ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ବାଂଲାଦେଶରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ବାଂଲାଦେଶର ପୂର୍ବରେ ଥିବା ସେଣ୍ଟ ମାର୍ଟିନ୍ସ ଦ୍ୱୀପରେ ଏକ ରିସର୍ଟ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ବିଦେଶୀମାନଙ୍କ ପାଇଁ ଏଠାରେ ଏକ ସ୍ୱତନ୍ତ୍ର ଜୋନ୍ ସୃଷ୍ଟି କରାଯିବ। ସୂତ୍ର ଅନୁସାରେ, ବାଂଲାଦେଶ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ନ୍ୟୁୟର୍କରେ ଟ୍ରମ୍ପଙ୍କୁ ଭେଟିଛନ୍ତି।ସେଠାରେ ସେଣ୍ଟ ମାର୍ଟିନ୍ସ ଦ୍ୱୀପ ବିଷୟରେ ଆଲୋଚନା ହୋଇଥିବା କୁହାଯାଉଛି।
ଏସିଆ ପାଇଁ ସ୍ୱତନ୍ତ୍ର ପରାମର୍ଶଦାତା ସର୍ଗିଓ ଗୋରଙ୍କୁ ମଧ୍ୟ ଭେଟିଛନ୍ତି ୟୁନୁସ। ଏହି ସମୟରେ ସେଣ୍ଟ ମାର୍ଟିନ୍ସ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି ଏବଂ ଦ୍ୱୀପରେ ଆମେରିକୀୟ ରିସର୍ଟ ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଛି । ସୂଚନା ଅନୁଯାୟୀ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ସେଣ୍ଟ ମାର୍ଟିନ୍ସ ଦ୍ୱୀପକୁ ଲିଜରେ ଦେଇପାରନ୍ତି । ଏହି ଲିଜ୍ ୯୯ ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ଆଶା କରାଯାଉଛି।
ବାଂଲାଦେଶ ସଂସଦ ବର୍ତ୍ତମାନ କାର୍ଯ୍ୟକ୍ଷମ ନଥିବାରୁ ସେଣ୍ଟ ମାର୍ଟିନ୍ସ ଦ୍ୱୀପକୁ ଆମେରିକାକୁ ଲିଜ୍ ଦେବା ପାଇଁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ସଂସଦୀୟ ଅନୁମୋଦନ ନେବାକୁ ପଡ଼ିବ ନାହିଁ। ସାମରିକ ବାହିନୀର ଅନୁମୋଦନ ସହିତ ମଧ୍ୟବର୍ତ୍ତୀକାଳୀନ ସରକାର ନିଜର ନିଷ୍ପତ୍ତି ନେଇପାରିବେ।
ମାର୍ଟିନ୍ସ ଦ୍ୱୀପ ରଣନୈତିକ ଦୃଷ୍ଟିକୋଣରୁ ବହୁ ଗୁରୁତ୍ବ ବହନ କରେ । ବଙ୍ଗୋପସାଗରରେ ୯ ବର୍ଗ କିଲୋମିଟରରେ ବିସ୍ତୃତ ସେଣ୍ଟ ମାର୍ଟିନ୍ସ ଦ୍ୱୀପ ବାଂଲାଦେଶ ମୁଖ୍ୟ ଭୂମିରୁ ପ୍ରାୟ ୮ କିଲୋମିଟର ଦୂରରେ ଅବସ୍ଥିତ।ଏଠାରେ ପ୍ରାୟ ୩୫୦୦ ଲୋକ ବାସ କରନ୍ତି। ସେଣ୍ଟ ମାର୍ଟିନ୍ସ ଦ୍ୱୀପର ଦକ୍ଷିଣରେ ମାଲାକ୍କା ଷ୍ଟେ୍ରଟ୍ ଅବସ୍ଥିତ । ଏହି ପ୍ରଣାଳୀ ଦେଇ ଦକ୍ଷିଣ ପୂର୍ବ ଏସିଆ ଏବଂ ଚୀନରୁ ମାଲବାହୀ ଜାହାଜ ଯାତାୟାତ କରନ୍ତି।
ଆକଳନ ଅନୁସାରେ, ବିଶ୍ୱର ପ୍ରାୟ ୩୦% ମାଲ ପରିବହନ ମାଲାକ୍କା ପ୍ରଣାଳୀ ଦେଇ ହୁଏ । ଟ୍ରମ୍ପ ସେଠାରେ ଏକ ରିସର୍ଟ ନିର୍ମାଣ କରି ଆମେରିକାର ଉପସ୍ଥିତିକୁ ବିସ୍ତାର କରିବାକୁ ଯୋଜନା କରୁଛନ୍ତି। ଏହି ରିସର୍ଟ ଗାଜାରେ ଟ୍ରମ୍ପଙ୍କ ରିସର୍ଟ ସହିତ ସମାନ ହେବ। ସେଣ୍ଟ ମାର୍ଟିନ୍ସ ଦ୍ୱୀପରେ ଭିତ୍ତିଭୂମି ବିକାଶ ପାଇଁ ନିଜ ଦେଶର ରିଅଲ୍ ଇଷ୍ଟେଟ୍ କମ୍ପାନୀଗୁଡ଼ିକୁ ଦାୟିତ୍ବ ଦେଇପାରନ୍ତି ଟ୍ରମ୍ପ ।
ସୂଚନାଯୋଗ୍ୟ, ୟୁନୁସ ସରକାର ଯେଉଁ ମାର୍ଟିନ୍ସ ଦ୍ବୀପକୁ ଆମେରିକାକୁ ଦେବାକୁ ଚାହୁଁଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଏହି ପଦକ୍ଷେପକୁ ବହୁ ପୂର୍ବରୁ ବିରୋଧ କରିଆସିଛନ୍ତି । ଏପରିକି ଏହି ଦ୍ବୀପରେ ପ୍ରବେଶ କରିବାକୁ ବାଇଡେନ୍ ଓ ଟ୍ରମ୍ପ ବାରମ୍ବାର ଚାପ ପ୍ରୟୋଗ କରୁଥିଲେ ବୋଲି ମଧ୍ୟ କହିଥିଲେ ଶେଖ ହସିନା ।