ପ୍ରମୂଖ ଖବର
  • ମଙ୍ଗଳବାର ଏନଡିଏ ସଂସଦୀୟ ଦଳର ବୈଠକ, ସାଂସଦଙ୍କୁ ସମ୍ବୋଧନ କରିବେ ପିଏମ ମୋଦୀ
  • ||
  • ଓଭାଲରେ ଇଂଲଣ୍ଡର ଭାଙ୍ଗିଲା ଗର୍ବ; ପଞ୍ଚମ ଟେଷ୍ଟକୁ ୬ ରନରେ ଜିତିଲା ଭାରତ, ସିରିଜ୍ ବରାବର
  • ||
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ବ୍ୟାଙ୍କ ଜମା ହ୍ରାସ ପାଉଛି କାହିଁକି ?

Published By : Manoj | August 4, 2025 2:37 PM

Image source: TV9

ଆର୍ଥିକ ଅଭିବୃଦ୍ଧି ତଥା ବିକାଶରେ ସଞ୍ଚୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।  ସଞ୍ଚୟ ଯଦି କମିଯାଏ ତେବେ ଏକ ଦେଶ ବିଦେଶୀ ପୁଞ୍ଜି ଯଥା-  ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ), ବିଦେଶୀ ପୋର୍ଟଫୋଲିଓ  ନିବେଶ, ବୈଦେଶିକ ଋଣ ଆଦି ଉପରେ ଅଧିକ ନିର୍ଭରଶୀଳ ହୁଏ,  ଯାହାର ଅନେକ ନକାରାତ୍ମକ ପ୍ରଭାବ ରହିଛି ।


ଭାରତ ସରକାର ସର୍ବଦା କହୁଛନ୍ତି ଯେ, ଆଜିର  ବିଶ୍ୱ ଆର୍ଥିକ ସଙ୍କଟ ମଧ୍ୟରେ ଭାରତର  ଅର୍ଥନୀତି ସକ୍ରିୟ ଏବଂ ସ୍ଥିର ରହିଛି । କିନ୍ତୁ ବୈଷମ୍ୟ  ଭୟଙ୍କର ଭାବେ ବୃଦ୍ଧିପାଇବା ସହିତ ଭାରତୀୟମାନଙ୍କ  ସଞ୍ଚୟର ଅଭ୍ୟାସ କ୍ରମାଗତ ଭାବରେ ନିମ୍ନଗାମୀ  ହେଉଛି । ଲୋକଙ୍କ ସଞ୍ଚୟ କରିବାର ଆଚରଣ ଏବଂ  ମାନସିକତାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିଛି । ପୂର୍ବ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପରି ବର୍ତ୍ତମାନର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ମଧ୍ୟ ଚିନ୍ତା  ପ୍ରକାଶ କରି କହିଛନ୍ତି ଯେ, ପାରମ୍ପରିକ ବ୍ୟାଙ୍କ ଜମାରେ  ପାରିବାରିକ ସଞ୍ଚୟ କ୍ରମାଗତ ଭାବରେ ହ୍ରାସ ପାଉଥିବାରୁ  ନିୟମଗୁଡ଼ିକୁ ପୁନର୍ବିଚାର କରିବାର ସମୟ ଆସିଛି । 

ଗତ  ନଅବର୍ଷ ମଧ୍ୟରେ ବ୍ୟାଙ୍କ ଜମାରେ ପାରିବାରିକ ସଞ୍ଚୟର  ଅଂଶ ୪୩%ରୁ ହ୍ରାସପାଇ ୩୫% ହୋଇଛି ବୋଲି ସେ  କହିଛନ୍ତି । ଅବଶ୍ୟ ଏଥିପାଇଁ ବ୍ୟାଙ୍କର ପଦାଧିକାରୀ ଓ  କର୍ମଚାରୀ କେବେ ଦାୟୀ ନୁହଁନ୍ତି । ସରକାରଙ୍କ ନୀତି ହିଁ  ଦାୟୀ । ପ୍ରଥମତଃ ବେକାରୀ ବୃଦ୍ଧି, ଛଟେଇ ବୃଦ୍ଧି ଏବଂ  ମୁଦ୍ରାସ୍ଫୀତି, ବିଶେଷ ଭାବେ ଜୀବନଶୈଳୀ, ମୁଦ୍ରାସ୍ଫୀତି  ଓ ସେବା ମୁଦ୍ରାସ୍ଫୀତି ବୃଦ୍ଧି ଓ ଶିକ୍ଷା, ସ୍ୱାସ୍ଥ୍ୟ ଅତ୍ୟଧିକ  ବ୍ୟୟସାପେକ୍ଷ ହେବା ଯୋଗୁଁ ଲୋକଙ୍କ କ୍ରୟଶକ୍ତି ହ୍ରାସ  ଘଟୁଛି । ଅତ୍ୟଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ଯୋଗୁଁ  ବ୍ୟବହାରଯୋଗ୍ୟ ଆୟ ହ୍ରାସପାଇଛି । ଲୋକଙ୍କ ପାଖରେ  ସିନା ବଳକା ଅର୍ଥ ରହିଲେ ସଞ୍ଚୟ କରିବେ । ପୁନଶ୍ଚ ଯେଉଁ  ବଳକା ଅର୍ଥ ରହୁଛି ତାହା ଲୋକମାନେ ବ୍ୟାଙ୍କରେ କମ୍‌ ସଞ୍ଚୟ କରି ଅନ୍ୟ କ୍ଷେତ୍ରରେ ଅଧିକା କାହିଁକି କରୁଛନ୍ତି  ତାହା ଆଲୋଚନା ଆବଶ୍ୟକ । ଅବଶ୍ୟ ବ୍ୟାଙ୍କରେ ବେଶି  କରୁଛନ୍ତି, କିନ୍ତୁ କ୍ରମଶଃ ହ୍ରାସପାଉଛି । ସରକାର ଘରୋଇ  ବ୍ୟାଙ୍କଗୁଡ଼ିକୁ ଅଧିକ ପ୍ରୋତ୍ସାହନ ଦେବାପାଇଁ ରାଷ୍ଟ୍ରାୟତ୍ତ  ବ୍ୟାଙ୍କଗୁଡ଼ିକର ମିଶ୍ରଣ କରି ୨୮ଟାରୁ ୧୨ଟା କରିବା ଓ  ଶାଖା ହ୍ରାସ କରିବା ଯୋଗୁଁ ବ୍ୟାଙ୍କ ସଞ୍ଚୟରେ ରାଷ୍ଟ୍ରାୟତ୍ତ  ବ୍ୟାଙ୍କମାନଙ୍କ ଅଂଶ ମଧ୍ୟ ହ୍ରାସପାଇଛି । 

ଏକ ଦେଶର ସଞ୍ଚୟ ଜାତୀୟ ସଞ୍ଚୟ ବା ମୋଟ୍‌  ଘରୋଇ ଆଭ୍ୟନ୍ତରୀଣ ସଞ୍ଚୟ (ଜିଡିଏସ୍‌) ବା ଗ୍ରସ୍‌  ଡୋମେଷ୍ଟିକ ସେଭିଂସ (ଜିଡିଏସ୍‌) ଭାବରେ ଜଣାଶୁଣା,  ଯାହା କେବଳ ବର୍ତ୍ତମାନର ବଜାର ମୂଲ୍ୟରେ ବା କରେଣ୍ଟ  ମାର୍କେଟ ପ୍ରାଇସରେ ମାପ କରାଯାଏ ଏବଂ ତିନିଟି ପୃଥକ  କ୍ଷେତ୍ରରୁ ଉତ୍ପନ୍ନ ହୋଇଥାଏ । ପବ୍ଲିକ ସେକ୍ଟର ସେଭିଂସ୍‌,  କର୍ପୋରେଟ ସେଭିଂସ୍‌ ଓ ହାଉସହୋଲ୍‌ଡ ବା ପାରିବାରିକ  ସଞ୍ଚୟ । କର୍ପୋରେଟ ସେଭିଂସ୍‌ ଓ ପାରିବାରିକ ସଞ୍ଚୟକୁ  ଘରୋଇ ବା ପ୍ରାଇଭେଟ ସେଭିଂସ୍‌ରେ ଅନ୍ତର୍ଭୁକ୍ତ  କରାଯାଇଥାଏ । ମୋଟ୍‌ ଘରୋଇ ବା ଆଭ୍ୟନ୍ତରୀଣ ସଞ୍ଚୟ  (ଜିଡିଏସ୍‌) ହାର ଜିଡିପିର ୨୦୦୭-୦୮ରେ ୩୭.୮%  ଛୁଇଁଥିଲା, ଯାହା ସର୍ବକାଳୀନ ରେକର୍ଡ । 

୨୦୧୪-୧୫ରେ  ଏହା ୩୨.୨%କୁ ହ୍ରାସ ପାଇଥିଲାବେଳେ ୨୦୨୩-୨୪  ପ୍ରାୟ ୩୦.୭% କୁ ହ୍ରାସପାଇଛି । ଅର୍ଥାତ୍‌ ୨୦୦୭- ୦୮ ପରେ ୭.୧% ହ୍ରାସପାଇଛି । ମୋଟ୍‌ ଆଭ୍ୟନ୍ତରୀଣ  ସଞ୍ଚୟ ଦୁଇଭାଗରେ ବିଭକ୍ତ । ପ୍ରଥମଟି ପବ୍ଲିକ ସେକ୍ଟର  ବା ସରକାରୀ ସଞ୍ଚୟ, ଯାହା ପାଖାପାଖି ୧.୩% ଅଛି ।  କର୍ପୋରେଟ ସଞ୍ଚୟ ୧୦% ପାଖାପାଖି ଅଛି । ଏହା ଅଧିକ  ହେବାର କାରଣ ହେଲା, କମ୍ପାନୀମାନଙ୍କ ହାତରେ ବଳକା  ଟଙ୍କା ରହୁଛି, କାରଣ ବିଭିନ୍ନ ଦ୍ରବ୍ୟ ଓ ସେବାର ଚାହିଦା  ଅଭାବରୁ ସେମାନେ ନିବେଶ କରିବାକୁ ଆଗ୍ରହ ପ୍ରକାଶ  କରୁନାହାଁନ୍ତି । ପାରିବାରିକ ସଞ୍ଚୟ ଲୋକଙ୍କ ମଙ୍ଗଳର  ସୂଚକାଙ୍କ ଅଟେ । ଏହା ୨୦୧୦-୧୧ରେ ୨୫.୧୦% ଥିଲା,  କିନ୍ତୁ ତାହା କ୍ରମଶଃ ହ୍ରାସପାଇ ୨୦୨୩-୨୪ରେ ୧୮.୧% ରେ ପହଞ୍ଚିଛି । ପୁନଶ୍ଚ ପାରିବାରିକ ସଞ୍ଚୟ ଭୌତିକ  ସଞ୍ଚୟ (ଫିଜିକାଲ ସେଭିଙ୍ଗସ) ଓ ଆର୍ଥିକ ସଞ୍ଚୟର  ସମ୍ମିଶ୍ରଣ ଅଟେ । ଭୌତିକ ସଞ୍ଚୟ ସୁନା, ଜମି, ଘରବାଡ଼ି  ଆଦି ରିଏଲ୍‌ ଇଷ୍ଟେଟ୍‌ ଇତ୍ୟାଦିରେ ନିବେଶକୁ ବୁଝାଏ ।  ଆର୍ଥିକ ସଞ୍ଚୟ ଦୁଇ ପ୍ରକାର: ଅଣଚୁକ୍ତିଭିତ୍ତିକ ସଞ୍ଚୟ  ଯଥା ହାତରେ ଟଙ୍କା/ମୁଦ୍ରା, ବ୍ୟାଙ୍କ ସଞ୍ଚୟ, ମ୍ୟୁଚୁଆଲ  ଫଣ୍ଡ, ଶେୟାର, ଡିବେଞ୍ଚର, ସରକାରଙ୍କ ଉପରେ ନେଟ୍‌  ଦାବି- ପୋଷ୍ଟ ଅଫିସ୍‌ର କ୍ଷୁଦ୍ର ସଞ୍ଚୟ, କେନ୍ଦ୍ର ଏବଂ ରାଜ୍ୟ  ସରକାରୀ ସିକ୍ୟୁରିଟିରେ ବିନିଯୋଗ (ନିଟ ଡେବ୍‌ଟ)  । ଦ୍ୱିତୀୟଟି, ଚୁକ୍ତିଭିତ୍ତିକ ସଞ୍ଚୟ ଯଥା- ଜୀବନ ବୀମା,  ପ୍ରୋଭିଡେଣ୍ଟ ପାଣ୍ଠି ଏବଂ ପେନ୍‌ସନ୍‌ ପାଣ୍ଠି ଇତ୍ୟାଦି । 

ଏଠାରେ ପ୍ରକୃତ ଚିନ୍ତାର ବିଷୟ  ହେଉଛି, ନିଟ୍‌ ଆର୍ଥିକ ସଞ୍ଚୟ ହ୍ରାସ  ପାଇବା ଯୋଗୁଁ ବ୍ୟାଙ୍କରେ ମଧ୍ୟ  ସଞ୍ଚୟ ହ୍ରାସପାଉଛି । ଭାରତର  ନିଟ୍‌ ବିତ୍ତୀୟ ବା ଆର୍ଥିକ ବା  ଫାଇନାନ୍‌ସିଆଲ ସେଭିଂସ, ଯାହା  ୨୦୦୯-୧୦ରେ ଜିଡିପିର ୧୨.୧୦%  ଛୁଇଁଥିଲା, ଯାହା ରେକର୍ଡ । ୨୦୨୧- ୨୨ରେ ଏହା ୭.୨%କୁ ଓ ୨୦୨୨- ୨୩ରେ ୫.୨%କୁ ହ୍ରାସପାଇଛି ।  ଏହା ଗତ ୪୭ବର୍ଷ ମଧ୍ୟରେ ପ୍ରାୟ  ସର୍ବନିମ୍ନ । ୧୯୭୫-୭୬ରେ ଏହା  ଜିଡିପି ୪.୭% ଥିଲା । କରୋନା  ମହାମାରୀ ସମୟରେ ଅର୍ଥାତ୍‌ ୨୦୨୦-୨୧ରେ ୧୧.୫%  ଥିଲା । କାରଣ ସେହି ସମୟରେ ବ୍ୟୟ ନକରି  ଲୋକ ଅଧିକ ସଞ୍ଚୟ କରିବାକୁ ଶ୍ରେୟ ମଣିଲେ । ନିଟ୍‌  ଆର୍ଥିକ ସଞ୍ଚୟ ୨୦୧୭-୧୮ରେ ଟ୧୩.୦୫ଲକ୍ଷ କୋଟି  ଥିଲା, ଯାହା ୨୦୧୮-୧୯ରେ ଟ୧୪.୯୨ଲକ୍ଷ କୋଟି  ଏବଂ ୨୦୧୯-୨୦ରେ ଟ୧୫.୪୯ଲକ୍ଷ କୋଟିକୁ ବୃଦ୍ଧି  ପାଇଥିଲା । ପ୍ରକୃତ ଚିନ୍ତାର ବିଷୟ ହେଉଛି ଯେ, ନିଟ୍‌  ଆର୍ଥିକ ସଞ୍ଚୟ ୨୦୨୦-୨୧ରେ ଟ୨୩.୨୯ଲକ୍ଷ କୋଟିରୁ  ହ୍ରାସପାଇ ୨୦୨୧-୨୨ରେ ଟ୧୭.୧୨ଲକ୍ଷ କୋଟି  ଟଙ୍କା ଏବଂ ୨୦୨୨-୨୩ରେ ପାଞ୍ଚ ବର୍ଷର ସର୍ବନିମ୍ନ  ଟ୧୪.୧୬ଲକ୍ଷ କୋଟିକୁ ହ୍ରାସପାଇଛି । ମାତ୍ର ଦୁଇବର୍ଷ  ମଧ୍ୟରେ ଟ୯.୧୩ଲକ୍ଷ କୋଟି ହ୍ରାସପାଇଛି । ବାସ୍ତବରେ  ମୋଟ୍‌ ଆର୍ଥିକ ସଞ୍ଚୟ ବୃଦ୍ଧିପାଉଛି । କିନ୍ତୁ ନିଟ୍‌ ଆର୍ଥିକ  ସଞ୍ଚୟ ହ୍ରାସପାଉଛି, କାରଣ ପାରିବାରିକ ଆର୍ଥିକ ଦେୟ  ବୃଦ୍ଧି ପାଉଛି । ମୋଟ୍‌ ଆର୍ଥିକ ସଞ୍ଚୟରୁ ପାରିବାରିକ  ଆର୍ଥିକ ଦେୟକୁ ବିଯୁକ୍ତ କରି ନିଟ୍‌ ଆର୍ଥିକ ସଞ୍ଚୟ  ଆକଳନ କରାଯାଏ । 

ପାରିବାରିକ ଆର୍ଥିକ ଦେୟ, ଯାହା  ୨୦୨୧-୨୨ରେ ଜିଡିପିର ୩.୮% ଥିଲା ତାହା ୨୦୨୨- ୨୩ରେ ୧୫.୯୬ଲକ୍ଷ କୋଟି ଟଙ୍କା ବା ଜିଡିପିର ୫.୯% କୁ ବୃଦ୍ଧି ପାଇଥିଲା । ପୁନଶ୍ଚ ତାହା ବୃଦ୍ଧିପାଇ ୨୦୨୩- ୨୪ରେ ୧୮.୭୯ଲକ୍ଷ କୋଟି ଟଙ୍କା ବା ଜିଡିପିର ୬.୪% କୁ ବୃଦ୍ଧିପାଇଛି । ୨୦୧୦-୧୧ରେ ଭାରତରେ ମୋଟ୍‌  ପାରିବାରିକ ଋଣ ଜିଡିପିର ୮% ଥିଲା ଏବଂ ୨୦୧୭- ୧୮ରେ ଜିଡିପିର ୩୦.୧%କୁ ବୃଦ୍ଧି ପାଇଲାବେଳେ,  ୨୦୨୨-୨୩ରେ ୩୭.୬% ଏବଂ ୨୦୨୪ ଜୁନ୍‌ ଶେଷରେ  ଜିଡିପିର ୪୨.୯%କୁ ବୃଦ୍ଧିପାଇଛି । ଏହା ବିମୁଦ୍ରାୟନ  ଓ ଜିଏସ୍‌ଟି ପରେ ବେଶି ବୃଦ୍ଧିପାଇଛି । ଆର୍ଥିକ ଦେୟ,  ପାରିବାରିକ ଋଣ ବୃଦ୍ଧିଘଟିଲେ ଲୋକଙ୍କ ସଞ୍ଚୟ ହ୍ରାସପାଇବା  ସ୍ୱାଭାବିକ । ବିଭିନ୍ନ ଆର୍ଥିକ ସଞ୍ଚୟରୁ କେଉଁଠି ନା କେଉଁଠି  ହ୍ରାସ ପାଉଥିବ । ବେଶି ପ୍ରଭାବ ପଡ଼ିଛି ବ୍ୟାଙ୍କ ଉପରେ । ଜିଡିପିର ଅନୁପାତ ଭାବରେ ନିଟ୍‌ ଆର୍ଥିକ ସଞ୍ଚୟ  କେବଳ ହ୍ରାସପାଇନି ବରଂ ବୀମା  ଏବଂ ବ୍ୟାଙ୍କ ଜମାର ଅଂଶ ମଧ୍ୟ  ହ୍ରାସପାଇଛି । 

ଜିଡିପିର ଅନୁପାତ  ଭାବରେ ବ୍ୟାଙ୍କ ଜମା ୨୦୧୮- ୧୯ରେ ୪.୧୧%ରୁ ୨୦୨୨- ୨୩ରେ ୩.୭୭%କୁ ହ୍ରାସପାଇଛି ।  ଜୀବନ ବୀମା ପାଣ୍ଠି ସେହି ସମୟ  ମଧ୍ୟରେ ୨.୦୭%ରୁ ୧.୯୬% କୁ ହ୍ରାସପାଇଛି । ମ୍ୟୁଚୁଆଲ ଫଣ୍ଡ  ୦.୮୦%ରୁ ୦.୬୬%, ଇକ୍ୱିଟି  ୦.୦୩%ରୁ ୦.୦୮%, କ୍ଷୁଦ୍ର  ସଞ୍ଚୟ ୦୧.୦୮%ରୁ ୦.୭୪%କୁ  ହ୍ରାସପାଇଛି । କେବଳ ପେନସନ୍‌  ପାଣ୍ଠି, ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡରେ ୨.୧୨%ରୁ  ୨.୪୩%କୁ ବୃଦ୍ଧିପାଇଛି । ନିଟ୍‌ ଆର୍ଥିକ ସଞ୍ଚୟରେ  ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ପେନସନ୍‌ ପାଣ୍ଠିର  ଅଂଶ ୨୦୨୦-୨୧ରେ ୫.୮%ରୁ ୨୦୨୧-୨୨ରେ ୬.୨%  ଏବଂ ୨୦୨୨-୨୩ରେ ୬.୬୬% ବୃଦ୍ଧିପାଇଛି । ସେହି  ସମୟରେ କ୍ଷୁଦ୍ର ସଞ୍ଚୟର ଅଂଶ ୬%ରୁ ୬.୨% ଏବଂ  ୬.୪%କୁ ବୃଦ୍ଧିପାଇଛି । ମ୍ୟୁଚୁଆଲ ଫଣ୍ଡର ଅଂଶ ୭.୬% ରୁ ୮.୫% ଏବଂ ୮.୪% ରହିଛି । ଅପରପକ୍ଷରେ ବ୍ୟାଙ୍କ  ଏବଂ ଅଣ-ବ୍ୟାଙ୍କ ଜମାର ଅଂଶ ୪୮.୫%ରୁ ୪୬.୭%  ଏବଂ ୪୬%କୁ ହ୍ରାସପାଇଛି । ମୁଦ୍ରା କିମ୍ବା ନଗଦର ଅଂଶ  ୧୧.୪%ରୁ ୧୧.୩% ଏବଂ ୧୧.୧%କୁ ହ୍ରାସପାଇଛି ।  ଜୀବନ ବୀମା ପାଣ୍ଠିର ଅଂଶ ୨୦.୮%ରୁ ୨୧.୧% ଏବଂ  ୨୧.୫%କୁ ବୃଦ୍ଧିପାଇଛି । 

କର୍ପୋରେଟ୍‌ ଦେବାଳିଆ ସମାଧାନ ପ୍ରକ୍ରିୟାରେ  ଦେବାଳିଆ ସଂହିତା ଆଇନ ଏବଂ ଜାତୀୟ କମ୍ପାନୀ  ଆଇନ ଟ୍ରିବ୍ୟୁନାଲ ମାଧ୍ୟମରେ ବଡ଼ ବଡ଼ ପରିମାଣର  ଋଣକୁ ବହୁତ କମ୍‌ ମୂଲ୍ୟରେ ପରିଶୋଧ କମ୍ପାନୀମାନେ  କରିବାରୁ ବ୍ୟାଙ୍କର କ୍ଷତି ହେଉଛି । ବ୍ୟାଙ୍କମାନେ ତାଙ୍କ  ପ୍ରାପ୍ୟର ହାରାହାରି ୬୭% ପାଉନାହାଁନ୍ତି । ୨୦୨୫ ମାର୍ଚ୍ଚ  ସୁଦ୍ଧା ୧୧୯୪ଟି ଋଣକାରୀଙ୍କ ଠାରୁ ବ୍ୟାଙ୍କମାନେ ୧୨ଲକ୍ଷ  କୋଟି ଟଙ୍କା ପାଇବା କଥା, କିନ୍ତୁ ମାତ୍ର ୩.୮୯ଲକ୍ଷ  କୋଟି ଟଙ୍କା ପାଇଛନ୍ତି । ୨୦୨୫ ମାର୍ଚ୍ଚ ସୁଦ୍ଧା ସମାଧାନ  ଯୋଜନା ପ୍ରଦାନକାରୀ ଦେବାଳିଆ ମାମଲା ସଂଖ୍ୟା  ବୃଦ୍ଧିପାଇ ୧୧୯୪ରେ ପହଞ୍ଚିଛି, ଯାହା ୨୦୨୩-୨୪ରେ  ୯୪୭ ଥିଲା । ସେହିଭଳି ବ୍ୟାଙ୍କ ଠକେଇ, ଜାଲିଆତି  ସଂଖ୍ୟା ୨୦୧୩-୧୪ରେ ୪୩୦୬ ଥିଲା, ତାହା  ୨୦୨୧-୨୨ରେ ୯୧୦୩କୁ ବୃଦ୍ଧିପାଇଛି । ଅର୍ଥରାଶି ଦୃଷ୍ଟିରୁ  ୨୦୦୪-୦୫ରୁ ୨୦୧୩-୧୪ରେ ୩୪,୯୯୩ କୋଟି  ଟଙ୍କା ହୋଇଥିଲାବେଳେ ୨୦୧୪-୧୫ରୁ ୨୦୨୪-୨୫  ମଧ୍ୟରେ ୪,୯୧,୩୦୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧିପାଇଛି ।  ଗତ ଦଶନ୍ଧିରେ ୨୦୧୪-୧୫ରୁ ୨୦୨୩-୨୪ ମଧ୍ୟରେ  ବ୍ୟାଙ୍କମାନେ ୧୬.୬୫ ଲକ୍ଷ କୋଟି ଟଙ୍କା ଅନାଦାୟ  ସମ୍ପତ୍ତି/ଋଣ ରାଇଟଅଫ୍‌ କରିଛନ୍ତି । ଗତ ୯ବର୍ଷରେ  ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ କେବଳ ଟ୧୨ଲକ୍ଷ କୋଟିରୁ  ଅଧିକ ରାଇଟଅଫ୍‌ କରିଛନ୍ତି । ଯେତିକି ରାଇଟଅଫ୍‌  ହେଉଛି ତାହାର ମାତ୍ର ୧୬% ଫେରିଛି, ଅବଶିଷ୍ଟ ଫେରିନି । 

ବ୍ୟାଙ୍କରେ ଜମା ଓ ଋଣ ସୁଧହାର ସାଧାରଣତଃ  ପଲିସ ରେଟ୍‌ ବା ରେପୋ ରେଟ୍‌ ଉପରେ ନିର୍ଭର  କରେ । କିନ୍ତୁ ଋଣ ରାଇଟଅଫ୍‌ ଏବଂ ବ୍ୟାଙ୍କ ଜାଲିଆତି  ଏବଂ କର୍ପୋରେଟ୍‌ ଦେବାଳିଆ ସମାଧାନ ପ୍ରକ୍ରିୟାଜନିତ  ଯେଉଁ କ୍ଷତି ହେଉଛି, ତାକୁ ଭରଣା ପାଇଁ ଜମା  ସୁଧହାର କମ୍‌ ରଖାଯାଉଛି । ପୁନଶ୍ଚ ସୁଧ ଉପରେ  ଟିକସ ପଡ଼ିଲାବେଳେ ଓ ସଞ୍ଚୟଜନିତ ଟିକସ ରିହାତି  ନାହିଁ । ଯାହାଫଳରେ ଲୋକ ବ୍ୟାଙ୍କରେ ରଖିବାକୁ  ଟିକେ ନିରୁତ୍ସାହିତ ହେଉଛନ୍ତି । ପୁନଶ୍ଚ ବ୍ୟାଙ୍କରେ  ମୁଦ୍ରାସ୍ଫୀତି ଓ ସୁଧ ଉପରେ ଟିକସକୁ ବିଚାରକୁ ନେଲେ  ଜମାସୁଧ ହାର ବିଯୁକ୍ତାତ୍ମକ ରହୁଥିବାରୁ ଲୋକ ଅଧିକ  ରିଟର୍ଣ୍ଣ ପାଇଁ ଅନ୍ୟ କ୍ଷେତ୍ରରେ ସଞ୍ଚୟ କରୁଛନ୍ତି ।  ମାର୍ଚ୍ଚ ୨୦୨୫ରେ ଅର୍ଥ ମନ୍ତ୍ରଣାଳୟ ସଂସଦକୁ ସୂଚନା  ଦେଇଥିଲା ଯେ, ଉଚ୍ଚ ରିଟର୍ଣ୍ଣ ସନ୍ଧାନରେ ପାରିବାରିକ  ଜମାକୁ ସଞ୍ଚୟକାରୀ ବ୍ୟାଙ୍କରେ ନରଖି ବଜାର-ସଂଯୁକ୍ତ  ଆର୍ଥିକ ଉତ୍ପାଦରେ ରଖିବା ଦ୍ୱାରା ସଞ୍ଚୟକାରୀ ବଜାରର  ଅସ୍ଥିରଜନିତ ବିପଦରେ ପଡ଼ିପାରନ୍ତି । ଆର୍ଥିକ ସାକ୍ଷରତା  ବହୁତ ଦୁର୍ବଳ, ନିମ୍ନମାନର ଥିବା ଯୋଗୁଁ ବଜାର  ସଂଶୋଧନ କିମ୍ବା ଅସ୍ଥିରତା ସମୟରେ ସଞ୍ଚୟକାରୀ ବା  ନିବେଶକ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି ।  ମୁଦ୍ରାସ୍ଫୀତି ଅନୁସାରେ ଅଧିକ ରିଟର୍ଣ୍ଣ ପାଇବା ପାଇଁ  ଧନୀଲୋକ ବେଶି ଭୌତିକ ସଞ୍ଚୟ ଯଥା- ଜମି,  ଘରବାଡ଼ି, ସୁନା ଆଦିରେ ଅଧିକ ସଞ୍ଚୟ କରୁଛନ୍ତି³  ଯାହାର କୁପ୍ରଭାବ ଅଧିକ । ଏହା ଅଣଉତ୍ପାଦକ ଓ  ମୁଦ୍ରାସ୍ଫୀତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.