ୱାଶିଂଟନ୍‌,୨୨/୦୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋସିଆଲ ମିଡିଆରେ ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ଗିରଫଦାରିକୁ ନେଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ନିର୍ମିତ  ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଓବାମାଙ୍କୁ ଏଫ୍‌ବିଆଇ ଏଜେଣ୍ଟ  ହ୍ୱାଇଟ ହାଉସର ଓଭାଲ ଅଫିସ୍‌ରେ ଗିରଫ କରୁଛନ୍ତି । ଓବାମାଙ୍କ ପାଖରେ ଟ୍ରମ୍ପ୍‌ ବସିଛନ୍ତି । ୩ ଏଜେଣ୍ଟ ଓବାମାଙ୍କ କଲର ଧରି ତାଙ୍କୁ ଧକ୍କା ଦେଇ ତଳେ ପକାଇ ଦେଉଛନ୍ତି  ଏବଂ ତାଙ୍କ ହାତରେ ହାତକଡ଼ି ପକାଉଛନ୍ତି । ପାଖରେ  ବସି ଟ୍ରମ୍ପ୍‌ ହସୁଛନ୍ତି । ଭିଡିଓ ଶେଷରେ ଓବାମା ଜେଲ ଭିତରେ ଥିବା ନଜର ଆସୁଛନ୍ତି । 

ଭିଡିଓ ଆରମ୍ଭରେ  ଓବାମାଙ୍କ ଏକ ପୁରୁଣା ବୟାନ ଅଛି, ଯେଉଁଥିରେ ସେ କହୁଛନ୍ତି, କୌଣସି ରାଷ୍ଟ୍ରପତି ଆଇନରୁ ଉର୍ଦ୍ଧ୍ବରେ  ନୁହଁନ୍ତି । ଏହା ପରେ ଅନେକ ଡେମୋକ୍ରାଟିକ୍‌ ନେତାଙ୍କ ଭିଡିଓ କ୍ଲିପ୍‌ ଯୋଡ଼ାଯାଇଛି । ସେଥିରେ ବାଇଡେନ୍‌ ବି  ଅଛନ୍ତି ଏବଂ ସମାନ କଥା ଦୋହରାଉଛନ୍ତି ଯେ, କେହି  ବି ଆଇନରୁ ଉର୍ଦ୍ଧ୍ବରେ ନୁହଁନ୍ତି । ଭିଡିଓ ନକଲି ବୋଲି ଟ୍ରମ୍ପ୍‌ଙ୍କ ପକ୍ଷରୁ କୌଣସି ସଫେଇ ଦିଆଯାଇନାହିଁ ।  ତେବେ ଭିଡିଓକୁ ନେଇ ଟ୍ରମ୍ପ୍‌ଙ୍କୁ ଅନେକେ ସମାଲୋଚନା  କରିଛନ୍ତି । ଏହା ଉସୁକାଇବା ଭଳି ଏବଂ ଗଣତନ୍ତ୍ର ବିରୋଧୀ ବୋଲି ଲୋକେ କହିଛନ୍ତି।