ନୂଆଦିଲ୍ଲୀ ୦୫/୦୬: ଦୀର୍ଘ ଦଶନ୍ଧି ଧରି ଆମେରିକାକୁ ସମଗ୍ର ବିଶ୍ୱର ବୈଜ୍ଞାନିକ ପ୍ରତିଭାଙ୍କ ଭୂସ୍ୱର୍ଗ ବୋଲି କୁହାଯାଉଥିଲା ।  କିନ୍ତୁ ଏବେ ଏହା ନିଜର ଚମକ ହରାଉଛି । ବିଗତ  ୮୦ ବର୍ଷରେ ପ୍ରଥମ ଥର ଦେଶ ଏଭଳି ଏକ ‘ବ୍ରେନ୍‌  ଡ୍ରେନ୍‌’ର ସାମ୍ନା କରୁଛି, ଯାହା ଏହାର ବୈଶ୍ୱିକ ସ୍ଥିତିକୁ ଚାଲେଞ୍ଜ୍‌ ହୋଇଛି ତାହା ନୁହେଁ, ଉଦ୍ଭାବନ ଇଞ୍ଜିନ୍‌କୁ ବି ବଡ଼ ଝଟ୍‌କା ଲାଗିଛି ।  

ନିକଟରେ ଆମେରିକାନ୍‌ ଆସୋସିଏସନ୍‌  ଫର୍‌ ଦ ଆଡ୍‌ଭାନ୍ସମେଣ୍ଟ୍‌ ଅଫ୍‌ ସାଇନ୍ସ ଦ୍ୱାରା  କରାଯାଇଥିବା ସର୍ଭେରୁ ସାମ୍ନାକୁ ଆସିଛି, ୭୫ ପ୍ରତିଶତ ବୈଜ୍ଞାନିକ ଆମେରିକା ଛାଡ଼ି ୟୁରୋପ ଓ ଏସିଆରେ ନୂଆ ସ୍ଥାନ ଅନ୍ୱେଷଣ କରୁଛନ୍ତି ଅବା ପଳାୟନ କରିସାରିଛନ୍ତି । ଆମେରିକୀୟ ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କଠୋର ନୀତି ଯଥା- ଅନୁସନ୍ଧାନ  ପାଣ୍ଠି ହ୍ରାସ, ପ୍ରବାସୀ ଛାତ୍ରଙ୍କ ଉପରେ ରୋକ ଏବଂ  ଶିକ୍ଷଣୀୟ ସ୍ୱାଧୀନତା ଉପରେ ଆକ୍ରମଣ ଏହି ବ୍ରେନ୍‌  ଡେଡ୍‌ର ବଡ଼ କାରଣ । ଟ୍ରମ୍ପ୍‌ ପ୍ରଶାସନ ନ୍ୟାସନାଲ  ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥର ପାଣ୍ଠି ମଞ୍ଜୁରିରେ  ୨୦୨୬ ପାଇଁ ୪୦ ପ୍ରତିଶତ ହ୍ରାସ କରିଛି । ଏଥିସହ  ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନ୍‌ରୁ ୧୩ ହଜାର  କୋଟି ଟଙ୍କାର ଅନୁଦାନ ରଦ୍ଦ କରିବା କଥା ମଧ୍ୟ  କହିଛି । ପାଣ୍ଠି କମାଇବା ଯୋଗୁ ବୈଜ୍ଞାନିକମାନେ  ପ୍ରୋଜେକ୍ଟ ବନ୍ଦ ହେବାର ଆଶଙ୍କା କରୁଛନ୍ତି ।  ୨୦୧୫ ସୁଦ୍ଧା ପ୍ରତି ବର୍ଷ ୬୦ ହଜାରରୁ ଅଧିକ  ବିଦେଶୀ ଆମେରିକା ଆସୁଥିଲେ । ୨୦୨୪ରେ ଏହି  ସଂଖ୍ୟା ହ୍ରାସ ପାଇ ୨୩,୦୦୦ ହୋଇଛି । ରିପୋର୍ଟ  ଅନୁସାରେ, ଏ ବର୍ଷ ଏହି ଅଙ୍କ ଆହୁରି ହ୍ରାସ ପାଇ  ୧୫ ହଜାର ତଳକୁ ଖସିଯିବ । 

ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ), ଜଳବାୟୁ  ବିଜ୍ଞାନ, ଜେନେଟିକ୍ସ ଓ ନ୍ୟୁରୋସାଇନ୍ସ ଭଳି କ୍ଷେତ୍ରରେ  କାମ କରୁଥିବା ବୈଜ୍ଞାନିକଙ୍କୁ ଏବେ ସାରା ବିଶ୍ୱର  ଦେଶ ନିଜ ପ୍ରତି ଆକର୍ଷିତ କରିବା ପାଇଁ ବିଭିନ୍ନ  ପ୍ରକାର ଅଫର୍‌ ଦେଉଛନ୍ତି । ଏହା ବିଶ୍ୱସ୍ତରରେ ଏକ  ନୂଆ ପ୍ରତିଯୋଗିତାକୁ ଜନ୍ମ ଦେଇଛି । ଗବେଷକଙ୍କ  ଧ୍ୟାନ ଆକର୍ଷଣ କରିବା ପାଇଁ ୟୁରୋପୀୟ ସଂଘ ୩  ବର୍ଷରେ ୫ ହଜାର କୋଟି ୟୁରୋ ନିବେଶ କରିବାକୁ  ଘୋଷଣା କରିଛି । ଫ୍ରାନ୍ସର ମାର୍ସେଲ ବିଶ୍ୱବିଦ୍ୟାଳୟ  ବୈଜ୍ଞାନିକଙ୍କୁ ଶରଣ ଦେବା ପାଇଁ ସେଫ୍‌ ପ୍ଲେସ୍‌ ଫର୍‌  ସାଇନ୍ସ (ବିଜ୍ଞାନ ପାଇଁ ସୁରକ୍ଷିତ ସ୍ଥାନ) କାର୍ଯ୍ୟକ୍ରମ  ଆରମ୍ଭ କରିଛି । କାନାଡା ବୈଜ୍ଞାନିକଙ୍କୁ ଆକର୍ଷିତ  କରିବା ପାଇଁ ୨୦୦ କୋଟିର ନିବେଶ କରିଛି।  

ଆମେରିକା ଦୀର୍ଘ ସମୟ ଧରି ଅନୁସନ୍ଧାନ ଓ  ବିକାଶ (ଆର୍‌ ଆଣ୍ଡ ଡି)ର ଲିଡର୍‌ ରହିଛି । ୧୯୬୦  ଦଶକରେ ସଂଘୀୟ ସରକାରଙ୍କ ଆର୍‌ ଆଣ୍ଡ ଡିର  ବାର୍ଷିକ ବଜେଟ୍‌ ୫ ଲକ୍ଷ କୋଟି ଟଙ୍କା ଥିଲା, ଯାହା  ୨୦୨୪ରେ ୧୩ ଲକ୍ଷ କୋଟି ହେଲା । ଘରୋଇ କ୍ଷେତ୍ର  ସହ ମିଶି ୨୦୨୪ରେ ଏହି ଅଙ୍କ ୭୭ ଲକ୍ଷ କୋଟିରେ  ପହଞ୍ଚିଗଲା । ଏହି ନିବେଶ ଆମେରିକାକୁ ୪୦୦ରୁ  ଅଧିକ ନୋବେଲ ପୁରସ୍କାର ଆଣିଦେଲା, ତନ୍ମଧ୍ୟରୁ  ଏକ ତୃତୀୟାଂଶରୁ ଅଧିକ ପ୍ରବାସୀ ଜିତିଛନ୍ତି ।