ଲସ୍‌ ଏଞ୍ଜେଲ୍‌ସ,୧୧/୬ : ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶସ୍ଥିତ ଲସ୍‌ ଏଞ୍ଜେଲ୍‌ସ ସହରରେ ୪ ଦିନ ଧରି ହିଂସାକାଣ୍ଡ ଲାଗିରହିଛି । ଏବେ ଏହା ଅଣାୟତ୍ତ ହୋଇପଡ଼ିଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଉ ୨ ହଜାର ନ୍ୟାସନାଲ ଗାର୍ଡସ ପଠାଇଛନ୍ତି । ଏଥିସହ ତାଙ୍କ ନିର୍ଦ୍ଦେଶକ୍ରମେ ୭୦୦ ମେରାଇନ୍‌ କମାଣ୍ଡୋ ମଧ୍ୟ ହିଂସାଗ୍ରସ୍ତ ଅଞ୍ଚଳରେ ପହଞ୍ଚିଛନ୍ତି । ଏମାନଙ୍କୁ ମିଶାଇ ଲସ୍‌ ଏଞ୍ଜେଲ୍‌ସରେ ମୋଟ ୪ ହଜାର ସୁରକ୍ଷା କର୍ମୀ ମୁତୟନ ହେଲେଣି । 

ଆମେରିକାରେ ବେଆଇନ ଭାବେ ରହୁଥିବା ଅପ୍ରବାସୀଙ୍କୁ ବିଦା କରିବା ଲାଗି ଟ୍ରମ୍ପ୍‌ ପ୍ରଶାସନ ଯେଉଁ ପଦକ୍ଷେପ ଆରମ୍ଭ କରିଛି, ତାହାକୁ ବିରୋଧ କରି ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଛନ୍ତି । ଲସ୍‌ ଏଞ୍ଜେଲ୍‌ସର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଦୋକାନ, ବଜାର ଓ ସପିଙ୍ଗ୍‌ ମଲ୍‌ରେ ପଶି ଲୁଟ୍‌ପାଟ କରିଛନ୍ତି । ଏମିତି କି ଶତାଧିକ ଗାଡ଼ି ପୋଡ଼ି ଦେଇଛନ୍ତି । ହିଂସାକୁ ରୋକିବା ଲାଗି ନ୍ୟାସନାଲ ଗାର୍ଡସ ଓ ୭୦୦ ମେରାଇନ୍‌ କମାଣ୍ଡୋ ଆକ୍ସନକୁ ଆସିଛନ୍ତି । ସେମାନଙ୍କ କାର୍ଯ୍ୟାନୁଷ୍ଠାନରେ ଏ ପର୍ଯ୍ୟନ୍ତ ଦୁଇଜଣ ପ୍ରାଣ ହରାଇଲେଣି । ଏଭଳି ସ୍ଥିତିରେ ଟ୍ରମ୍ପ୍‌ ନ୍ୟାସନାଲ ଗାର୍ଡସଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ମାସ୍କ ପିନ୍ଧି ହିଂସାକାଣ୍ଡ ଘଟାଉଥିବା ଲୋକଙ୍କୁ ତୁରନ୍ତ ଗିରଫ ଲାଗି କହିଛନ୍ତି । 

ଅପ୍ରବାସୀଙ୍କ ଆନ୍ଦୋଳନକୁ କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗେଭିନ ନ୍ୟୁସମ୍‌ ସମର୍ଥନ କରୁଥିବାରୁ ରାଷ୍ଟ୍ରପତି ଟ୍ରମ୍ପ୍‌ କ୍ରୋଧାନ୍ୱିତ ହୋଇଛନ୍ତି । ସେ କହିଛନ୍ତି, ଯଦି ନ୍ୟୁସମ୍‌ଙ୍କୁ ଗିରଫ କରାଯାଏ ତେବେ ଏହା ବହୁତ ଭଲ ପଦକ୍ଷେପ ହେବ । ଲସ୍‌ ଏଞ୍ଜେଲ୍‌ସରେ ନ୍ୟାସନାଲ ଗାର୍ଡସଙ୍କ ମୁତୟନକୁ ନ୍ୟୁସମ୍‌ ବିରୋଧ କରୁଛନ୍ତି । ଏହାକୁ ନେଇ ରାଜ୍ୟ ସରକାର ଟ୍ରମ୍ପ୍‌ଙ୍କ ବିରୋଧରେ ମାମଲା ଦାୟର କରିବ ବୋଲି ସେ କହିଛନ୍ତି । ଟ୍ରମ୍ପ୍‌ କହିଛନ୍ତି, ଗଭର୍ଣ୍ଣର ନ୍ୟୁସମ୍‌ ବହୁତ ଖରାପ କାମ କରିଛନ୍ତି । ତାଙ୍କର ସବୁଠୁ ବଡ଼ ଅପରାଧ ହେଉଛି ସେ ପୁଣି ଗଭର୍ଣ୍ଣର ହେବାକୁ ଚାହୁଁଛନ୍ତି । ଟ୍ରମ୍ପ୍‌ ଆହୁରି କହିଛନ୍ତି ଯେ ସେ ନ୍ୟୁସମ୍‌ଙ୍କୁ ପସନ୍ଦ କରନ୍ତି, କିନ୍ତୁ ତାଙ୍କ କାମକୁ ନେଇ ସେ ଖୁସି ନାହାନ୍ତି । 

ଅନ୍ୟପକ୍ଷରେ ଫେଡେରାଲ ଆଇନରେ କୌଣସି ସରକାରୀ ଅଧିକାରୀ ବାଧା ସୃଷ୍ଟି କଲେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଟ୍ରମ୍ପ୍‌ଙ୍କ ସହଯୋଗୀ ତଥା ବର୍ଡର ଅଧିକାରୀ ଟମ୍‌ ହୋମନ୍‌ ପୂର୍ବରୁ କହିଥିଲେ । କିନ୍ତୁ ପରେ ସେ ସଫେଇ ଦେଇ କହିଥିଲେ କି ନ୍ୟୁସମ୍‌ଙ୍କୁ ଗିରଫ କରିବା ନେଇ କୌଣସି ଯୋଜନା ନାହିଁ । ଉଲ୍ଲେଖଯୋଗ୍ୟ, ଲସ୍‌ ଏଞ୍ଜେଲ୍‌ସରେ ଚାଲିଥିବା ଆନ୍ଦୋଳନରେ ଅଧିକାଂଶ ମେକ୍ସିକୋର ଅବୈଧ ଅପ୍ରବାସୀ ରହିଛନ୍ତି ।