ନୂଆଦିଲ୍ଲୀ, ୨୮/୦୬: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ପୁଣି ଥରେ ବୃଦ୍ଧି ପାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି, ଯଦି ଇରାନ ଯୁଦ୍ଧବିରତି ଉଲ୍ଲଂଘନ ଜାରି ରଖେ ଏବଂ ଆମେରିକାକୁ ପୁଣି ସାମରିକ କାର୍ଯ୍ୟାନୁଷ୍ଠାନ କରିବାକୁ ବାଧ୍ୟ କରେ, ତେବେ ଏହାର ପରିଣାମ ଅତ୍ୟନ୍ତ ଗମ୍ଭୀର ହେବ। ଏହାସହିତ ଇସଲାମିକ ଗଣରାଜ୍ୟ ଇରାନର ଅସ୍ତିତ୍ୱ ଶେଷ ହୋଇଯିବ।

ଟ୍ରମ୍ପ ତାଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'Truth Social'ରେ ଦାବି କରିଛନ୍ତି ଯେ ଆମେରିକୀୟ ଯୁଦ୍ଧ ବିମାନ ଇରାନର କ୍ଷେପଣାସ୍ତ୍ର, ଡ୍ରୋନ୍ ଠିକଣା ଏବଂ ଉପକୂଳବର୍ତ୍ତୀ ରାଡାର ବ୍ୟବସ୍ଥାକୁ ଟାର୍ଗେଟ କରିଛି । ସେ ଅଭିଯୋଗ କରିଛନ୍ତି ଯେ ଇରାନ ପୁଣି ଥରେ ଯୁଦ୍ଧବିରତି ଚୁକ୍ତି ଉଲ୍ଲଂଘନ କରିଛି। ଟ୍ରମ୍ପ କହିଛନ୍ତି, ଶାନ୍ତି ବୁଝାମଣା ହେବାଠାରୁ  ଆମେରିକା ଏପର୍ଯ୍ୟନ୍ତ ନିରବତା ପ୍ରଦର୍ଶନ କରି ଆସୁଥିଲା, କିନ୍ତୁ ଆକ୍ରମଣ ବନ୍ଦ ନହେଲେ ଆହୁରି କଡ଼ା ପଦକ୍ଷେପ ନିଆଯିବ।

CENTCOMର ବଡ଼ ଦାବି:

ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ଦାବି କରିଛି ଯେ ଇରାନର ମିସାଇଲ, ଡ୍ରୋନ୍ ଭଣ୍ଡାର ଏବଂ ଉପକୂଳବର୍ତ୍ତୀ ରାଡାର କେନ୍ଦ୍ର ଉପରେ ସଠିକ୍ ବିମାନ ଆକ୍ରମଣ କରାଯାଇଛି। ଏହି ଅଭିଯାନ ସମ୍ପର୍କରେ ୩୭ ସେକେଣ୍ଡର ଏକ ଭିଡିଓ ମଧ୍ୟ CENTCOM ପକ୍ଷରୁ ଜାରି କରାଯାଇଛି।

CENTCOMର ଦାବି ଅନୁସାରେ, ପାନାମା ପତାକା ବହନ କରୁଥିବା ତୈଳ ଟ୍ୟାଙ୍କର M/T kiku ଉପରେ ଇରାନ ଆତ୍ମଘାତୀ ଡ୍ରୋନ୍ ଆକ୍ରମଣ କରିଥିଲା। ଏହି ଜାହାଜ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ବେଳେ ପ୍ରାୟ ୨ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ବହନ କରୁଥିଲା। ଏହାର ପ୍ରତିକ୍ରିୟା ସ୍ୱରୂପ ଇରାନର ନିରୀକ୍ଷଣ ପ୍ରଣାଳୀ, ଯୋଗାଯୋଗ ନେଟୱାର୍କ, ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, ଡ୍ରୋନ୍ ଗୋଦାମ ଏବଂ ସମୁଦ୍ର ମାଇନ୍ କ୍ଷମତାକୁ ଟାର୍ଗେଟ କରାଯାଇଥିବା CENTCOM କହିଛି ।

​​​​​​​

ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ପ୍ରତିକ୍ରିୟା:

ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ମଧ୍ୟ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଇରାନ ଯୁଦ୍ଧବିରତି ଚୁକ୍ତିରେ ସ୍ୱାକ୍ଷର କରିଥିଲା ଏବଂ ଆମେରିକା ଏହାକୁ ସମ୍ମାନ କରୁଛି। କୌଣସି ବିବାଦ ଥିଲେ ଆଲୋଚନାରେ ସମାଧାନ ହୋଇପାରେ, କିନ୍ତୁ ହିଂସାର ଉତ୍ତର ହିଂସାରେ ଦିଆଯିବ ବୋଲି ସେ କହିଛନ୍ତି।

ହର୍ମୁଜ୍ ପ୍ରଣାଳୀକୁ ନେଇ ବଢ଼ିଲା ଚିନ୍ତା:

ଏହି ଘଟଣା ପରେ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ ହର୍ମୁଜ୍ ପ୍ରଣାଳୀର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଆମେରିକା ଓ ଇରାନ ଉଭୟ ପରସ୍ପର ଉପରେ ଯୁଦ୍ଧବିରତି ଉଲ୍ଲଂଘନ ଏବଂ ଅଞ୍ଚଳରେ ଉତ୍ତେଜନା ବଢ଼ାଇବାର ଅଭିଯୋଗ କରୁଛନ୍ତି।

ଅଧିକ ପଢନ୍ତୁ-Suicide Attack Pakistan: ପାକିସ୍ତାନର ସାମରିକ ଘାଟି ଉପରେ ହମଲା; ଆକ୍ରମଣରେ ୪ ସୁରକ୍ଷାକର୍ମୀଙ୍କ ସହ ୬ ଆତଙ୍କୀ ନିହତ