ରାଉରକେଲା,୦୨/୦୭: ଫୁଟପାଥରେ ଶୋଇଥିବା ଜଣେ ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ଟ୍ରକ୍‌ । ଘଟଣାସ୍ଥଳରେ ଚାଲିଗଲା ଜୀବନ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ ରାଉରକେଲା ସହରର ପୁରୁଣା ଷ୍ଟେସନ ରୋଡର ଗଣେଶ ଚୌକ ନିକଟରେ ଫୁଟପାଥରେ ଶୋଇଥିବା ଜଣେ ବ୍ୟକ୍ତିଙ୍କୁ ଟ୍ରକ୍‌ ଚାପି ଦେଇଛି । 

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଟ୍ରକ୍‌ ଚାଳକ ଦ୍ରୁତ ଗତିରେ ବେପରୁଆ ଭାବରେ ଗାଡ଼ି ଚଲାଇ ଫୁଟପାଥ୍‌ରେ ଗାଡ଼ି ଚଢାଇ ଦେଇଥିଲେ । ଫଳରେ ଫୁଟପାଥ୍‌ ଉପରେ ଶୋଇଥିବା ବ୍ୟକ୍ତିଙ୍କ ଉପରେ ଟ୍ରକ୍‌ଟି ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ପ୍ଲାଣ୍ଟ ସାଇଟ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଲୋକମାନେ ଟ୍ରକ୍‌ଟିକୁ ଅଟକ ରଖିବା ସହ ଚାଳକଙ୍କୁ ଠେଲାପେଲା କରିଥିଲେ। ଏହି ଦୁର୍ଘଟଣା ପରେ ଆନ୍ଦୋଳନକାରୀମାନେ ଉକ୍ତ ଅଞ୍ଚଳରେ ଭାରୀ ଯାନ ଚଳାଚଳ ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି । ଏହା ସହିତ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ  ଦାବି କରିଛନ୍ତି । ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି।