ରାଜଗାଙ୍ଗପୁର,୨୨/୬ : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା କାଂଶବାହାଲ ଫାଣ୍ଡି ଅନ୍ତର୍ଗତ ବରପାଲି ଟୋଲ ଗେଟ ନିକଟରେ । ରାଜ୍ୟ ରାଜପଥ ୧୦ବିଜୁ ଏକ୍ସପ୍ରେସ ୱେରେ ଆଜି ଦ୍ୱିପ୍ରହର ସମୟରେ ଏକ ସ୍କୁଟିକୁ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ସ୍କୁଟି ଅରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍କୁଟି ଚାଳକ ଆହତ ହୋଇଛନ୍ତି। ମୃତକ ଓ ଆହତ ଜଣକ ନିକଟସ୍ଥ ବରପାଲି ଗ୍ରାମର ସୁକାନ୍ତ ଡୁଙ୍ଗଡୁଙ୍ଗ ଏବଂ ରୋଶନ କେର୍କେଟା ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ଆଜି ଦ୍ୱିପ୍ରହରରେ ସୁକାନ୍ତ ଓ ରୋଶନ ଏକ ସ୍କୁଟି ଯୋଗେ ମାଣ୍ଡିଆକୁଦର ପଟୁ ବରପାଲି ଆଡ଼କୁ ଆସୁଥିଲେ । ଏହି ସମୟରେ ଟୋଲ୍ ଗେଟ ପୂର୍ବରୁ ଏକ ପେଟ୍ରୋଲ ପମ୍ପ ନିକଟରେ ପଛ ପଟୁ ଏକ ଟ୍ରକ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସ୍କୁଟି ଆରୋହୀ ସୁକାନ୍ତ ଓ ରୋଶନ ରାସ୍ତାକୁ ଛିଟିକି ପଡ଼ିଥିଲେ । ଏହି ସମୟରେ ମୃତ ସୁକାନ୍ତଙ୍କ ମୁଣ୍ଡ ଉପରେ ଟ୍ରକ୍ ଚକ ଚଢି ଯିବାରୁ ଘଟଣାସ୍ଥଳରେ ତାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ସ୍କୁଟି ଚାଳକ ରୋଶନ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ଖବରପାଇ କାଂଶବାହାଲ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଥିବାବେଳେ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ସିଏଚସିକୁ ଚିକିତ୍ସା ପାଇଁ ପଠାଯାଇଛି ।