ୱାଶିଂଟନ/ନୂଆଦିଲ୍ଲୀ,୧୨/୧୦ : ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡେନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ମିଚିଗାନ ଡେଟ୍ରୟଟ ଇକୋନୋମିକ କ୍ଲବ୍ରେ ଗତ ଗୁରୁବାର ନିର୍ବାଚନୀ ସଭାରେ ସେ କହିଛନ୍ତି କ୍ଷମତାକୁ ଆସିବାର ପ୍ରଥମ ୧୨ ମାସ ଭିତରେ ସେ ଲୋକଙ୍କ ବିଦ୍ୟୁତ ବିଲ୍ ଅଧା କରିଦେବେ । ତାଙ୍କ ସରକାର ବିଦ୍ୟୁତ ଶକ୍ତି ଉତ୍ପାଦନ ଦୁଇଗୁଣ କରିବା ଲାଗି ପରିବେଶ ଅନୁମତି ତତ୍କାଳ ଆଣିବେ । ଯାହାଫଳରେ ବିଦ୍ୟୁତ ବିଲ୍ ହ୍ରାସ ପାଇବ । ଏହାଦ୍ୱାରା ମୁଦ୍ରାସ୍ଫୀତି କମିବ । ମିଚିଗାନ ସମେତ ଆମେରିକାରେ ନୂଆନୂଆ ଶିଳ୍ପକାରଖାନା ପ୍ରତିଷ୍ଠା ହୋଇପାରିବ । ବିଦ୍ୟୁତ ବିଲ୍ ହ୍ରାସ ଓ ଶିଳ୍ପସଂସ୍ଥା ପ୍ରତିଷ୍ଠା ହେବା ଫଳରେ ଦେଶବାସୀ ଉପକୃତ ହୋଇପାରିବେ । ଏକଥା ଟ୍ରମ୍ପ ମଧ୍ୟ ତାଙ୍କ ସୋସିଆଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି ।
ଟ୍ରମ୍ପଙ୍କ ଏହି ସୋସିଆଲ ମିଡିଆ ପୋଷ୍ଟ ସେୟାର କରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି ନିର୍ବାଚନ ସମୟରେ ମାଗଣା ଉପହାର ଯୋଜନା ମଧ୍ୟ ଆମେରିକାରେ ପହଞ୍ଚି ଗଲାଣି । ଆପ ରାଜ୍ୟସଭା ସାଂସଦ ରାଘବ ଚଢ଼ା ମଧ୍ୟ ଟ୍ରମ୍ପଙ୍କ ପୋଷ୍ଟକୁ ସେୟାର କରି ଲେଖିଛନ୍ତି କେଜ୍ରିୱାଲଙ୍କ ଶାସନର ମଡେଲକୁ ଏକେ ବିଶ୍ୱରେ ଅନୁକରଣ କରାଯାଉଛି । କେବଳ ବିଦ୍ୟୁତ ଶୁଳ୍କ ଛାଡ ନୁହେଁ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଆପ୍ ନୂଆ ଉଦାହରଣ ସୃଷ୍ଟି କରିଛି ।