ଗଣମାଧ୍ୟମରେ ଭୂମିକମ୍ପ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଚାର କରାଯିବା ଆବଶ୍ୟକ । ସମୁଦ୍ର ନିକଟରେ ରହୁଥିଲେ ସୁନାମିର ସତର୍କ ସୂଚନା ପାଇଲେ ସୁରକ୍ଷିତ ଉଚ୍ଚା ସ୍ଥାନକୁ ଚାଲିଯିବା ଜରୁରି । ଭୂମିକମ୍ପ ପୂର୍ବରୁ ଗୃହପାଳିତ ପଶୁମାନେ ଅଜବ ବ୍ୟବହାର ପ୍ରଦର୍ଶନ କରନ୍ତି । ସେହି ବ୍ୟବହାରକୁ ଲକ୍ଷ୍ୟକରି ସତର୍କତା ଅବଲମ୍ବନ କରିପାରିଲେ ମଧ୍ୟ ଖୁବ୍ ଭଲ । ୨୦୧୪ ଭୂମିକମ୍ପ ଓଡ଼ିଶା ପାଇଁ ସତର୍କ ଘଣ୍ଟି । ଓଡ଼ିଶାର କମ୍ପନ- ପ୍ରବଣତା ଉପରେ ଆଉ ଥରେ ଆକଳନ ଜରୁରି । ଓଡ଼ିଶାରେ କୋଠା ନିର୍ମାଣ କାର୍ଯ୍ୟରେ ଏଥିପ୍ରତି ଦୃଷ୍ଟି ରଖିବା ଜରୁରି । ଆମ ରାଜ୍ୟରେ କୋଠାଗୁଡ଼ିକ ଭୂମିକମ୍ପ ରହିତ ଶୈଳୀରେ ନିର୍ମିତ ହେବା ଦରକାର ।
ପୃଥିବୀର ପେଟ ଭିତରଟା ଭୟଙ୍କର । ପୃଥିବୀକୁ ଘୋଡ଼େଇ ରଖିଥିବା କଠିନ ମାଟିର (ଭୂତ୍ୱକ୍) ମୋଟେଇ ମାତ୍ର ୧୫ରୁ ୭୫ କିଲୋମିଟର, ଯାହାକି ଅଣ୍ଡାଖୋଳପା ଭଳି ରହିଛି । ତା' ତଳକୁ ରହିଛି ୨୯୦୦ କିଲୋମିଟର ମୋଟେଇର ଅର୍ଦ୍ଧତରଳ ଗରମ ମାଣ୍ଟେଲ ସ୍ତର । ତେଣୁ ଅର୍ଦ୍ଧତରଳ ମାଣ୍ଟେଲ ଉପରେ ପତଳା ଭୂପୃଷ୍ଠ ଭାସମାନ ଅବସ୍ଥାରେ ଅଛି । ଭାସମାନ ଭୂପୃଷ୍ଠ ପୁଣି ସାତଖଣ୍ଡ ପ୍ଲେଟ୍ରେ ବିଭକ୍ତ । ସେହି ପ୍ଲେଟ୍ଗୁଡ଼ିକ ଅତି ଧୀରେ ଧୀରେ ଗତି କରନ୍ତି । ଉଦାହରଣ ସ୍ୱରୂପ, ଜିପିଏସ୍ ସୂଚନା ଆନୁଯାୟୀ ଇଣ୍ଡିଆନ୍ ପ୍ଲେଟ୍ ବର୍ଷକୁ ୧.୪ ସେଣ୍ଟିମିଟର ବେଗରେ ଚାଇନିଜ୍ ପ୍ଲେଟ୍ ଆଡ଼କୁ ଗତି କରୁଛି । ପ୍ଲେଟ୍ଗୁଡ଼ିକ ପରସ୍ପର ବାଡେଇ ହେଲେ ଭାଙ୍ଗ (ଫଲ୍ଟ) ସୃଷ୍ଟି ହୁଏ ଓ ସେଠାରେ ତୀବ୍ର କମ୍ପନ ସୃଷ୍ଟି ହୁଏ । ସେହି କମ୍ପନ ହିଁ ଭୂମିକମ୍ପ ।
ଭୂମିକମ୍ପ ଏମିତି ଏକ ବିପର୍ଯ୍ୟୟ, ଯାହାକୁ ଅଟକାଇ ହେବନାହିଁ କିମ୍ବା ଯାହାର ସଠିକ୍ ପୂର୍ବାନୁମାନ କରିହେବ ନାହିଁ । ଗତ ୩୦.୭.୨୫ ତାରିଖ ବୁଧବାର ସକାଳେ ରୁଷିଆର ପୂର୍ବ-ଉପକୂଳରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଯାଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୮.୮ ଥିଲା । ଏହାଠାରୁ ଆହୁରି ଭୟଙ୍କର ୯.୧ ତୀବ୍ରତାର ଭୂମିକମ୍ପ ୨୦୦୪ ମସିହାରେ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଓ ୨୦୧୧ ମସିହାରେ ଜାପାନର ହାନସୁ ଦ୍ୱୀପରେ ହୋଇଥିଲା । ସବୁଠାରୁ ୧୦ଟି ଭୟାନକ ଭୂମିକମ୍ପ ଏସବୁ ସ୍ଥାନ ପାଇଛି । ଭୂମିକମ୍ପକୁ ଆମେ ଅଟକାଇ ପାରିବା ନାହିଁ । ଆମେ କିନ୍ତୁ ଭୂମିକମ୍ପ ସଂପର୍କରେ ସଚେତନ ରହିପାରିବା । ବିଶେଷ କୌଶଳ ଅବଲମ୍ବନ କରି ଭୂମିକମ୍ପ ଦ୍ୱାରା ନଷ୍ଟ ହେଉନଥିବା ଘର ତିଆରି କରିବା ଜରୁରି । ଯେଉଁ ଅଞ୍ଚଳଗୁଡ଼ିକ ଭୂମିକମ୍ପପ୍ରବଣ, ସେଠାରେ ସବୁ ଘରେ ଶୁଖିଲା ଖାଦ୍ୟ ପଦାର୍ଥ, ପ୍ରାଥମିକ ଚିକିତ୍ସା ଉପକରଣ, ବ୍ୟାଟେରୀ ଚାଳିତ ଟର୍ଚ୍ଚ ଓ ରେଡିଓ ଥିବା ଦରକାର । ପରିବାରର ସମସ୍ତେ ଭୂମିକମ୍ପ ସମୟରେ ପରିସ୍ଥିତିର ମୁକାବିଲା କରିବା ବିଷୟରେ ଜାଣିଥିବା ଦରକାର ।
ଭୂମିରେ କମ୍ପନ ଆରମ୍ଭ ହେବା ମାତ୍ରେ ଘରୁ ବାହାରକୁ ଦୌଡ଼ି ପଳାଇବ । ନଯାଇପାରିଲେ ଭୂମିକମ୍ପ ସମୟରେ ଘର ଭିତରେ ଥିଲେ ଝରକା ଓ କବାଟ ଠାରୁ ଦୂରରେ ରହି ଶକ୍ତ ଟେବୁଲ୍ ତଳେ ବସି ରହିଲେ ଭଲ । ପରେ ସୁବିଧା ଦେଖି ବାହାରକୁ ବାହାରିବା ଉଚିତ । ତଳକୁ ଓହ୍ଲାଉଥିଲେ ଲିଫ୍ଟ ଦ୍ୱାରା ନଆସି ପାହାଚରେ ଆସିବା ଉଚିତ । ଥରେ କମ୍ପନ ବନ୍ଦ ହେବା ପରେ ମଧ୍ୟ ପୁଣି କମ୍ପନ ନିମନ୍ତେ ପ୍ରସ୍ତୁତ ରହିବା ଦରକାର । ଭୂମିକମ୍ପ ବେଳେ ବ୍ୟସ୍ତ ନହୋଇ ବିପଦର ମୁକାବିଲା କରିବା ପାଇଁ ଲୋକମାନେ ଆଗରୁ ତାଲିମ ନେବା ଆବଶ୍ୟକ । ଗଣମାଧ୍ୟମରେ ଭୂମିକମ୍ପ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଚାର କରାଯିବା ଆବଶ୍ୟକ । ସମୁଦ୍ର ନିକଟରେ ରହୁଥିଲେ ସୁନାମିର ସତର୍କ ସୂଚନା ପାଇଲେ ସୁରକ୍ଷିତ ଉଚ୍ଚା ସ୍ଥାନକୁ ଚାଲିଯିବା ଜରୁରି । ଭୂମିକମ୍ପ ପୂର୍ବରୁ ଗୃହପାଳିତ ପଶୁମାନେ ଅଜବ ବ୍ୟବହାର ପ୍ରଦର୍ଶନ କରନ୍ତି । ସେହି ବ୍ୟବହାରକୁ ଲକ୍ଷ୍ୟକରି ସତର୍କତା ଅବଲମ୍ବନ କରିପାରିଲେ ମଧ୍ୟ ଖୁବ୍ ଭଲ ।
ଭୂମିକମ୍ପଜନିତ କ୍ଷୟକ୍ଷତିକୁ ରୋକିବା ପାଇଁ ଉପଯୁକ୍ତ ପରିଚାଳନା ଆବଶ୍ୟକ । ଉପଶମ ଦ୍ୱାରା ଅନେକ ଧନ ଜୀବନକୁ ରକ୍ଷା କରିହେବ । ଭୂମିକମ୍ପ ଘଟିଥିବା ଅଞ୍ଚଳକୁ ଯଥାଶୀଘ୍ର ଗମନାଗମନ ସୁବିଧା କରାଯାଇ ପୀଡ଼ିତମାନଙ୍କୁ ତୁରନ୍ତ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତରିତ କରାଯିବା ଜରୁରି । ସେମାନଙ୍କୁ ଖାଦ୍ୟ, ପାନୀୟ ଓ ଚିକିତ୍ସା ଯୋଗାଇଦେବା ଦରକାର । କ୍ଷତିଗ୍ରସ୍ତ ଅଞ୍ଚଳକୁ ଖୁବ୍ଶୀଘ୍ର ଜଳ ଓ ବିଦ୍ୟୁତ ଯୋଗାଣ ଭଳି ଅତ୍ୟାବଶ୍ୟକ ସୁବିଧା କରିଦେବା ଦରକାର । ଭୂମିକମ୍ପରେ ତଳେ ଚାପିହୋଇ ରହିଥିବା ଲୋକଙ୍କୁ ବାହାର କରିବା ପାଇଁ ଘଟଣାସ୍ଥଳରେ ଆବଶ୍ୟକ ଯନ୍ତ୍ରପାତି ପହଞ୍ଚିବା ଦରକାର । ମାଟି ଭିତରେ ରହିଥିବା ଶବଗୁଡ଼ିକୁ ଚିହ୍ନଟ କରିବା ପାଇଁ ସନ୍ଧାନୀ କୁକୁରର ସହାୟତା ନେବା ଦରକାର । ଭୂମିକମ୍ପ ଘଟିଥିବା ଅଞ୍ଚଳରେ ଅନୁଭୂତ କମ୍ପନର ସଠିକ୍ ଅନୁଶୀଳନରୁ ଆଗାମୀ କମ୍ପନର ସୂଚନା ଦେବା ଜରୁରି । ନିର୍ଦ୍ଧାରିତ କୋଡ୍ ଅନୁଯାୟୀ ଘର ତିଆରି କରିବା ପାଇଁ ବିହିତ ପଦକ୍ଷେପ ନେବା ଦରକାର । ଭୂମିକମ୍ପର ମାନଚିତ୍ର ଅଛି । ବିଭିନ୍ନ ଅଞ୍ଚଳର ଭୂମିକମ୍ପ ସମ୍ଭାବନା ବିଷୟରେ ସେଥିରେ କୁହାଯାଇଛି ।
ଭୂମିକମ୍ପ ସମ୍ଭାବନାକୁ ନେଇ ଭାରତକୁ ସମୁଦାୟ ୪ଟି ଜୋନ୍ରେ ବିଭକ୍ତ କରାଯାଇଛି, ଯଥା– ଜୋନ୍ ୨ (ତୀବ୍ରତା ୬ରୁ କମ୍), ଜୋନ୍ ୩ (ତୀବ୍ରତା ୭), ଜୋନ୍ ୪ (ତୀବ୍ରତା ୮) ଓ ଜୋନ୍ ୫ (ତୀବ୍ରତା ୯ରୁ ଅଧିକ) । ଜୋନ୍-୨ ଅଧୀନରେ ରହିଛି ଓଡ଼ିଶାର ଦକ୍ଷିଣ ଭାଗ, କେଉଁଝର ଓ ମୟୂରଭଞ୍ଜ । କିନ୍ତୁ ଚିଲିକାରୁ ଭିତରକନିକା, ଝାରସୁଗୁଡ଼ା, ସୁନ୍ଦରଗଡ଼, ଭୁବନେଶ୍ୱର, କଟକ, ସମ୍ବଲପୁର, ହୀରାକୁଦ ବନ୍ଧ, ଢେଙ୍କାନାଳ ଓ ବାଲେଶ୍ୱରର କିଛି ଅଞ୍ଚଳ ଜୋନ୍-୩ ଅଧୀନରେ ରହିଛି । ଓଡ଼ିଶାକୁ ଅତି-ଭୂକମ୍ପପ୍ରବଣ ଭୂଖଣ୍ଡରେ ନିଆଯାଏ ନାହିଁ । ଓଡ଼ିଶାରେ ଖୁବ୍ ଅଳ୍ପ ଭୂମିକମ୍ପ ଅନୁଭୂତ ହୋଇଛି ଓ ଧନଜୀବନ ହାନି ଘଟିନାହିଁ । କିନ୍ତୁ ଓଡ଼ିଶାରେ ବଡ଼ ଭୂକମ୍ପ ସମ୍ଭାବନାକୁ ଏଡ଼େଇ ହେବନାହିଁ ।
୨୦୧୪ ମଇ ୨୧ ବୁଧବାର ରାତି ୯ଟା ୫୨ ମିନିଟ୍ ସମୟର ଭୂମିକମ୍ପ ଆମକୁ ଭୟଭୀତ କରିସାରିଛି । ସେହି ତୀବ୍ରତାର କମ୍ପନ ୪୦ ସେକେଣ୍ଡ ବଦଳରେ ୪ ମିନିଟ ହୋଇଥିଲେ ଓଡ଼ିଶାବାସୀଙ୍କୁ ଅନେକ କ୍ଷୟକ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଥାଆନ୍ତା । ଏଠାରେ ଲାଟୁର ଓ ଜବଲପୁର ଉଦାହରଣ ନିଆଯାଇପାରିବ । ଓଡ଼ିଶା ଭଳି ସେଗୁଡ଼ିକ ବିପଦମୁକ୍ତ ଭୂକମ୍ପନ ଜୋନ୍ ଅଧୀନରେ ଥିଲା । କିନ୍ତୁ ୨୦୦୧ ମସିହାରେ ଲାଟୁର ଓ ୧୯୯୭ ମସିହାରେ ଜବଲପୁର ଭୂମିକମ୍ପ ଆମର ଅନୁମାନକୁ ଭୁଲ୍ ପ୍ରମାଣିତ କରିଥିଲା । ୨୦୧୪ ଭୂମିକମ୍ପ ଓଡ଼ିଶା ପାଇଁ ସତର୍କ ଘଣ୍ଟି । ଓଡ଼ିଶାର କମ୍ପନ-ପ୍ରବଣତା ଉପରେ ଆଉ ଥରେ ଆକଳନ ଜରୁରି । ଓଡ଼ିଶାରେ କୋଠା ନିର୍ମାଣ କାର୍ଯ୍ୟରେ ଏଥିପ୍ରତି ଦୃଷ୍ଟି ରଖିବା ଜରୁରି । ଆମ ରାଜ୍ୟରେ କୋଠାଗୁଡ଼ିକ ଭୂମିକମ୍ପ ରହିତ ଶୈଳୀରେ ନିର୍ମିତ ହେବା ଦରକାର ।