ପ୍ରମୂଖ ଖବର
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ଶ୍ରୀଜଗନ୍ନାଥଙ୍କ ସୁନା

Published By : Prameya | July 25, 2025 2:53 PM

ଗରିବ ଓଡ଼ିଆଙ୍କ ଧନୀ ଠାକୁର ଗରିବ ହେବାର କାରଣ ଖୋଜିଲେ ଯେକେହି ୧୮  ଥରର ରକ୍ତାକ୍ତ ଆକ୍ରମଣ ଓ ଲୁଣ୍ଠନକୁ ଇଙ୍ଗିତ କରିବେ । କିନ୍ତୁ କାରଣର ତର୍ଜମା  କଲାବେଳେ ଅନେକ ଅସହ୍ୟ ଦୁଖଦଃ ଘଟଣା ଅନିଚ୍ଛା ସତ୍ତେ୍ୱ ଆଖି ସାମ୍ନାକୁ  ଆସିଯାଏ । ଗଙ୍ଗ ରାଜାମାନେ ଜଗନ୍ନାଥଙ୍କୁ ‘ରାଷ୍ଟ୍ର ଦେବତା’ ଏବଂ ଓଡ଼ିଶାର  ରାଜା ଓ ସେମାନେ ତାଙ୍କର ପ୍ରତିନିଧି ତଥା ସେବକ ବୋଲି ଘୋଷଣା କରିଥିଲେ ।


ରାଜ୍ୟ ସରକାର ଯଦି କଥା ଦେଇ କଥା ରଖନ୍ତି,  ତାହେଲେ ଜଗନ୍ନାଥ ଆସନ୍ତା ବର୍ଷ ରଥରେ ଭିନ୍ନ  ସୁନାବେଶରେ ଦେଖାଯିବେ । ଏହି ପ୍ରସ୍ତାବ ସାର୍ବଜନୀନ  କଲାବେଳେ ସରକାର ଦୁଇଟି ବିନ୍ଦୁ ଉପରେ ଗୁରୁତ୍ୱ  ଆରୋପ କରିଛନ୍ତି । ତା'ହେଲା ବର୍ତ୍ତମାନ ରତ୍ନଭଣ୍ଡାରରେ  ଥିବା ସୁନା ନୂତନ ବେଶ ପ୍ରସ୍ତୁତିରେ ବ୍ୟବହୃତ  ହେବନାହିଁ । ଦ୍ୱିତୀୟ ବିନ୍ଦୁର ଗୁରୁତ୍ୱ ପ୍ରଥମ ବିନ୍ଦୁ ଅପେକ୍ଷା  ଅଧିକ ମନେହୁଏ- ନୂଆ ବେଶ ପାଇଁ ଆବଶ୍ୟକ ସୁନା  ସରକାର ନିଜେ ଦେବେ ଅବା ଜନସାଧାରଣଙ୍କ ଠାରୁ  ଦାନ ସୂତ୍ରରେ ଗ୍ରହଣ କରିବେ ସେ ବିଷୟରେ ବିଚାର  ଆଲୋଚନା ଚାଲିଛି । 

ଏହା ନିଶ୍ଚିତ ଯେ, ଶ୍ରୀଜିଉଙ୍କ ବେଶ ପାଇଁ ସାହାଯ୍ୟ  ଆହ୍ୱାନ କଲେ ଜନସାଧାରଣ ହାତ ଖୋଲି ଅଜାଡ଼ି  ଦେବେ । ଘରେ ନଥିଲେ ଦୋକାନରୁ କିଣି ଦେବେ ।  ଏତେ ସୁନା, ହୀରା, ଟଙ୍କା ମିଳିବ ଯେ ସେଥିରେ ଗୋଟିଏ  ନୁହେଁ, ଅନେକ ପୋଷାକ ହୋଇଯିବ । ଏହାର କାରଣ  ଯେତିକି ଧାର୍ମିକ ସେତିକି ଐତିହାସିକ ଏବଂ ରାଜନୈତିକ  ମଧ୍ୟ । ଜଗନ୍ନାଥ ଓଡ଼ିଆଙ୍କ ପରିଚୟ । ସେ ସବୁ ଘରର  ମଝି ଖୁଣ୍ଟି, ପରିବାରର ମୁରବି । ସୁବିଧା ଅସୁବିଧାରେ  ତାଙ୍କୁ ଖବର ଦିଆଯାଏ । ତାଙ୍କର ଟିକେ ଦର୍ଶନରେ  ଜୀବନ ସାର୍ଥକ ହୋଇଯାଏ ବୋଲି ସମସ୍ତଙ୍କ ବିଶ୍ୱାସ ।  ପୁନର୍ଜନ୍ମରେ ପୂର୍ଣ୍ଣଚ୍ଛେଦ ପାଇଁ ସେ ହିଁ ଶେଷ ଭରସା ।  ତାଙ୍କ ନାଁ ନନେଇ କେହି ଭଲ କାମଟିଏ କରିବା ପାଇଁ  ଗୋଡ଼ ବଢ଼ାନ୍ତି ନାହିଁ । ଗୁହାରି ନଶୁଣିଲେ ଲୋକେ  ତାଙ୍କ ଉପରେ ରାଗନ୍ତି । ‘ମୋ କଥା ନବୁଝିଲେ ତୋ  କଳା ବଦନକୁ ଦେଖିବି ନାହିଁ' ବୋଲି ତମତମ  ହୋଇ କହନ୍ତି । ଏସବୁ ଆତ୍ମୀୟତାର ଶବ୍ଦ, ଅଧିକାର  ନଥିଲେ କହି ହୁଏନି । ସମସ୍ତଙ୍କ ପାଇଁ ସେ ଈଶ୍ୱର,  ଓଡ଼ିଆଙ୍କ ପାଇଁ ଅଧିକନ୍ତୁ ସ୍ୱାଭିମାନର ପ୍ରତୀକ । ରଥରେ  ଗୋସେଇଁଙ୍କୁ ସୁନାବେଶରେ ଦେଖିଲେ ସମସ୍ତଙ୍କ ମୁଣ୍ଡ  ଭକ୍ତିରେ ନଇଁଯାଏ, କିନ୍ତୁ ଓଡ଼ିଶାର ଲୋକଙ୍କୁ ଅଧିକ  ମିଳେ ଏକ ଐତିହାସିକ ଅନୁଭବ । 

ଦାରୁବ୍ରହ୍ମ ଜଗନ୍ନାଥଙ୍କ ନିକଟରେ ଧର୍ମର ସଂଜ୍ଞା କିଛିଟା  ନିଆରା: ସେ ଜଗତର ନାଥ, ନିର୍ଦ୍ଦିଷ୍ଟ ଆସ୍ଥା ବିଶ୍ୱାସରେ  ସୀମିତ ନୁହନ୍ତି, ତାଙ୍କ ରଥଯାତ୍ରା ବିଶ୍ୱ ଭ୍ରାତୃତ୍ୱର ଏକ  ନିରୋଳା ଉଦାହରଣ । ଜଗନ୍ନାଥ ସଂସ୍କୃତିର ଏହି ଅମୂଲ୍ୟ  ତତ୍ତ୍ୱକୁ ବଞ୍ଚେଇ ରଖିବାକୁ ଓଡ଼ିଶାର ଲୋକଙ୍କୁ ପିଢ଼ି ପରେ  ପିଢ଼ି ଧର୍ମାନ୍ଧଙ୍କ ଦ୍ୱାରା ଅତ୍ୟାଚାରିତ ହେବାକୁ ପଡିଛି ।  ସେମାନେ ସର୍ବସ୍ୱାନ୍ତ ନିଃସ୍ୱ ହୋଇଛନ୍ତି, କେତେ ନିରୀହ  ଜୀବନ ଯାଇଛି ତା'ର ତୁଳନାତ୍ମକ ଦୃଷ୍ଟାନ୍ତ ଭାରତରେ  ବିରଳ । ଇଂରେଜମାନେ ଓଡ଼ିଶା ଓ ଓଡ଼ିଆଙ୍କୁ ‘ନିକୃଷ୍ଟ'  ଭାବୁଥିଲେ । ଏହା ସତ୍ତେ୍ୱ ଅନେକ ଅଣ-ହିନ୍ଦୁ ବିଦେଶୀ  ଜଗନ୍ନାଥଙ୍କ ସାର୍ବଜନୀନତାକୁ ସ୍ୱୀକାର କରିଛନ୍ତି । ଶହ  ଶହ ବର୍ଷରୁ ସମୁଦ୍ରର ଦୁଲୁକା ପବନ ସହି ନୀଳଶୈଳରେ  ଦଣ୍ଡାୟମାନ ପ୍ରସ୍ତର ମନ୍ଦିରର ବିଶାଳତା, ଏହାର  କାରୁକାର୍ଯ୍ୟ, ଜଗନ୍ନାଥଙ୍କ ଆକୃତି, ନିତି ଦିନର ଘଡ଼ିକି  ଘଡ଼ି ସେବା ପୂଜା, ମହାପ୍ରସାଦ ପ୍ରସ୍ତୁତି, ରଙ୍ଗ ବେରଙ୍ଗ  ରେଶମ କନାରେ ଆଚ୍ଛାଦିତ ୩ ବିରାଟ ରଥ ଅବା ଆଖି  ପାଉନଥିବା ଜନସମାଗମ ସେମାନଙ୍କୁ ମୁଗ୍‌ଧ କରିଛି ।  

୧୮୦୩ ମସିହାରେ ଓଡ଼ିଶା ଦଖଲ ବେଳେ ଇଂରେଜ  ସୈନ୍ୟଙ୍କ ନେତୃତ୍ୱ ନେଇଥିବା କର୍ଣ୍ଣେଲ ହାରକୋଟ  ରଥଯାତ୍ରା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଜନସମୁଦ୍ର  ମଧ୍ୟରେ ସୁରୁଖୁରୁରେ ଦେବକାର୍ଯ୍ୟ ସମ୍ପନ୍ନ ହେବା  ଓଡ଼ିଆ ଲୋକଙ୍କ ଶୃଙ୍ଖଳା ଓ ପ୍ରଗାଢ଼ ଈଶ୍ୱର ବିଶ୍ୱାସର  ପ୍ରମାଣ । ତାହା ନହୋଇଥିଲେ ହିନ୍ଦୁ ଧର୍ମକୁ ନିଶ୍ଚିହ୍ନ  କରିବା ଉଦ୍ଦେଶ୍ୟରେ ଆଫଗାନ,  ମୋଗଲ, ଇଂରେଜମାନଙ୍କ  ଅନବରତ ଷଡ଼ଯନ୍ତ୍ରରୁ ବର୍ତ୍ତିବାକୁ ଗଜପତି ରାଜା, ସେବକ,  ସାଧାରଣ ଲୋକେ ବାରମ୍ବାର  ଜଗନ୍ନାଥଙ୍କୁ ନେଇ ଚିଲିକାର  ଅଜଣା ଟାପୁ, ଗଡ଼ଜାତର ଅଗମ୍ୟ  ଜଙ୍ଗଲ ଅବା ମାଟିତଳେ ପୋତି  ନଥାନ୍ତେ । ଦୁର୍ବୃତ୍ତ କଳାପାହାଡ଼  ଫିଙ୍ଗିଦେଇଥିବା ଦରପୋଡ଼ା  ଦାରୁରୁ ବ୍ରହ୍ମ ଆଣି ନୂତନ ବିଗ୍ରହ  ପ୍ରତିଷ୍ଠା ହୋଇନଥାନ୍ତା । ତେଣୁ  ସରକାର ମୁହଁ ଖୋଲିଲେ  ଜଗନ୍ନାଥଙ୍କ ପାଇଁ ସୁନା ଅଭାବ ହେବନି । ରାଜ୍ୟ  ବଜେଟରେ ମଧ୍ୟ ସୁନାବେଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇପାରେ ଏବଂ ସେଥିପାଇଁ ସରକାର ବିରୋଧର  ସମ୍ମୁଖୀନ ହେବା ଆଶଙ୍କା କ୍ଷୀଣ । ଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ଯାହାବି ଅବ୍ୟବହୃତ ସୁନା ଅଛି ସେଥିରେ ନୂଆ ବେଶ ବୋଧହୁଏ ସମ୍ଭବ  ହୋଇନପାରେ । ଅନୁମାନ କରାଯାଏ, ସେସବୁର  ବର୍ତ୍ତମାନ ବଜାର ମୂଲ୍ୟ ୧୫୦-୧୬୦ କୋଟିରୁ ଅଧିକ  ହେବା କଷ୍ଟ । ପ୍ରାଚୀନତା ଦୃଷ୍ଟିରୁ ପୁରୁଣା ଗହଣା ଓ ବେଶ  ସରଞ୍ଜାମ ସବୁକୁ ଭାଙ୍ଗି ନୂଆ କରିବାକୁ କେହି ପସନ୍ଦ  କରିବେନି । ତେଣୁ ସୁନା ପାଇଁ ଏହି ବିକଳ୍ପ ଉଦ୍ୟମ ।  ଇତିହାସ କହେ, ରତ୍ନଭଣ୍ଡାର ଦିନେ ଅମାପ ଧନରତ୍ନରେ  ଉଛୁଳୁ ଥିଲା । ସେଠି ଅଭାବର ଛାପ? ଶୁଣିଲେ ଆଶ୍ଚର୍ଯ୍ୟ  ଲାଗେ । 

ଜଗନ୍ନାଥଙ୍କୁ ଗରିବଙ୍କ ଠାକୁର କୁହାଯାଏ । କିନ୍ତୁ  ସେ ନିଜେ ଗରିବ ନୁହଁନ୍ତି । ତାଙ୍କ ସେବାପୂଜା କୋଉ  ରାଜାଘର ଠାରୁ କମ୍‌ ନୁହେଁ । ତଫାତ୍‌ ଏତିକି ଯେ,  ରାଜାଘରେ ଭୟର ପରିବେଶ, ଏଠି ଭକ୍ତିର ଆସର ।  ଜଗନ୍ନାଥ ଆଦିବାସୀ ଆଶ୍ରିତଙ୍କ ଗହଣରେ ଘଞ୍ଚ ଜଙ୍ଗଲ  ଘେରା ପାହାଡ଼ ଗୁମ୍ଫାରେ ଥିଲେ । ତାଙ୍କ ଠିକଣା ପୁରୀକୁ  ବଦଳିଲା । ବିଶାଳ ଭବ୍ୟ ମନ୍ଦିରରେ ସେ ରହିଲେ ।  ସେବା ପୂଜା ପାଇଁ ରାଜା ସବୁ ଖଞ୍ଜି ଦେଲେ । ରୀତି ନୀତି  ଏମିତି ବନ୍ଧା ଯେ, ଶହ ଶହ ବର୍ଷ ବିନା ବ୍ୟତିକ୍ରମରେ  ଚାଲିଛି । ଶ୍ରୀମନ୍ଦିର ହେବାଦିନୁ ବଂଶ ପରମ୍ପରା ଭଳି  ଜଗନ୍ନାଥଙ୍କୁ ରାଜାମାନେ ଅମାପ ସୁନା, ହୀରା, ଜମି ଦାନ  କରୁଥିଲେ । ଭାରତର ଅନ୍ୟ ରାଜା, ମହାରାଜା, ଧନୀ,  ଜମିଦାର ଓ ନେପାଳର ରାଜା ଜଗନ୍ନାଥ ଦର୍ଶନ ବେଳେ  ପ୍ରଚୁର ସୁନା ଟଙ୍କା ଦେଉଥିଲେ । ଅନଙ୍ଗଭୀମ ଦେବ  ଜଗନ୍ନାଥଙ୍କ ଗହଣା ପାଇଁ ପ୍ରାୟ ୨୮୦ କୁଇଣ୍ଟାଲ ସୁନା  ଦେଇଥିଲେ । ମାଦଳା ପାଞ୍ଜି ଅନୁସାରେ, ରାଜା ବିଭିନ୍ନ  ରାଜ୍ୟ ଜୟ କରି ଫେରିବା ପରେ ୫୫୮  କୁଇଣ୍ଟାଲରୁ ଅଧିକ ସୁନା ଦେଇଥିଲେ ।  ଆଉ ଜଣେ ଗଙ୍ଗ ରାଜା ୧୧୬ କିଲୋ  ସୁନା ଦେଇଥିଲେ । କପିଳେନ୍ଦ୍ର ଦେବ  ଦକ୍ଷିଣାତ୍ୟ ବିଜୟ ପରେ ୧୬ଟି  ହାତୀ ପିଠିରେ ଲଦି ଯେତେ ଧନରତ୍ନ  ଆଣିଥିଲେ ସବୁ ଜଗନ୍ନାଥଙ୍କୁ ଟେକି  ଦେଇଥିଲେ । ଠାକୁରଙ୍କ ପାଇଁ ସେ  ୧୪୦୦ ପ୍ରକାର ଗହଣା ଦେଇଥିଲେ ।  ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ଭାବରେ ପରିଚିତ  ଗଜପତି ରାଜା ରାମଚନ୍ଦ୍ର ଦେବ- ପ୍ରଥମ ଏକ ସ୍ୱତନ୍ତ୍ର ପୂଜା ଅବସରରେ  ୧୦୦୦ ସୁନା ମୋହର ଦେଇଥିଲେ ।  କିନ୍ତୁ ୧୮୦୫ ମସିହାରେ ଇଂରେଜ ସରକାର ଦ୍ୱାରା  ରତ୍ନଭଣ୍ଡାରର ପ୍ରଥମ ସରକାରୀ ଯାଞ୍ଚ ସମସ୍ତଙ୍କୁ ଆଚମ୍ବିତ  କରିଥିଲା । ପୁରୀ ଜିଲ୍ଲାପାଳ ଚାର୍ଲସ ଗ୍ରୋମଙ୍କ ରିପାର୍ଟରେ  ୬୪ ପ୍ରକାର ଗହଣା, ୧୨୮ ସୁନା, ୧୨୯୭ ରୁପା, ୧୦୬ଟି  ତମ୍ବା, ୨୪ ପୁରାତନ ସୁନା ଟଙ୍କା ଏବଂ ୧୩୩୩ ଖଣ୍ଡ ସୂତା  ଓ ସିଲ୍କ ଶାଢ଼ି ଥିବା ଦର୍ଶାଯାଇଛି । ଏହା ପରେ ରତ୍ନଭଣ୍ଡାର  ପ୍ରାୟ ୩ଥର ଯାଞ୍ଚ ହୋଇଛି । ୧୮୦୫ ମସିହା ଠାରୁ ୧୭୩  ବର୍ଷ ପରେ ୧୯୭୮ ମସିହାରେ ଶେଷ ଯାଞ୍ଚ ଅନୁଯାୟୀ  ରତ୍ନଭଣ୍ଡାରରେ ୧୨୮.୩୮ କିଲୋଗ୍ରାମ ଓଜନର ୪୫୪ଟି  ସୁନା ଏବଂ ୨୨୧.୫୩ କିଲୋଗ୍ରାମ ଓଜନର ୨୯୩ଟି ରୁପା  ସାମଗ୍ରୀ ଅଛି ।

ଗରିବ ଓଡ଼ିଆଙ୍କ ଧନୀ ଠାକୁର ଗରିବ ହେବାର  କାରଣ ଖୋଜିଲେ ଯେକେହି ୧୮ ଥରର ରକ୍ତାକ୍ତ  ଆକ୍ରମଣ ଓ ଲୁଣ୍ଠନକୁ ଇଙ୍ଗିତ କରିବେ । କିନ୍ତୁ କାରଣର  ତର୍ଜମା କଲାବେଳେ ଅନେକ ଅସହ୍ୟ ଦୁଖଦଃ ଘଟଣା  ଅନିଚ୍ଛା ସତ୍ତେ୍ୱ ଆଖି ସାମ୍ନାକୁ ଆସିଯାଏ । ଗଙ୍ଗ ରାଜାମାନେ ଜଗନ୍ନାଥଙ୍କୁ ‘ରାଷ୍ଟ୍ର ଦେବତା' ଏବଂ ଓଡ଼ିଶାର ରାଜା ଓ  ସେମାନେ ତାଙ୍କର ପ୍ରତିନିଧି ତଥା ସେବକ ବୋଲି  ଘୋଷଣା କରିଥିଲେ । ଜଗନ୍ନାଥଙ୍କୁ ଅସ୍ତ୍ର କରି ଶାସନ  କରିବାକୁ ଏହା ଏକ ଅଭିନବ ରାଜନୈତିକ ଯୋଜନା  କୁହାଯାଇପାରେ । କିନ୍ତୁ ଓଡ଼ିଶା ଏହାଦ୍ୱାରା ପ୍ରଚୁର ଲାଭବାନ ହୋଇଥିଲା । ଗଙ୍ଗାଠାରୁ କାବେରୀ ପର୍ଯ୍ୟନ୍ତ  ବିସ୍ତୃତ ଓଡ଼ିଶା ସାମ୍ରାଜ୍ୟକୁ ତତ୍କାଳୀନ ଭାରତର  ସର୍ବବୃହତ ହିନ୍ଦୁ ସାମ୍ରାଜ୍ୟ ବୋଲି ଗବେଷକମାନେ  ମତ ଦିଅନ୍ତି । ପ୍ରାୟ ୪୦୦ ବର୍ଷ ମୁସଲମାନ ଅଧିକାରରୁ  ରାଜ୍ୟକୁ ସୁରକ୍ଷା ସହିତ ଓଡ଼ିଶା ଐତିହ୍ୟର ସ୍ମାରକ ଭାବେ କାରୁକାର୍ଯ୍ୟଭରା ମନ୍ଦିରମାଳା ସେ ସମୟରେ ସମୃଦ୍ଧିର  ଜ୍ୱଳନ୍ତ ଉଦାହରଣ । ତେବେ ବିଡ଼ମ୍ବନା ଯେ, ଓଡ଼ିଶା ନିଜ  ପ୍ରଯୋଜିତ ଶାସନ ପଦ୍ଧତିକୁ ବଞ୍ଚେଇ ରଖିପାରିଲାନି ।  

ଗଜପତି ଦାବିଦାରମାନେ ସିଂହାସନ ଦଖଲ ପାଇଁ ଯୁଦ୍ଧ  ଓ ହତ୍ୟା ଭଳି କୁତ୍ସିତ ପନ୍ଥା ଆପଣେଇବାରୁ ଓଡ଼ିଶାକୁ  ଧନ, ଜନ, ମାନ, ସ୍ଥାନ ସବୁକିଛି ହରେଇବାକୁ ପଡ଼ିଲା ।  ‘ଜଗନାଥଙ୍କ ଆଦ୍ୟ ସେବକ', ‘ଠାକୁର ରାଜା', ‘ଚଳନ୍ତି  ବିଷ୍ଣୁ' ନାମରେ ପରିଚିତ ଗଜପତି ରାଜାମାନେ ରାଜ୍ୟ  ରାଜତ୍ୱ ହରାଇ ଅନ୍ୟର ଦୟାରେ ବଞ୍ଚିବାକୁ ବାଧ୍ୟ  ହେଲେ । ଦୁର୍ବଳ ରାଜା ଶତ୍ରୁଙ୍କୁ ସୁହାଏ । ସତେ ଯେମିତି  ଅପେକ୍ଷାରେ ଥିଲେ ଆଫଗାନ, ମୋଗଲ, ମରହଟ୍ଟା,  ଇଂରେଜମାନେ ଅସ୍ତଗାମୀ ଗଜପତି ସାମ୍ରାଜ୍ୟକୁ ଭିଣିବାର  ସୁଯୋଗକୁ ହାତଛଡ଼ା କରିନଥିଲେ । ‘ବୀରାଧିବୀରବର...  ଅତୁଳ ବଳ ପରାକ୍ରମ ସହସ୍ର ବାହୁ' ଗଜପତିଙ୍କ ମଧ୍ୟରୁ  ୪ଜଣଙ୍କୁ ବାରବାଟୀ ଦୁର୍ଗରେ ବନ୍ଦୀଜୀବନ କାଟିବାକୁ ପଡିଥିଲା। କାରାଗାରରେ ଜଣେ ଗଜପତିଙ୍କ ଧର୍ମ  ପରିବର୍ତ୍ତନ କରିଦେଲେ, ତାଙ୍କ ନାମ ରଖାଗଲା ‘ହାଫିଜ  କାଦିର ବେଗ' । ଜଗନ୍ନାଥଙ୍କ ପରମ ସେବକ ଭାବେ  ତାଙ୍କର ଅନେକ ସୁନାମ ଥିଲା । କିନ୍ତୁ ହିନ୍ଦୁ ସମାଜ ତାଙ୍କୁ  ଆଉ ଗ୍ରହଣ କଲାନି । ଶ୍ରୀମନ୍ଦିରରେ ତାଙ୍କର ପ୍ରବେଶକୁ ବାରଣ କରାଗଲା । ମନ୍ଦିର ଭିତରେ ନହେଲା ନାହିଁ,  ରାଜା ବଡ଼ଦାଣ୍ଡରୁ ଜଗନ୍ନାଥ ଦର୍ଶନ ପାଇଁ ସିଂହଦ୍ୱାରରେ ପତିତପାବନ ମୂର୍ତ୍ତି ସ୍ଥାପନ କଲେ । କିନ୍ତୁ ରାଜାଙ୍କ  ବିରୁଦ୍ଧରେ ସାମାଜିକ ରୋଷ ଥମିଲାନି । ଏହାପରେ ରାଜା  ମୁସଲମାନ ରାଣୀଙ୍କ ସହ ନରସିଂହପୁର ନିକଟ ଲାଖପଦ  ଗାଁରେ ଆଶ୍ରୟ ନିଅନ୍ତି ଏବଂ କିଛି ଦିନ ପରେ ଉଭୟ ବିଷ  ପିଇ ଆତ୍ମହତ୍ୟା କରନ୍ତି । 

ଆଉ ଜଣେ ରାଜାଙ୍କୁ ଇଂରେଜମାନେ ହତ୍ୟା  ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ଗୋଡ଼ରେ ବେଡ଼ି  ପକେଇ ଆଣ୍ଡାମାନ ଜେଲରେ ରଖିଲେ । ସେଠାରେ ତାଙ୍କର ମୃତ୍ୟୁ ହେଲା । ଜଣେ ଗଜପତି ରାଜା ମରହଟ୍ଟା  ସୈନ୍ୟଙ୍କୁ ଭଡ଼ାରେ ଆଣି ପାରଳାଖେମୁଣ୍ଡି ରାଜାଙ୍କ ସହ  ଯୁଦ୍ଧ କଲେ, କିନ୍ତୁ ପ୍ରତିଶ୍ରୁତି ମୁତାବକ ଏକଲକ୍ଷ ଟଙ୍କା ଯୁଦ୍ଧ  ବିଲ୍‌ ଦେଇନପାରିବାରୁ ପୁରୀ ମନ୍ଦିର ସମେତ ଅନେକ  ଅଞ୍ଚଳ କୋରଖରେ ହରେଇଲେ । ଅତ୍ୟାଚାର ସେତିକିରେ  ସରିଲାନି । ତାଙ୍କୁ ମିଛରେ ପାଗଳ ଓ ପୁତ୍ର ହତ୍ୟା  ଅଭିଯୋଗରେ ବାରବାଟୀ ଦୁର୍ଗରେ ୧୩ବର୍ଷ ରଖିଲା ପରେ  ସେଠାରେ ସେ ଶେଷନିଃଶ୍ୱାସ ତ୍ୟାଗ କଲେ । ଗଜପତି  ରାଜା ମୁକୁନ୍ଦ ଦେବ-ଦି୍ୱତୀୟଙ୍କୁ କିଛି କମ୍‌ ଦୁଃଖ ଭାଗିବାକୁ  ପଡ଼ିନି । ଇଂରେଜମାନେ ତାଙ୍କୁ ଓ ତାଙ୍କ ପୁଅ ତଥା ଭାବୀ  ଗଜପତି ରାମଚନ୍ଦ୍ର ଦେବ-ତୃତୀୟଙ୍କୁ ଗିରଫ କରି  ବାରବାଟୀ ଦୁର୍ଗରେ ରଖିଲେ । କିଛି ମାସ ପରେ ମୁକୁନ୍ଦ  ଦେବଙ୍କର ସେଠାରେ ମୃତ୍ୟୁ ହେଲା । ଅନ୍ତ୍ୟେଷ୍ଟିକ୍ରିୟା ପାଇଁ  ଟଙ୍କା ନାହିଁ । ନିରୁପାୟ ହୋଇ ରାମଚନ୍ଦ୍ର ଦେବ ଇଂରେଜ  ସରକାରକୁ ୧୦,୦୦୦ ଟଙ୍କା ସାହାଯ୍ୟ ମାଗି ନିରାଶ  ହେବା ପରେ ମହାଜନ ଠାରୁ ଅଧିକ ସୁଧରେ ଟଙ୍କା  ଆଣି କାମ ଚଳେଇଲେ । ଇଂରେଜମାନେ ରାଜାଙ୍କୁ ମାସିକ  ୨୧୩୩ ଟଙ୍କା ପେନସନ ଘୋଷଣା କରି ତାଙ୍କର ସମସ୍ତ  ସମ୍ପତ୍ତି ବାଜ୍ୟାପ୍ତି କରି ନେଇଗଲେ । ଏବେ ଦାରୁମୂର୍ତ୍ତିଙ୍କୁ  ଲୁଚାଇବାର ଭୟ ନାହିଁ । ନା ଅଛି ରତ୍ନଭଣ୍ଡାର ଲୁଣ୍ଠନର  ଆଶଙ୍କା ଅବା ଧର୍ମାନ୍ଧ ଶାସକଙ୍କ ଦୌରାତ୍ମ୍ୟ । କେବଳ  ଅପେକ୍ଷା ନିରାକାରଙ୍କୁ ନୈବେଦ୍ୟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.