ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ସେନା ମୁଖ୍ୟ ଅସୀମ ମୁନିର ଗୁରୁବାର ବିଳମ୍ବିତ ରାତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ବୈଠକ ପୂର୍ବରୁ ଟ୍ରମ୍ପ ଶାହବାଜଙ୍କୁ ପ୍ରାୟ ୩୦ ମିନିଟ୍ ଅପେକ୍ଷା କରାଇଥିଲେ । ଏହି ସମୟରେ ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀ କରୁଥିଲେ। ଟ୍ରମ୍ପ ସାମ୍ବାଦିକଙ୍କ ସହ କଥା ହେଉଥିବା ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ରାତି ପ୍ରାୟ ୨ଟା ସମୟରେ ହ୍ୱାଇଟ୍ ହାଉସରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ, ଶାହବାଜ ହ୍ୱାଇଟ୍ ହାଉସରେ ଟ୍ରମ୍ପଙ୍କୁ ଅପେକ୍ଷା କରିଥିଲେ । ପରେ ଉଭୟ ପ୍ରାୟ ଏକ ଘଣ୍ଟା ୨୦ ମିନିଟ୍ ଆଲୋଚନା କରିଥିଲେ। ଏହି ସାକ୍ଷାତ ହ୍ୱାଇଟ୍ ହାଉସରେ ବନ୍ଦ କୋଠରୀରେ ହୋଇଥିଲା। ଗଣମାଧ୍ୟମକୁ ବୈଠକରୁ ଦୂରରେ ରଖାଯାଇଥିଲା । 

ଟ୍ରମ୍ପ ଏବଂ ସରିଫ-ମୁନିରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର କୌଣସି ଫଟୋ କିମ୍ବା ଭିଡିଓ ହ୍ୱାଇଟ୍ ହାଉସ ଏପର୍ଯ୍ୟନ୍ତ ପ୍ରକାଶ କରିନାହିଁ। ସାଧାରଣତଃ, ଯେତେବେଳେ ଆମେରିକା ରାଷ୍ଟ୍ରପତି ଜଣେ ବିଦେଶୀ ନେତାଙ୍କୁ ଭେଟିଥାନ୍ତି ସେତେବେଳେ ହ୍ୱାଇଟ୍ ହାଉସ୍  ଫଟୋ ପ୍ରକାଶ କରିଥାଏ । କିନ୍ତୁ ଶାହବାଜ ଏବଂ ଅସିମ ମୁନୀରଙ୍କୁ ଟ୍ରମ୍ପ ସାକ୍ଷାତ କରିବା ପରେ ଫଟୋ ଜାରି କରିନାହିଁ ହ୍ୱାଇଟ୍ ହାଉସ୍ ।
ସେପଟେ ତିନି ଦିନ ମଧ୍ୟରେ ଟ୍ରମ୍ପ ଏବଂ ଶାହବାଜଙ୍କ ମଧ୍ୟରେ ଦୁଇ ଥର  ସାକ୍ଷାତ ହୋଇଛି । ପୂର୍ବ ସାକ୍ଷାତ ସେପ୍ଟେମ୍ବର ୨୩ ତାରିଖରେ ନ୍ୟୁୟର୍କରେ ଜାତିସଂଘ ସାଧାରଣ ସଭା (UNGA) ଅବସରରେ ହୋଇଥିଲା । ଏହି ବୈଠକରେ କାତାର, ତୁର୍କୀ, ସାଉଦି ଆରବ, ଇଣ୍ଡୋନେସିଆ, ଇଜିପ୍ଟ, ୟୁଏଇ ଏବଂ ଜୋର୍ଡାନର ନେତାମାନେ ମଧ୍ୟ ସାମିଲ ଥିଲେ । ଏହି ବୈଠକରେ ଗାଜା ଯୁଦ୍ଧ ବନ୍ଦ କରିବା ଉପରେ ଆଲୋଚନା କରାଯାଇଥିଲା।

 ଓଭାଲ ଅଫିସରେ ଜଣେ ଆମେରିକୀୟ ରାଷ୍ଟ୍ରପତିଙ୍କ ସହ ଶାହବାଜ ସରିଫଙ୍କର ପ୍ରଥମ ସାକ୍ଷାତ ଥିଲା । ଛଅ ବର୍ଷ ମଧ୍ୟରେ  ପ୍ରଥମ ଥର ପାଇଁ ଜଣେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଜଣେ ଆମେରିକୀୟ ରାଷ୍ଟ୍ରପତିଙ୍କୁ ଭେଟିଥିଲେ । ଏହା ପୂର୍ବରୁ  ୨୦୧୯ ଜୁଲାଇରେ ଇମ୍ରାନ ଖାନ ଏବଂ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ବୈଦେଶିକ ସଚିବ ମାର୍କୋ ରୁବିଓ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ଆଲୋଚନା ହୋଇଥିବା ପ୍ରସଙ୍ଗ ସଂପର୍କରେ ସୂଚନା ଦିଆଯାଇ ନାହିଁ । 

ଅନ୍ୟପକ୍ଷରେ ଏହି ବୈଠକ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ।  ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଘନିଷ୍ଠତା ଭାରତ-ଆମେରିକା ସମ୍ପର୍କକୁ ଖରାପ କରିପାରେ। ଟ୍ରମ୍ପ ଭାରତ ଉପରେ ଅଧିକ ଶୁଳ୍କ ଏବଂ କଠୋର ଭିସା ନିୟମ ଲାଗୁ କରିଛନ୍ତି । ଯାହା ଭାରତର ଅସନ୍ତୋଷ ବୃଦ୍ଧି କରୁଛି ।  ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କରେ  ଉନ୍ନତି ଆସିଛି । ଟ୍ରମ୍ପ ଏବଂ ଶାହବାଜଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଭଲ ହେଉଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଟ୍ରମ୍ପଙ୍କ ମଧ୍ୟସ୍ଥତା କରିଥିବା ଦାବିକୁ ଭାରତ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛି। ଏହା ଭାରତ-ଆମେରିକା ସମ୍ପର୍କରେ ମଧ୍ୟ ତିକ୍ତତା ସୃଷ୍ଟି କରିଛି । ଅନ୍ୟପଟେ, ପାକିସ୍ତାନ ଟ୍ରମ୍ପଙ୍କ ପ୍ରୟାସକୁ ପ୍ରଶଂସା କରିଛି ଏବଂ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛି ।