ୱାଶିଂଟନ,୦୧/୧୨: ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଡୋନାଲ୍ଡ  ଟ୍ରମ୍ପ୍‌ଙ୍କ ଦ୍ୱାରା ନିଯୁକ୍ତ ପ୍ରତିରକ୍ଷା ମନ୍ତ୍ରୀ  ପିଟ୍‌ ହେଗସେଥଙ୍କ ବିରୋଧରେ ଯୌନ  ଉତ୍ପୀଡ଼ନ ଅଭିଯୋଗ ଆସିଛି । ଅନେକ  ମହିଳାଙ୍କୁ ସେ ଯୌନ ଶୋଷଣ କରିଥିବା  ସୂତ୍ରରୁ ଜଣାପଡ଼ିଛି । 

ଆମେରିକୀୟ  ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ  ମୁତାବକ, ପିଟ୍‌ ହେଗସେଥଙ୍କ ମାଆଙ୍କ  ୬ ବର୍ଷର ପୁରୁଣା ଇମେଲ୍‌କୁ ଆଧାର  କରି ଏହି ତଥ୍ୟ ମିଳିଛି । ୨୦୧୮ରେ  ଲେଖାଯାଇଥିବା ଏହି ମେଲ୍‌ ଅନୁସାରେ, ପିଟ୍‌ଙ୍କ ମାଆ ପେନିଲୋପ୍‌ ଅଭିଯୋଗ କରିଥିଲେ  ଯେ ହେଗସେଥ ଅନେକ ବର୍ଷ ଧରି ପୃଥକ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଦେଇଆସୁଥିଲେ । ତାଙ୍କ ଚରିତ୍ର ବାବଦରେ ଅନେକ ନକାରାତ୍ମକ କଥା ଏଥିରେ ଉଲ୍ଲେଖ ରହିଥିଲା। ପେନିଲୋପ ଏଭଳି ସମୟରେ ଉକ୍ତ ମେଲ୍‌ ଲେଖିଥିଲେ, ଯେବେ କି ପତ୍ନୀ ସମନ୍ଥାଙ୍କଠାରୁ  ପିଟ୍‌ଙ୍କର ଛାଡ଼ପତ୍ର ହେବାର ଥିଲା । 

ମେଲ୍‌ରେ ପେନିଲୋପ୍‌ ଆହୁରି ଲେଖିଥିଲେ,  ପିଟ୍‌ଙ୍କ ଚରିତ୍ର ଏବଂ ବ୍ୟବହାରକୁ ନେଇ ଚୁପ୍‌ ରହିବା ଲାଗି ଅନେକ ଚେଷ୍ଟା କରିଥିଲି ।  କିନ୍ତୁ ରହିପାରି ନ ଥିଲି । ହେଗସେଥଙ୍କ  ହରକତକୁ ନେଇ ପତ୍ନୀ ସମନ୍ଥା କିଭଳି  ଯନ୍ତ୍ରଣାର ସମ୍ମୁଖୀନ ହେଉଥିଲେ,ତାହା ମୁଁ ଅନୁଭବ କରିପାରୁଛି। ଜଣେ  ମହିଳା ହିସାବରେ ମୁଁ ଚୁପ୍‌ ରହିବା  ସମ୍ଭବ ହେଉନାହିଁ । ତେବେ ଏହାର  କିଛିଦିନ ପରେ ପେନିଲୋପ୍‌ ରାଗରେ  ଏହି ଇମେଲ୍‌ ଲେଖିଥିବା କହିବା ସହ  ହେଗସେଥଙ୍କୁ କ୍ଷମା ମାଗିଥିଲେ ।