ପ୍ରମୂଖ ଖବର
  • ଆଗେଇଲା ମୌସୁମୀ... ଆଜି, କାଲି ବଡ଼ ବର୍ଷା, ୨୦ରୁ କମିବ
  • ||
  • ଗଞ୍ଜାମ : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ ହତ୍ୟା କଲା ନୃଶଂସ ସ୍ତ୍ରୀ
  • ||
  • ଗୋପାଳପୁର ଗଣଦୁଷ୍କର୍ମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||

ଇରାନକୁ କଡ଼ା ଚେତାବନୀ ଦେଲେ ଟ୍ରମ୍ପ; କହିଲେ "ସୁପ୍ରିମ ଲିଡରଙ୍କ ଲୁଚିବା ସ୍ଥାନ ଜଣା, ଏବେ ହଟାଇବୁ ନାହିଁ"

Published By : Bijay Swain | June 18, 2025 12:07 AM

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କୁ ଏକ କଡ଼ା ଚେତାବନୀ ଦେଇଛନ୍ତି। ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ପୋଷ୍ଟ କରି କହିଛନ୍ତି ଯେ ଆମେରିକା ଖାମେନେଇଙ୍କ ଲୁଚିବା ସ୍ଥାନର ସଠିକ ତଥ୍ୟ ଜାଣିଛି, କିନ୍ତୁ ଏବେ ତାଙ୍କୁ "ହଟାଇବା" (ମାରିବା) ନାହିଁ। ସେ ଲେଖିଛନ୍ତି, "ଆମେ ଜାଣୁଛୁ ତଥାକଥିତ 'ସୁପ୍ରିମ ଲିଡର' କେଉଁଠି ଲୁଚିଛନ୍ତି। ସେ ଏକ ସହଜ ଟାର୍ଗେଟ, କିନ୍ତୁ ସେଠାରେ ସୁରକ୍ଷିତ ଅଛନ୍ତି। ଆମେ ତାଙ୍କୁ ଏବେ ହଟାଇବୁ ନାହିଁ, ଅତିକମରେ ଏବେ ନୁହେଁ।"

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ପଞ୍ଚମ ଦିନରେ ପହଞ୍ଚିଛି। ଇସ୍ରାଏଲ ଇରାନର ପରମାଣୁ ଏବଂ ସାମରିକ ସ୍ଥାନଗୁଡ଼ିକୁ ଟାର୍ଗେଟ କରି ବିମାନ ଆକ୍ରମଣ ଜାରି ରଖିଛି। ଯେଉଁଥିରେ ଇରାନରେ ୨୦୦ରୁ ଅଧିକ ଲୋକ, ମୁଖ୍ୟତଃ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ, ଇରାନ ମିସାଇଲ ଏବଂ ଡ୍ରୋନ ଆକ୍ରମଣ ଜରିଆରେ ଇସ୍ରାଏଲର ସହରଗୁଡ଼ିକ ଉପରେ ଟାର୍ଗେଟ କରିବା ଜାରି ରଖିଛି। ଯାହା ଫଳରେ ୨୪ ଜଣ ଇସ୍ରାଏଲୀ ନାଗରିକ ମୃତ୍ୟୁବରଣ କରିଛନ୍ତି। ଟ୍ରମ୍ପଙ୍କ ଏହି ବୟାନ ଏହି ଉତ୍ତେଜନାକୁ ଆହୁରି ବଢ଼ାଇ ଦେଇଛି।

ଟ୍ରମ୍ପ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଏକ ଗୁରୁତର ସମସ୍ୟା ବୋଲି ବିବେଚନା କରିଛନ୍ତି ଏବଂ କହିଛନ୍ତି ଯେ ଇରାନକୁ ପରମାଣୁ ଅସ୍ତ୍ର ନିର୍ମାଣ କରିବାକୁ ଦିଆଯିବ ନାହିଁ। ସେ ତେହେରାନର ୯୫ ଲକ୍ଷ ବାସିନ୍ଦାଙ୍କୁ ସହର ଖାଲି କରିବାକୁ ଚେତାବନୀ ଦେଇଛନ୍ତି। ଏହା ସହିତ, ସେ ଇରାନଠୁ "ନିଃଶର୍ତ ଆତ୍ମସମର୍ପଣ" ଦାବି କରିଛନ୍ତି।

ରିପୋର୍ଟ ଅନୁସାରେ, ଇସ୍ରାଏଲ ଖାମେନେଇଙ୍କୁ ଟାର୍ଗେଟ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲା, କିନ୍ତୁ ଟ୍ରମ୍ପ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଜଣେ ବରିଷ୍ଠ ଆମେରିକୀୟ ଅଧିକାରୀଙ୍କ ମତରେ, "ଇରାନୀମାନେ ଏପର୍ଯ୍ୟନ୍ତ କୌଣସି ଆମେରିକୀୟଙ୍କୁ ହତ୍ୟା କରିନାହାନ୍ତି। ଯେପର୍ଯ୍ୟନ୍ତ ସେମାନେ ତାହା ନକରନ୍ତି, ଆମେ ରାଜନୈତିକ ନେତୃତ୍ୱକୁ ଟାର୍ଗେଟ କରିବା ବିଷୟରେ ଚିନ୍ତା କରୁନାହୁଁ।"

ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାକ୍ଚି ଏକ୍ସରେ ପୋଷ୍ଟ କରି କହିଛନ୍ତି, "ଯଦି ରାଷ୍ଟ୍ରପତି ଟ୍ରମ୍ପ କୂଟନୀତି ପାଇଁ ଗମ୍ଭୀର ଅଛନ୍ତି, ତେବେ ପରବର୍ତ୍ତୀ ପଦକ୍ଷେପ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଇସ୍ରାଏଲକୁ ନିଜ ଆଗ୍ରେସନ ବନ୍ଦ କରିବାକୁ ପଡ଼ିବ, ଅନ୍ୟଥା ଆମର ମଧ୍ୟ ପ୍ରତିକ୍ରିୟା ଜାରି ରହିବ।"

ଅନ୍ତର୍ଜାତୀୟ ସମୁଦାୟ ଖାସ କରି ଚୀନ, ତୁର୍କୀ ଏବଂ ଜି-7 ନେତାମାନେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରିବାକୁ ଆହ୍ୱାନ ଦେଇଛନ୍ତି। ତୁର୍କୀର ରାଷ୍ଟ୍ରପତି ରେସେପ ତାୟିପ ଏର୍ଦୋଗାନ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ "ମଧ୍ୟପ୍ରାଚ୍ୟ ପାଇଁ ସବୁଠୁ ବଡ଼ ବିପଦ" ବୋଲି କହି ସମାଲୋଚନା କରିଛନ୍ତି।

ଟ୍ରମ୍ପଙ୍କ ଏହି ବୟାନ ଏବଂ ଇସ୍ରାଏଲ-ଇରାନ ସଂଘର୍ଷ ମଧ୍ୟପ୍ରାଚ୍ୟରେ ଏକ ବୃହତ୍ତର ଯୁଦ୍ଧର ଆଶଙ୍କାକୁ ବଢ଼ାଇଛି। ସମଗ୍ର ବିଶ୍ୱ ଏହାର ପରିଣାମ ଉପରେ ନଜର ରଖିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.