ମସ୍କୋ/ୱାଶିଂଟନ,୦୮/୦୮: ଆସନ୍ତା ସପ୍ତାହରେ ଆମେରିକା ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର  ପୁଟିନ ପରସ୍ପରକୁ ଭେଟିବେ । ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ)ରେ ବିଶ୍ୱର  ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ହେବ  ବୋଲି ସୂଚନା ମିଳିଛି । ପୁଟିନ ଗୁରୁବାର ଏହା  ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଉଭୟଙ୍କ ମଧ୍ୟରେ ସାକ୍ଷାତ ଲାଗି ଅନେକ ବନ୍ଧୁ ଇଚ୍ଛା ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରେ  ଅଛନ୍ତି ୟୁଏଇ ରାଷ୍ଟ୍ରପତି । 

ସେହିଭଳି ଟ୍ରମ୍ପ କହିଛନ୍ତି ଖୁବଶୀଘ୍ର ସେ ପୁଟିନଙ୍କୁ ଭେଟିବେ । ସେମାନଙ୍କ ଭିତରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ୟୁକ୍ରେନ  ଯୁଦ୍ଧ ବନ୍ଦ କରିବା ଏହି ବୈଠକର ମୁଖ୍ୟ  ଉଦ୍ଦେଶ୍ୟ । ତେଣୁ ଯୁଦ୍ଧ ବନ୍ଦ ନେଇ ଉଭୟ  ନେତାଙ୍କ ଭିତରେ ବୁଝାମଣା ହେବାର  ସମ୍ଭାବନା ରହିଛି । ତେବେ ବୈଠକ କେବେ  ହେବ ତାହା ସ୍ଥିର ହୋଇ ନଥିଲେ ମଧ୍ୟ  ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବ ବୋଲି  କୁହାଯାଉଛି । ଅବଶ୍ୟ ଉଭୟ ଟ୍ରମ୍ପ ଓ ପୁଟିନ  ଟେଲିଫୋନ୍‌ରେ ୪ଥର (ଗତ ଜୁନ ୪,  ମେ ୧୯, ମାର୍ଚ୍ଚ ୧୮ ଓ ଫେବ୍ରୁଆରୀ ୧୨)  ଯୁଦ୍ଧ ବନ୍ଦ ଦିଗରେ ଆଲୋଚନା କରିଛନ୍ତି ।  କିନ୍ତୁ ତାହା ସମ୍ଭବ ହୋଇପାରି ନାହିଁ । ତେଣୁ  ସେମାନେ ପରସ୍ପରକୁ ଭେଟିବା ଲାଗି ଟ୍ରମ୍ପଙ୍କ  ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଯାହାକୁ ପୁଟିନ ମଧ୍ୟ ସ୍ୱୀକାର କରିଛନ୍ତି । ୨୦୨୧ ପରେ  ଉଭୟ ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ ଏହା  ହେବ ପ୍ରତ୍ୟକ୍ଷ ସାକ୍ଷାତ । ୨୦୨୧ ଜୁନରେ ଜେନେଭା ଠାରେ ଆମେରିକାର ତତ୍କାଳୀନ  ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ପୁଟିନଙ୍କର  ଆଲୋଚନା ହୋଇଥିଲା ।  

ଟ୍ରମ୍ପ ଗତକାଲି ରୁଷକୁ ୟୁକ୍ରେନ ଯୁଦ୍ଧ  ବନ୍ଦ କରିବା ଲାଗି ଶାନ୍ତି କଥାବାର୍ତ୍ତା କରିବାକୁ  ପରାମର୍ଶ ଦେଇଥିଲେ । ଏଥିପାଇଁ ୨ ଦିନ  ସମୟ ଦେଇଥିଲେ । ଶୁକ୍ରବାର ସୁଦ୍ଧା ରୁଷ ଯଦି ଶାନ୍ତି ଆଲୋଚନା ନ କରିବ ତେବେ ତା ଉପରେ ଅତିରିକ୍ତ ଟାରିଫ ଲାଗୁ କରାଯିବ  ବୋଲି ଧମକ ମଧ୍ୟ ଦେଇଥିଲେ । ତେବେ  ପୁଟିନଙ୍କ ସହ ସାକ୍ଷାତ ଆଲୋଚନା ବେଳେ  ଟ୍ରମ୍ପ ୟୁକ୍ରେନରେ ବିମାନ ଓ ଡ୍ରୋନ ଆକ୍ରମଣ  ବନ୍ଦ କରିବାକୁ ପ୍ରସ୍ତାବ ଦେଇପାରନ୍ତି ।  ବେଲାରୁସ୍‌ ରାଷ୍ଟ୍ରପତି ଆଲେକଜାଣ୍ଡର  ଲୁକାସେଙ୍କୋ ଗତ ସପ୍ତାହରେ ପୁଟିନକୁ  ଭେଟିବା ବେଳେ ଏଭଳି ପ୍ରସ୍ତାବ ଦେଇଥିଲେ । ଏହା ଦୁଇଦେଶ ମଧ୍ୟରେ  ପୂର୍ଣ୍ଣାଙ୍ଗ ଯୁଦ୍ଧବିରତି ନ ହେଲେ ମଧ୍ୟ  ସାମାନ୍ୟ ଆଶ୍ୱସ୍ତି ଆଣିଦେବ ।