ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ରପ୍ତାନୀ ଉପରେ ଅତିରିକ୍ତ ୨୫% ଅତିରିକ୍ତ ଟାରିଫ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ଭାରତର ରୁଷିୟ ତୈଳ କ୍ରୟ ଜାରି ରଖିବା ବିରୁଦ୍ଧରେ ଏକ ପ୍ରତିଶୋଧ ଭାବେ ଦେଖାଯାଉଛି। ଏହା ଭାରତର ତୈଳ ଶୋଧନାଗାର ଏବଂ ଆମେରିକା ସହିତ ବାଣିଜ୍ୟ ସମ୍ପର୍କକୁ ଜଟିଳ କରିପାରେ ବୋଲି ଅନୁମାନ କରାଯାଉଛି।

ଟ୍ରମ୍ପ ଏକ କାର୍ଯ୍ୟନିର୍ବାହୀ ଆଦେଶ ଜାରି କରି ଭାରତୀୟ ରପ୍ତାନୀ ଉପରେ ଅତିରିକ୍ତ ୨୫% ଟାରିଫ ଲାଗୁ କରିଛନ୍ତି, ଯାହା ମୋଟ ଶୁଳ୍କକୁ ୫୦% କରିଛି। ଏହି ନିଷ୍ପତ୍ତି ଆସନ୍ତା ଅଗଷ୍ଟ ୨୭ ତାରିଖ ଠାରୁ କାର୍ଯ୍ୟକାରୀ ହେବ। ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଭାରତ ରୁଷିଆରୁ ରିହାତି ମୂଲ୍ୟରେ ତୈଳ କିଣୁଛି, ଯାହା ବର୍ତ୍ତମାନ ଦେଶର ମୋଟ ତୈଳ ଆମଦାନୀର ୩୫-୪୦% ପ୍ରତିଶତରେ ପହଞ୍ଚିଛି। ଯାହା ଦ୍ୱାରା ଭାରତ ପ୍ରାୟ ୩.୮ ବିଲିୟନ ଡଲାର ଅତିରିକ୍ତ ବ୍ୟୟ ସଞ୍ଚୟ କରି ପାରିଛି। କିନ୍ତୁ ଆମେରିକା ଏହାକୁ ୟୁକ୍ରେନ ଯୁଦ୍ଧକୁ ପରୋକ୍ଷ ସମର୍ଥନ ଭାବେ ଦେଖୁଛି।

ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହି ଅଭିଯୋଗକୁ "ଅନ୍ୟାୟ ଓ ଅଯୌକ୍ତିକ" ବୋଲି କହି ପ୍ରତିବାଦ କରିଛି। ଏନେଇ ଭାରତ କହିଛି ଯଏ, ୟୁକ୍ରେନ ଯୁଦ୍ଧ ପରେ ପାରମ୍ପରିକ ତୈଳ ଯୋଗାଣକାରୀମାନେ ଇୟୁରୋପ ଆଡ଼କୁ ମୁହାଁଇବା ପରେ ଭାରତ ପକ୍ଷରୁ ବିପୁଳ ପରିମାଣରେ ରୁଷିୟ ତୈଳ କିଣା ଆରମ୍ଭ ହୋଇଥିଲା। ଯାହା ବିଶ୍ୱ ବଜାରରେ ତୈଳ ମୂଲ୍ୟ ସ୍ଥିର ରଖିବାରେ ସାହାଯ୍ୟ କରିଛି।

ରୁଷିୟ ତୈଳ ଉପରେ ରିହାତି ହ୍ରାସ ଓ ଟ୍ରମ୍ପଙ୍କ ଟାରିଫ ଧମକ ପରେ, ଇଣ୍ଡିଆନ ଅଏଲ କର୍ପୋରେସନ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଭଳି ରାଷ୍ଟ୍ରାୟତ୍ତ ଶୋଧନାଗାରଗୁଡ଼ିକ ସ୍ପଟ ବଜାରରୁ ରୁଷିୟ ତୈଳ କିଣିବା ବନ୍ଦ କରିଛନ୍ତି। IOC ସେପ୍ଟେମ୍ବର ପାଇଁ ମଧ୍ୟପ୍ରାଚ୍ୟ, ବ୍ରାଜିଲ, ଗୁୟାନା, ଆମେରିକା ଓ କାନାଡ଼ାରୁ ୭୦ ଲକ୍ଷ ବ୍ୟାରେଲ ତୈଳ ବୁକ କରିଛି।

ଯଦି ରୁଷିୟ ତୈଳ ଆମଦାନୀ ହ୍ରାସ ପାଏ, ଭାରତ ଇରାକ, ସାଉଦି ଆରବ, UAE, ଆମେରିକା, ବ୍ରାଜିଲ, କାନାଡ଼ା, ଗୁୟାନା ଏବଂ ନାଇଜେରିଆ, ଆଙ୍ଗୋଲା ଭଳି ପଶ୍ଚିମ ଆଫ୍ରିକୀୟ ଦେଶମାନଙ୍କ ଉପରେ ନିର୍ଭର କରିପାରେ। ୨୦୨୫ର ପ୍ରଥମାର୍ଦ୍ଧରେ ଆମେରିକାରୁ ଭାରତର ତୈଳ ଆମଦାନୀ ୫୦% ରୁ ଅଧିକ ବୃଦ୍ଧି ପାଇଛି।

ରୁଷିଆନ ତୈଳ ଛାଡ଼ି ଅନ୍ୟ ଉତ୍ସକୁ ଫେରିବା ଦ୍ୱାରା ଭାରତର ବାର୍ଷିକ ତୈଳ ଖର୍ଚ୍ଚ ୧୧ ବିଲିୟନ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇବା ସହିତ ଶୋଧନାଗାରଗୁଡ଼ିକର ମାର୍ଜିନ ମଧ୍ୟ ହ୍ରାସ ପାଇବ। ତଥାପି, ଭାରତ ୨୦୨୪-୨୫ରେ ଆମେରିକାକୁ ୮୭ ବିଲିୟନ ଡଲାରର ବିଶୋଧିତ ତୌଳ ରପ୍ତାନୀ କରିଥିଲା।

ଏହି ପ୍ରସଙ୍ଗକୁ ନେଇ ବିବାଦ ତେଜିଥିବା ବେଳେ ଭାରତ ଜାତୀୟ ସ୍ୱାର୍ଥ ଓ ଅର୍ଥନୈତିକ ସୁରକ୍ଷାକୁ ଅଗ୍ରାଧିକାର ଦେବ ବୋଲି କହିଛି। ଏହା ସହିତ, ଆମେରିକା ଓ ଇୟୁରୋପୀୟ ସଂଘର ରୁଷିଆ ସହିତ ଜାରି ରହିଥିବା ବାଣିଜ୍ୟ, ଯେପରି ଇଉରାନିୟମ, ପାଲାଡିୟମ ଓ ସାର ଆମଦାନୀ ନେଇ ଭାରତ ଦ୍ୱିମୁଖୀ ନୀତିର ଅଭିଯୋଗ କରିଛି।

ଟ୍ରମ୍ପଙ୍କ ଟାରିଫ ଧମକ ଭାରତକୁ ରୁଷିୟ ତୈଳ ଉପରେ ନିର୍ଭରଶୀଳତା ନେଇ ପୁନର୍ବିଚାର କରିବାକୁ ବାଧ୍ୟ କରୁଛି। ଭାରତୀୟ ଶୋଧନାଗାରଗୁଡ଼ିକ ଅନ୍ୟ ଉତ୍ସକୁ ଫେରୁଥିବା ବେଳେ, ଏହା ଅର୍ଥନୈତିକ ଓ ରାଜନୈତିକ ଦୃଷ୍ଟିକୋଣରୁ ଜଟିଳ ସ୍ଥିତି ସୃଷ୍ଟି କରୁଛି। ଭାରତ ଜାତୀୟ ସ୍ୱାର୍ଥ ଓ ବିଶ୍ୱ ବଜାରରେ ସ୍ଥିରତା ମଧ୍ୟରେ ସନ୍ତୁଳନ ବଜାୟ ରଖିବାକୁ ଚେଷ୍ଟା ଜାରି ରଖିଛି।