ନୂଆଦିଲ୍ଲୀ: ଆଜି ଆଲାସ୍କାରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମିଳିତ ଭାବେ ଏକ ବୈଠକ କରିଥିଲେ। ଏହି ପରିପ୍ରେକ୍ଷିରେ ଟ୍ରମ୍ପ ଆମେରିକୀୟ ଜାତୀୟ ଗଣମାଧ୍ୟମ ଫକ୍ସ ନ୍ୟୁଜ୍କୁ ନିଜର ପ୍ରଥମ ସାକ୍ଷାତକାର ଦେଇଛନ୍ତି। ଏହି ସାକ୍ଷାତକାରରେ ସେ କହିଛନ୍ତି ଯେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲାସ୍କାରେ ହୋଇଥିବା ବୈଠକ ଅତ୍ୟନ୍ତ ସଫଳ ରହିଥିଲା ଏବଂ ଏହାକୁ ସେ ୧୦ରୁ ୧୦ ମାର୍କ ଦେଇଛନ୍ତି। ଏହି ବୈଠକରେ ୟୁକ୍ରେନ ଯୁଦ୍ଧ ଏବଂ ରୁଷ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ସଂଭାବ୍ୟ ଟାରିଫ ବିଷୟରେ ଆଲୋଚନା ହୋଇଥିଲା।
କ’ଣ ରହିଥିଲା ମୁଖ୍ୟ ବିଷୟବସ୍ତୁ:
୧. ଆଲାସ୍କା ବୈଠକ: ଟ୍ରମ୍ପ ଏବଂ ପୁଟିନ ଆଲାସ୍କାର ଆଙ୍କରେଜ ସୈନ୍ୟ ଆଡ୍ଡାରେ ପ୍ରାୟ ତିନି ଘଣ୍ଟା ଧରି ଆଲୋଚନା କରିଥିଲେ। ଏହି ବୈଠକରେ ୟୁକ୍ରେନ ଯୁଦ୍ଧରେ ଯୁଦ୍ଧବିରାମ ପାଇଁ କୌଣସି ଚୁକ୍ତି ହୋଇନଥିଲା। କିନ୍ତୁ ଟ୍ରମ୍ପ ଏହାକୁ ସଫଳ ବୋଲି ଦାବି କରିଛନ୍ତି।
୨. ରୁଷ ଉପରେ ଟାରିଫ ପ୍ରସଙ୍ଗ: ଟ୍ରମ୍ପ କହିଛନ୍ତି ଯେ ସେ ତୁରନ୍ତ ରୁଷ ଏବଂ ଏହାର ବାଣିଜ୍ୟ ଅଂଶୀଦାରମାନଙ୍କ ଉପରେ ଦ୍ୱିତୀୟ ପର୍ଯ୍ୟାୟ ଟାରିଫ ଲଗାଇବାକୁ ଚିନ୍ତା କରୁନାହାନ୍ତି। ତେବେ, ସେ ୨-୩ ସପ୍ତାହ ମଧ୍ୟରେ ଏହି ଟାରିଫ ବିଷୟରେ ପୁନର୍ବିଚାର କରିପାରନ୍ତି ବୋଲି ସୂଚନା ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, "ଆଜିର ବୈଠକ ପରେ ମୋତେ ଏହା ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ। କିନ୍ତୁ ଦୁଇ କିମ୍ବା ତିନି ସପ୍ତାହ ପରେ ମୁଁ ଏହା ଉପରେ ପୁନର୍ବିଚାର କରିପାରେ।"
୩. ଭାରତ ପାଇଁ ଆଶ୍ୱସ୍ତି: ଭାରତ ଉପରେ ରୁଷ ତେଲ କିଣିବା ନେଇ ପୂର୍ବରୁ ୨୫% ଟାରିଫ ଲଗାଯାଇଥିଲା। ଯାହା ଭାରତୀୟ ମାଲ ଉପରେ ମୋଟ ଟାରିଫକୁ ୫୦%କୁ ବୃଦ୍ଧି କରିଥିଲା। ଟ୍ରମ୍ପଙ୍କ ଏହି ନୂଆ ମନ୍ତବ୍ୟ ଭାରତ ପାଇଁ ସାମୟିକ ଆଶ୍ୱସ୍ତି ଆଣି ଦେଇଛି। କାରଣ ଟ୍ରମ୍ପ ତୁରନ୍ତ ଅତିରିକ୍ତ ଟାରିଫ ଲଗାଇବା ନେଇ ଯୋଜନା କରୁନାହାନ୍ତି। ତେବେ, ଭାରତ ରୁଷ ତେଲ ଆମଦାନୀ ଜାରି ରଖିଥିବାରୁ ଆଗାମୀ ଦିନରେ ଏହି ଟାରିଫ ବିଷୟରେ ଅନିଶ୍ଚିତତା ଜାରି ରହିଛି।
୪. ୟୁକ୍ରେନ ଯୁଦ୍ଧ ଓ ଶାନ୍ତି ଆଲୋଚନା: ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ଶାନ୍ତି ଚୁକ୍ତି କରିବାକୁ ଆହ୍ୱାନ ଦେଇଛନ୍ତି ଏବଂ ଏହା ପାଇଁ ୟୁରୋପୀୟ ସଂଘର ଅଂଶଗ୍ରହଣ ଆବଶ୍ୟକ ବୋଲି କହିଛନ୍ତି। ସେ ଏହା ମଧ୍ୟ ସୂଚାଇଛନ୍ତି ଯେ ଯୁଦ୍ଧବନ୍ଦୀ ବିନିମୟ ସଂଭାବନା ରହିଛି। କାରଣ ଆଜିର ବୈଠକରେ ପୁଟିନ ତାଙ୍କୁ ହଜାର ହଜାର ଯୁଦ୍ଧବନ୍ଦୀଙ୍କ ତାଲିକା ପ୍ରଦାନ କରିଛନ୍ତି।
୫. ପୁଟିନଙ୍କ ମନ୍ତବ୍ୟ: ପୁଟିନ ଟ୍ରମ୍ପଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ୨୦୨୨ରେ ଟ୍ରମ୍ପ ରାଷ୍ଟ୍ରପତି ଥିଲେ ୟୁକ୍ରେନ-ରୁଷ ଯୁଦ୍ଧ ଆରମ୍ଭ ହୋଇନଥାନ୍ତା। ସେ ଟ୍ରମ୍ପଙ୍କୁ ମସ୍କୋ ଗସ୍ତ ପାଇଁ ଆମନ୍ତ୍ରଣ ମଧ୍ୟ ଜାରି କରିଛନ୍ତି।
ଆପଣଙ୍କୁ ଜଣାଇରଖୁ ଯେ ଭାରତ ଏବଂ ଚୀନ ହେଉଛନ୍ତି ବର୍ତ୍ତମାନ ସମୟରେ ରୁଷ ତେଲର ଶୀର୍ଷ ଦୁଇ କ୍ରେତା। ଟ୍ରମ୍ପଙ୍କ ପୂର୍ବ ଟାରିଫ ଭାରତକୁ ପ୍ରଭାବିତ କରିଥିଲା। କିନ୍ତୁ ଭାରତ ଏନେଇ ସ୍ପଷ୍ଟ କରିଛି ଯେ ସେ କୌଣସି ବି ପରିସ୍ଥିତିରେ ରୁଷ ତେଲ ଆମଦାନୀ ବନ୍ଦ କରିବନାହିଁ।
ଅନ୍ୟପଟେ ଦୀର୍ଘ ଚାରି ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧରେ ଶାନ୍ତି ଆଲୋଚନା ଏପର୍ଯ୍ୟନ୍ତ ଯାଏ ସଫଳ ହୋଇପାରିନାହିଁ। ଟ୍ରମ୍ପ ଜେଲେନସ୍କିଙ୍କୁ ଶାନ୍ତି ଚୁକ୍ତି ପାଇଁ ଚାପ ପକାଉଛନ୍ତି। କିନ୍ତୁ ଜେଲେନସ୍କି ବାରମ୍ୱାର ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏନେଇ ଟ୍ରମ୍ପ କହିଛନ୍ତି ଯେ ସେ ଜେଲେନସ୍କିଙ୍କ ସହ ଆଲୋଚନା ଜାରି ରଖିବେ। ଏବଂ ନାଟୋ ଓ ୟୁରୋପୀୟ ସଂଘ ସହ ଯୋଗାଯୋଗ କରିବେ। ଏକ ଏକ୍ସ ପୋଷ୍ଟରେ ଜେଲେନସ୍କି କହିଛନ୍ତି ଯେ ସେ ଟ୍ରମ୍ପଙ୍କ ସହ ସୋମବାର ଓ୍ୱାଶିଂଟନରେ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଏହି ବୈଠକ ଏବଂ ଟ୍ରମ୍ପଙ୍କ ମନ୍ତବ୍ୟ ବିଶ୍ୱବ୍ୟାପୀ ଧ୍ୟାନ ଆକର୍ଷଣ କରିଛି। ୟୁରୋପୀୟ ସଂଘ ଏହି ଘଟଣାକ୍ରମକୁ ଅତି ନିକଟରୁ ନିରୀକ୍ଷଣ କରୁଛି। ଏବଂ ଭାରତ ନିଜର ଶକ୍ତି ଆବଶ୍ୟକତାକୁ ପ୍ରାଥମିକତା ଦେବା ଜାରି ରଖିଛି।