ନୂଆଦିଲ୍ଲୀ, ୪/୯ : ପୁଟିନଙ୍କ ବିଷୟରେ ପଚାରିବାରୁ ଚିହିଁକି ଉଠିଲେ ଡୋନାଲ୍ଡ ଟ୍ରମ୍ପ। ଆମେରିକା ରାଷ୍ଟ୍ରପତିଙ୍କର ହୋଇଗଲା ମିଜାଜ୍ ଗରମ। ସାମ୍ବାଦିକଙ୍କୁ ମୁହେଁ ମୁହେଁ ଝାଡ଼ିଦେଲେ ଟ୍ରମ୍ପ। ପୁଟିନଙ୍କ ଉପରେ ରାଗ ଥିବା ସତ୍ତ୍ଵେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି ବୋଲି ସାମ୍ବାଦିକ ପ୍ରଶ୍ନ ପଚାରିବାରୁ ରାଗିଗଲେ ଟ୍ରମ୍ପ। କହିଲେ, ଆପଣ କେମିତି ଜାଣିବେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି? ଋଷ ଠାରୁ ତେଲ କିଣିବା ନେଇ ଭାରତ ଉପରେ ଟାରିଫ୍ ଲଗାଯାଇଛି। ଆହୁରି ଟାରିଫ୍ ଚାପ ପକାଇବାକୁ ବିଚାର କରାଯାଉଛି। ଏହା ଦ୍ଵାରା ଋଷକୁ ବହୁ କ୍ଷତି ସହିବାକୁ ପଡ଼ିଛି। ଏହା କଣ ଋଷ ଉପରେ କାର୍ଯ୍ୟାନୁଷ୍ଠାନ ନୁହେଁ। ଯଦି ଆପଣ ଏହାକୁ କାର୍ଯ୍ୟାନୁଷ୍ଠାନ ଭାବୁଛନ୍ତି, ତାହେଲେ ଆପଣ ନିଜ ପାଇଁ ଅନ୍ୟ ଚାକିରି ଖୋଜିନେବା ଉଚିତ୍।
ଓଭାଲ ଅଫିସରେ ପୋଲାଣ୍ଡ ରାଷ୍ଟ୍ରପତି କରୋଲ ନାୱରୋକିଙ୍କ ସହ ଦ୍ୱିପାକ୍ଷିକ ବୈଠକ ସମୟରେ ଡୋନାଲ୍ଡ ଟ୍ରମ୍ପ ଏଭଳି କହିଛନ୍ତି। ଟ୍ରମ୍ପ ପୁଣି କହିଛନ୍ତି ଯେ, ଦୁଇ ସପ୍ତାହ ପୂର୍ବରୁ ଭାରତକୁ ଚେତାବନୀ ଦିଆଯାଇଥିଲା ଯେ, ଋଷ ଠାରୁ ତେଲ କିଣିବା ଜାରି ରଖେ ତାହେଲେ ଭାରତ ପାଇଁ ବଡ଼ ସମସ୍ୟା ହେବ। ସେହିପରି ମସ୍କୋ ଉପରେ ପ୍ରତିବନ୍ଧକ ଲଗାଇବା ପ୍ରଶ୍ନରେ ଟ୍ରମ୍ପ କହିଛନ୍ତି ଯେ, ଆମ ସରକାର ଭାରତ ଉପରେ ପ୍ରତିବନ୍ଧକ ଲଗାଇ ମସ୍କୋ ବିରୋଧରେ ପ୍ରଥମ ପଦକ୍ଷେପ ନେଇସାରିଛନ୍ତି।
ସୂଚନା ଥାଉକି, ଋଷ ଠାରୁ ତେଲ କିଣିବା ନେଇ ଆମେରିକା ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଇଥିଲା। ଏହାପରେ ଟ୍ରମ୍ପ ସରକାର ଭାରତ ଉପରେ ଆଉ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ ଲଦିଥିଲେ। ଅଗଷ୍ଟ ୨୭ରୁ ଏହି ୨୫ ପ୍ରତିଶତ ଅତିରିକ୍ତ ଟାରିଫ୍ ଲାଗୁ ହୋଇଛି। ଏବେ ଭାରତ ଉପରେ ମୋଟ ୫୦ ପ୍ରତିଶତ ଟାରିଫ୍ ଲାଗିଛି।