ବେଲବାହାଳୀ,୮/୩(ଆପ୍ର): ହୁତୁ ହୁତୁ ହୋଇ ଜଳିଗଲା ସିମେଣ୍ଟ ବୋଝେଇ ଟ୍ରକ୍ ।କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ବେଲବାହାଳୀ ସିଆପଡା ଛକ ୨୦ନଂ ଜାତୀୟ ରାଜପଥ ନିକଟରେ ଜଳିଗଲା।
ଡ୍ରାଇଭର ଗାଡି ରଖି ହୋଟେଲକୁ ଖାଇବା ପାଇଁ ଯାଇଥିବା ବେଳେ ଅଚାନକ ଭାବେ ଜଳିବା ଆରମ୍ଭ କରିଥିଲା ଗାଡି । ସ୍ଥାନୀୟ ଲୋକେ ଗାଡିଟି ହୁ ହୁ ହୋଇ ଜଳୁଥିବା ଦେଖି ଡ୍ରାଇଭରକୁ ଡାକିବା ସହିତ ଘଷିପୁରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ଅଧିକାରୀ ରାଧୁ ଚରଣ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।ଖବର ପାଇ ରାମଚନ୍ଦ୍ରପୁର ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ସାଇଁକୁଳ ଫାଣ୍ଡି ଅଧିକାରୀ ସୁରେଶ କୁମାର ମାଝୀ ପହଞ୍ଚି ରାସ୍ତା କ୍ଲିଅର କରି ଗାଡିକୁ ଜବତ କରିଛନ୍ତି । ଗାଡି ମାଲିକଙ୍କ ଘର କଟକ ଜିଲ୍ଲାରେ ବୋଲି ଜଣାପଡ଼ିଥିବା ବେଳେ ଗାଡିଟି କଟକ ରୁ ସିମେଣ୍ଟ ବୋଝେଇ କରି କେନ୍ଦୁଝର ଯାଉଥିଲା। ସର୍ଟ ସର୍କିଟରୁ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି।