ମନ୍ତ୍ରୀଜୀ ସହଜ ହେଇ ଗପିଲେ । ମୁଁ ବି ଗପ ଶୁଣିଲି । ହଠାତ୍‌ ସେ ଅଗ୍ନିଶର୍ମା ହେଇ ମତେ ପଚାରିଲେ: କଲମ କାଇଁ? ମୁଁ ଏତେ କଥା କହୁଚି ନୋଟ୍‌ କରୁନ? ତମକୁ ସବୁ ଜଣା? ଦେଶମୁଖଜୀ ହସିଲେ, କହିଲେ: ଓଃ ତା’ କଲମଟା ମୁଁ ମାଗିନେଇଥିଲି, ନିଅ ଦାସ ତମ କଲମ ନିଅ, ମନ୍ତ୍ରୀ ଯାହା କହୁଚନ୍ତି ନୋଟ୍‌ କର, ମନ୍ତ୍ରୀଙ୍କ ପାଖକୁ ଆସିବା ଆଗରୁ ପକେଟରେ କଲମ ଦେଖିନେବ ଏଣିକି । କଲମଟି ଥିଲା ଦେଶମୁଖଜୀଙ୍କର, ଗୋଲଡକ୍ୟାପ୍‌ ପାର୍କର ୫୧ । ମୁଁ ୟାଡୁସ୍ୟାଡୁ କଣ ସବୁ ନୋଟ୍‌ କଲି । ମନ୍ତ୍ରୀଜୀ ସହାସ୍ୟ କରମର୍ଦ୍ଦନ କଲେ ଓ କହିଲେ: ମୁଁ ଟିକେ କଡ଼ା ଲୋକ, କାମ ଚାହେଁ । ମୁଁ ଓ ଦେଶମୁଖଜୀ ତାଙ୍କ କୋଠରିକୁ ଆସିଲୁ । ମୁଁ ପକେଟରୁ ତାଙ୍କ କଲମଟି ବାହାର କରି ଟେବଲ ଉପରେ ଥୋଇଲି । କହିଲେ: ଥାଉ ଆଜିଠୁ ଏ କଲମ ତମର, ସବୁବେଳେ ଥିବ ପକେଟରେ ଯେମିତି! କହିଲେ ଓ ହସିଲେ । ସେ କଲମ ଏବେବି ଅଛି ମୋ ପାଖରେ । ମୁଁ ତାଙ୍କ କୋଠରିରୁ ବିଦାୟ ନେବା ପୂର୍ବରୁ ସେ କହିଲେ: ଆଜି ପ୍ରଥମ ଦିନ, ପ୍ରଥମ ଦିନରେ ତିନିଟି ଶିକ୍ଷା- ୧) ଆବଶ୍ୟକ ଯେତିକି, ସେତିକି ଲେଖିବ, ୨) ମନ୍ତ୍ରୀ ବା ରାଜନେତାଙ୍କୁ ଛୋଟ ଭାବିବ ନାହିଁ ଏବଂ ୩) ବିନା କରୁଣାରେ ପ୍ରଶାସନ ଅଚଳ । ମୋର ମନେ ପଡ଼ିଗଲେ ମୋ କୋଠରିରେ ଅପେକ୍ଷା କରିଥିବା ରାମକୃଷ୍ଣ ଦାସ, ଅଣ୍ଡର ସେକ୍ରେଟାରୀ । ତାଙ୍କୁ ସାଙ୍ଗରେ ନେଇ ବାହାରିଲି ଚିତ୍ତରଞ୍ଜନ ପାର୍କ । ମୋ କାର୍‌ ଖଣ୍ଡକ ପ୍ରଗତି ବିହାର ପାର୍କିଙ୍ଗରେ ଥାଏ । ଅଫିସ୍‌ ଯିବା ଆସିବା ପାଇଁ ନିଜ ଗାଡ଼ି ବ୍ୟବହାର କରିବା ସମ୍ଭବ ନଥିଲା । ୪୩୦ ନମ୍ବର ବସ୍‌ ଆସୁଥିଲା ପ୍ରଗତି ବିହାର କ୍ୟାମ୍ପସକୁ । ସେଇ ବସ୍‌ ଆମକୁ ପହଞ୍ଚାଇ ଦିଏ ପାର୍ଲାମେଣ୍ଟ ଷ୍ଟ୍ରୀଟ୍‌ । କାର୍‌ ନଥିଲା, ଟାକ୍ସି ଅନ୍ତତଃ ପାଞ୍ଚଶହ, ତେଣୁ ଆମେ ଚିତ୍ତରଞ୍ଜନ ପାର୍କ ଅଭିମୁଖୀ ବସ୍‌ରେ ଯାଇ ପହଞ୍ଚିଗଲୁ ରାମକୃଷ୍ଣଙ୍କ ଘରେ । ଆରମ୍ଭ ହେଇଗଲା କାନ୍ଦ । ମୁଁ ସମ୍ଭାଳିଲି କିଛି ସମୟ, ତା’ପରେ ମୁଁ ବି କାନ୍ଦିଲି । ଆମେ ସମସ୍ତେ କାନ୍ଦିଲୁ କେତେ ସମୟ ଖିଆଲ ନଥିଲା, ସୌଜନ୍ୟ, ଖାତିର କିଛି ନଥିଲା, ଥିଲା କେବଳ ବିଷାଦ । ମୋ ପଛରେ କାନ୍ଦି କାନ୍ଦି ଆସିଲେ ରାମକୃଷ୍ଣ । 

କହିଲେ: ଆର ସୋମବାର ପାର୍ଲାମେଣ୍ଟ ଅଛି, ତାରାଙ୍କିତ ପ୍ରଶ୍ନ ଗୁଡ଼ିଏ, ଆପଣଙ୍କ ଟେବଲକୁ ପହଞ୍ଚିଯିବ, ବିଳମ୍ବ ହେଇଯାଇଚି, ଆଉ ହବନି । ତା’ ଆରଦିନ ସକାଳକୁ କାଗଜ ପ୍ରସ୍ତୁତ, ରାମକୃଷ୍ଣ କାମରେ ଲାଗିଚନ୍ତି । ମୁଁ କିଛି କହିଲି ନାହିଁ, କେବଳ ବିସ୍ମିତ ହୋଇ ଲକ୍ଷ୍ୟକଲି ତାଙ୍କର ପରିବର୍ତ୍ତନ । ଦୁଇବର୍ଷ ଭିତରେ ସେ ହୋଇଗଲେ ସମସ୍ତେ ଚାହୁଁଥିବା ଧୁରନ୍ଧର ଅଫିସର । ଦେଶମୁଖଜୀ ମତେ ପଚାରିଲେ- ଏମିତି କେମିତି ହେଲା । ମୁଁ କହିଲି ଜାଣେନାହିଁ, ଭାବୁଚି ସେ ତାଙ୍କ କର୍ମକ୍ଷେତ୍ର ସହିତ ଗୋଟେ ଆବେଗିକ ସମ୍ପର୍କ ହଠାତ୍‌ ପାଇଗଲେ । ଦେଶମୁଖଜୀ କ୍ୟାବିନେଟ ସେକ୍ରେଟାରୀ ହେଲେ ଓ ଅଳ୍ପଦିନ ଭିତରେ ରାମକୃଷ୍ଣ ଡେପୁଟି ସେକ୍ରେଟାରୀ ହୋଇ ବସିଲେ କ୍ୟାବିନେଟ ସେକ୍ରେଟାରୀଏଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଜାଗାରେ । ଭାଲଚନ୍ଦ୍ର ଗୋପାଲ ଦେଶମୁଖ, ମୋର ସିଭିଲ ସର୍ଭିସ ଜୀବନର ସବୁଠୁ ରହସ୍ୟମୟ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ୱ । ସର୍ବୋଚ୍ଚ ସିଭିଲ ସେବକ ବା ଲୋକସେବକ ଭାବରେ ସେ ଏକ ବିସ୍ମୟ । କଳ୍ପନା କରନ୍ତୁ କ୍ୟାବିନେଟ ସେକ୍ରେଟାରୀ ପଦରୁ ସେବାନିବୃତ୍ତ ହେବାପରେ ସେ ଜଣଙ୍କ ପରେ ଜଣେ ଏହିଭଳି ତିନିଜଣ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ, ଚନ୍ଦ୍ରଶେଖର ଓ ଭିପି ସିଂହଙ୍କ ପ୍ରମୁଖ ସଚିବ ରହିଲେ । ଏ ତିନିଜଣ ତିନି ଅଲଗା ଦୃଷ୍ଟି ଓ ଦର୍ଶନର ବ୍ୟକ୍ତି, କେତେ ନିରପେକ୍ଷ ଓ ଦକ୍ଷ ହେଲେ ଜଣେ ଏ ତିନିଜଣଙ୍କର ଆସ୍ଥାଭାଜନ ହେବ? ଶ୍ରୀମତୀ ଗାନ୍ଧୀଙ୍କ ହତ୍ୟା ଖବର ଶ୍ରୀ ଦେଶମୁଖ ଓ ମୁଁ ରୋମ୍‌ ଏଆରପୋର୍ଟରେ ଶୁଣିଲୁ । ସେ ଦିଲ୍ଲୀ ଫେରିଆସିଲେ । ମୁଁ ସେତେବେଳକୁ ନିର୍ଦ୍ଦେଶକ ଆନ୍ତର୍ଜାତିକ ଶ୍ରମ ସଂସ୍ଥା ଦାୟିତ୍ୱରେ । ଓଦା ଆଖି ଓ ବଦ୍ଧମୁଷ୍ଟିରେ କହିଲେ ମୁଁ ଫେରୁଚି, ଜେନେଭାରେ ଯାହା କରିବା କଥା, ଯଥା ନିର୍ଦ୍ଧାରିତ କର, ଇଣ୍ଡିଆ ଲିଭ୍‌ସ!

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.