ବାରିପଦା,୧୫/୫ : ଆତଙ୍କବାଦ ବିରୋଧୀ ଅଭିଯାନ ‘ଅପରେସନ୍ ସିନ୍ଦୂର’ର ସଫଳତା ପରେ ଭାରତୀୟ ସେନା ବାହିନୀର ଦକ୍ଷତାକୁ ସମ୍ମାନ ଜଣାଇବା ତଥା ସେମାନଙ୍କ ମନୋବଳକୁ ଦୃଢ଼ କରିବା ଉଦେଶ୍ୟରେ ଗୁରୁବାର ବାରିପଦାଠାରେ ଏକ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବାହାରି ସହରର ବିଭିନ୍ନ ରାସ୍ତାରେ ପରିକ୍ରମା କରି ପୌରପାଳିକା ଗେଷ୍ଟ ହାଉସ ପାଖରେ ସମ୍ପୂର୍ଣ୍ଣ ହୋଇଥିଲା।
ତ୍ରିରଙ୍ଗା ବାଇକ ଯାତ୍ରାରେ ଜିଲ୍ଲାପାଳ ହେମ କାନ୍ତ ସୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ନିଜାରତ ଅଧିକାରୀ ଶ୍ରୀକାନ୍ତ ସାହୁ ପ୍ରମୁଖ ତ୍ରିରଙ୍ଗା ପତାକା ଧରି ବାଇକ ଯାତ୍ରାରେ ଅନ୍ୟମାନଙ୍କ ସହିତ ସାମିଲ ହୋଇଥିଲେ। ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ପତାକା ଦେଖାଇ ଏହାକୁ ଶୁଭ ଉଦଘାଟନ କରିଥିଲେ। ଏହି ବାଇକ ଶୋଭାଯାତ୍ରାରେ ୭୦୦ରୁ ଊର୍ଦ୍ଧ୍ବ ବିଭିନ୍ନ ବର୍ଗ ଯଥା ପୋଲିସ ପଦାଧିକାରୀ, ପୋଲିସ କର୍ମଚାରୀ, ସରକାରୀ ପଦାଧିକାରୀ, କର୍ମଚାରୀ, ଲୋକପ୍ରତିନିଧି, ଏନସିସି, ଏନଏସଏସ, କ୍ରୀଡା ଛାତ୍ର ସ୍ବେଛାସେବୀ, ବୁଦ୍ଧିଜୀବୀ ଏବଂ ସାଧାରଣ ଜନତା ବିପୁଳ ସଂଖ୍ୟାରେ ସାମିଲ ହୋଇ ଶୋଭାଯାତ୍ରାରେ ନିଜ ସହିତ ତ୍ରିରଙ୍ଗା ପତାକା ଧରି ବାଇକ ଚଳାଇ ବନ୍ଦେ ମାତରମ, ଭାରତ ମାତାକି ଜୟ, ଜୟ ଯବାନ ଇତ୍ୟାଦି ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ।
ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ‘ଅପରେସନ୍ ସିନ୍ଦୂର’ର ସଫଳତା ପରେ ଭାରତୀୟ ସେନାବାହିନୀର ପରାକ୍ରମକୁ ସମ୍ମାନ ପ୍ରଦର୍ଶନ ଉଦେଶ୍ୟରେ ଆଜିର ଏହି ତ୍ରିରଙ୍ଗା ବାଇକ୍ ଯାତ୍ରା ଆତଙ୍କବାଦ ବିରୁଦ୍ଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବ। ତ୍ରିରଙ୍ଗା ତଳେ ଯେତେବେଳେ ସବୁ ଭାରତୀୟ ଏକତ୍ରିତ ହେବେ ସେତେବେଳେ କୌଣସି ଶକ୍ତି ଭାରତ ବିରୁଦ୍ଧରେ ସଫଳ ହେବେ ନାହିଁ । ତ୍ରିରଙ୍ଗାର ତିନି ରଙ୍ଗ ଆମକୁ ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟର ଆଦର୍ଶରେ ଅନୁପ୍ରାଣିତ କରିଥାଏ । ଆମ ପାଖରେ ସହନଶୀଳତା ରହିଛି ମାତ୍ର ଯେତେବେଳେ ଦେଶର ସୁରକ୍ଷା ତଥା ଦେଶବାସୀଙ୍କ ଜୀବନ ପ୍ରତି ବିପଦ ଆସେ ସେତେବେଳେ ନିଶ୍ଚିତ ଭାବେ ଶତ୍ରୁ ବିରୁଦ୍ଧରେ ଲଢୁ। ଆମର ସେନାବାହିନୀର ବୀର ଯବାନମାନେ ସିନ୍ଦୁରର ମର୍ଯ୍ୟଦା ରଖି ଶତ୍ରୁ ପକ୍ଷଙ୍କୁ ଉଚିତ ଜବାବ ଦେଇଛନ୍ତି । ଆମ ଦେଶର ବୀର ଯବାନମାନଙ୍କୁ ମୁଁ ହୃଦୟରୁ ସମ୍ମାନ ଜଣାଉଛି ।
ଏହି ଅବସରରେ ସେନାବାହିନୀଙ୍କୁ ସମ୍ମାନ ଜଣାଇବା ଉଦେଶ୍ୟରେ ଦସ୍ତଖତ ଅଭିଯାନ କରାଯାଇଥିଲା। ବାରିପଦା ପୌରପାଳିକା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ପୌରପାଳିକା ଉପାଧ୍ୟକ୍ଷା ସୀମା ଦାସ, ଅତିରିକ୍ତ ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ନାଏକ, ପୌର ପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ କିଷାନ, ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ, ବିଭିନ୍ନ ୱାର୍ଡ଼ର କାଉନସିଲର ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।