କୋଇଡ଼ା,୧୧/୦୫: ରିଲ୍‌ସ ନିଶାରେ ପଡ଼ି  ଅକାଳରେ ଝଡ଼ି ଯାଉଛି  ଅନେକ ଲୋକଙ୍କ ଜୀବନ ।  ଏହା ପରେ ବି ଲୋକେ  ରିଲ୍‌ସ କରିବା ଛାଡ଼ୁନାହାନ୍ତି ।  ଏଭଳି ଏକ ଘଟଣା ଶନିବାର  ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା  ବ୍ଲକ୍‌ କେ.ବଲାଙ୍ଗ ଅଞ୍ଚଳରେ ଦେଖିବାକୁ ମିଳିଛି । ଟ୍ରକ୍‌ ଛିଡ଼ା କରି ପୋଲ  ଉପରେ ଛିଡ଼ା ହୋଇ ଚାଳକ ଜଣକ ମୋବାଇଲରେ ରିଲ୍‌ସ କରୁଥିବା  ବେଳେ ଖସି ପଡ଼ି ପ୍ରାଣ ହରାଇଛନ୍ତି । ମୃତକ ଜଣକ ହେଲେ ସୁରେଶ  କୁମାର ଓ ତାଙ୍କ ଘର ଉତ୍ତରପ୍ରଦେଶରେ ସୂଚନା ମିଳିଛି । 

ଶନିବାର  ସକାଳେ ରାଉରକେଲାରୁ କୋଇଡ଼ା ଅଭିମୁଖେ ଏକ ୧୮ ଚକିଆ ଖାଲି  ଟ୍ରକ୍‌ (ଓଡି୧୬କେ ୭୧୭୧) ଚଳାଇ ସୁରେଶ ଆସୁଥିଲେ । କେ.ବଲାଙ୍ଗ  ଥାନା ଅନ୍ତର୍ଗତ ୫୨୦ ଜାତୀୟ ରାଜପଥ ନିକଟରେ ଥିବା ଚୂନାଘାଟି  ପୋଲ ଉପରେ ଗାଡ଼ି ଛିଡ଼ା କରିଥିଲେ । ପୋଲ ବାଡ଼ାରେ ଛିଡ଼ା ହୋଇ  ମୋବାଇଲରେ ରିଲ୍‌ସ କରୁଥିବା ବେଳେ ଅସାବଧାନତା ଯୋଗୁଁ ପ୍ରାୟ ୭୦  ଫୁଟ୍‌ ତଳକୁ ଖସି ପଡ଼ିଥିଲେ । ଫଳରେ ତଳେ ଥିବା ପଥରରେ ତାଙ୍କ  ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ  ଘଟିଥିଲା । ଚାଳକ ଜଣକ ମୋବାଇଲରେ ରିଲ୍‌ସ କରୁଥିବା ସମୟରେ  ଏଭଳି ଘଟଣା ଘଟିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।  ମୃତଦେହ ଜବତ କରି ଡାକ୍ତରଖାନାରେ ପୁଲିସ୍‌ ରଖିବା ସହ ପରିବାର  ଲୋକଙ୍କୁ ଏ ନେଇ ସୂଚନା ଦିଆଯାଇଥିବା ଥାନାର ଭାରପ୍ରାପ୍ତ ଅଧିକାରୀ  ଅଶୋକ କୁମାର ବେହେରା କହିଛନ୍ତି।