ନୂଆଦିଲ୍ଲୀ,୧।୯:  ଚୀନର ତିଆନଜିନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ହେଲେ ଏହାକୁ ସହଜରେ ହଜମ କରିପାରି ନାହାନ୍ତିଁ ଆମେରିକା ରାଷ୍ଟ୍ରପତି ଡେନାଲ୍ଡା ଟ୍ରମ୍ପ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଟ୍ରମ୍ପ। ସେ କହିଛନ୍ତି, ଭାରତ ସହ ଆମେରିକାର ବାଣିଜ୍ୟ ଏକତରଫା ଥିଲା। ଭାରତ ବହୁ ବର୍ଷ ହେବ ଆମ ସହ ଏକତରଫା ବାଣିଜ୍ୟ କରୁଥିଲା। ଆମଠାରୁ କମ୍ ପରିମାଣରେ ତୈଳ କ୍ରୟ କରୁଥିଲା, କିନ୍ତୁ ଅଧିକ ଦାମ୍‌ରେ ଜିନିଷ ବିକ୍ରି କରୁଥିଲା। ହେଲେ ଆମେ କିନ୍ତୁ କମ୍‌ ମୂଲ୍ୟରେ ଜିନିଷ ବିକ୍ରି କରୁଥିଲୁ।

ଏସ୍‌ସିଓ ସମ୍ମିଳନୀରେ ପିଏମ୍‌ ମୋଦିଙ୍କ ଭାଗିଦାରୀ ପରେ ଟ୍ରମ୍ପଙ୍କ ଏହା ଆସିଛି ପ୍ରଥମ ପ୍ରତିକ୍ରିୟା। ସୋସିଆଲ ମିଡିଆ ସାଇଟ୍ ‘ଟ୍ରୁଥ୍ ସୋସିଆଲ’ରେ ନିଜର ମନକଥା ଖୋଲି ଦେଇଛନ୍ତି ଟ୍ରମ୍ପ। ସେ କହିଛନ୍ତି, ବହୁତ କମ୍ ଲୋକ ଏହା ବୁଝନ୍ତି ଯେ, ଆମେ ଭାରତ ସବୁ କମ୍ ବାଣିଜ୍ୟ କରୁଥିଲୁ, କିନ୍ତୁ ସତ କଥା ହେଲା ଆମେ ଭାରତଠାରୁ ଅଧିକ ଦାମ୍‌ ଦେଇ ଜିନିଷ କିଣୁଥିଲୁ, କିନ୍ତୁ ଭାରତକୁ କମ୍ ମୂଲ୍ୟରେ ସାମଗ୍ରୀ କ୍ରୟ କରୁଥିଲୁ। ଆମେ ଭାରତର ବଡ଼ ଗ୍ରାହକ ଥିଲୁ, କିନ୍ତୁ ଆମର ସାମଗ୍ରୀ ସେଠାରେ ବିକ୍ରି ହେଉନଥିଲା। ଏପର୍ଯ୍ୟନ୍ତର ସମ୍ପର୍କ କେବଳ ଏକତରଫା ଥିଲା। ଏହା ବହୁ ଦଶକ ଧରି ଚାଲିଆସିଥିଲା।

କେବଳ ସେତିକିରେ ଅଟକି ନଥିଲେ ଟ୍ରମ୍ପ। ଆମେରିକାରୁ ଭାରତ କିଣୁଥିବା  ଅଶୋଧିତ ତୈଳ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଟ୍ରମ୍ପ କହିଛନ୍ତି, ଭାରତ ନିଜର ଅଧିକାଂଶ ତୈଳ ଆମଦାନୀ ଓ ସାମରିକ ଅସ୍ତ୍ରଶସ୍ତ୍ର ରୁଷରୁ କିଣିଥାଏ। ଆମେରିକାଠାରୁ ବହୁତ କମ୍ ପରିମାଣରେ କିଣିଥାଏ। ଏହାଛଡା ଆମ ଉପରେ ଭାରତ ଅଧିକ ଟାରିଫ୍ ଲଗାଇଥାଏ। ତାହା ଅନ୍ୟ କୌଣସି ଦେଶ ତୁଳନାରେ ଖୁବ୍ ଅଧିକ। ଏହି କାରଣରୁ ଆମର ବ୍ୟବସାୟୀ ଭାରତରେ ବାଣିଜ୍ୟ କରିପାରନ୍ତି ନାହିଁ। ଭାରତ ବହୁ ଦଶକ ଧରି ଆମେରିକା ଉପରେ ଯେଉଁ ଟାରିଫ୍ ଲଗାଉଥିଲା, ଏବେ ତାକୁ ସମ୍ପୂର୍ଣ୍ଣ ଭାବରେ କମ୍ କରିବାକୁ ପ୍ରସ୍ତାବ ଦେଉଛି। କିନ୍ତୁ ଏବେ ଖୁବ୍ ବିମ୍ବଳ ହୋଇଯାଇଛି। ତାକୁ ଏଭଳି ବହୁ ବର୍ଷ ପୂର୍ବରୁ କରିବା ଦରକାର ଥିଲା। ଟ୍ରମ୍ପଙ୍କ ଏହି ବୟାନ ଏଭଳି ସମୟରେ ଆସିଛି, ଯେତେବେଳେ ବିଶ୍ବ ରାଜନୀତିରେ ଖୁବ୍ ଅସ୍ଥିରତା ଦେଖାଦେଇଛି। ଦଶକ ଧରି ପରସ୍ପର ସହ ପାର୍ଟନରସିପ୍‌ ପାଲଟିଥିବା ଭାରତ ଓ ଆମେରିକାର ସମ୍ପର୍କ ଏବେ ଖରାପ ହୋଇଛି। ଟ୍ରମ୍ପ ଭାରତ ଉପରେ ୫୦% ଟାରିଫ୍ ଲଗାଇଛନ୍ତି, ଯାହାକି ଦୁନିଆର କୌଣସି ଦେଶ ତୁଳନାରେ ସବୁଠାରୁ ଅଧିକ। ଏହି ଟାରିଫ୍‌ କାରଣରୁ ଆମେକରିା ଯାଉଥିବା ଭାରତୀୟ ସାମଗ୍ରୀର ରପ୍ତାନୀ ମଧ୍ୟ କମ୍ ହୋଇଛି। ଟ୍ରମ୍ପଙ୍କ ଏହି ଟାରିଫ୍‌ କାରଣରୁ ଚୀନ୍ ଓ ଭାରତର ସମ୍ପର୍କରେ ସୁଧାର ଦେଖିବାକୁ ମିଳିଛି।