ନୂଆଦିଲ୍ଲୀ, ୩୧/୦୭ : ଋଷର ପ୍ରଳୟଙ୍କରୀ ଭୂକମ୍ପ ପରେ ଡରାଇଲାଣି ସୁନାମି। ବାଜିଲା ସତର୍କ ଘଣ୍ଟି। ଏଇଠୁ ଆରମ୍ଭ ହେଲା ତାଣ୍ଡବଲୀଳା। ଆଗକୁ ଆଗକୁ ଆହୁରି କରାଳ ରୂପ ଦେଖାଇବ ପ୍ରକୃତି। ଏସିଆ ଠାରୁ ଆରମ୍ଭ କରି ୟୁରୋପ ଏବଂ ଆମେରିକା ପର୍ଯ୍ୟନ୍ତ ଆତଙ୍କ। ଟେନସନ୍ରେ ୧୨ ରାଷ୍ଟ୍ର। ଏକ ମାସ ଯାଏଁ ଭୂକମ୍ପ ଝଟ୍କାରେ ଥରିବ ପ୍ରଶାନ୍ତ ମହାସାଗର ତଟବର୍ତ୍ତୀ ଅଞ୍ଚଳ। ଜାପାନକୁ ସବୁଠୁ ଅଧିକା ବିପଦ। ଜାପାନବାସୀଙ୍କ ମନରେ ପୁଣି ତାଜା ହେଲା ଫୁକୁସିମା ପରମାଣୁ ବିପର୍ଯ୍ୟୟର ଭୟଙ୍କର ସ୍ମୃତି।
୨୦୧୧ ମସିହା ମାର୍ଚ୍ଚ ୧୧ରେ ଜାପାନରେ ୯.୦ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ଏହାଦ୍ଵାରା ୪୦ ମିଟର ପର୍ଯ୍ୟନ୍ତ ସୁନାମି ଆସିଥିଲା। ଦେଶର ଉତ୍ତର-ପୂର୍ବ ଉପକୂଳରେ ପ୍ରକୃତି ବିଧ୍ଵଂସଲୀଳା ରଚିଥିଲା। ସବୁକିଛି ଛାରଖାର୍ ହୋଇଯାଇଥିଲା। ଫୁକୁସିମା ପରମାଣୁ ବିପର୍ଯ୍ୟୟରେ ୧୫,୮୯୯ ଲୋକ ପ୍ରାଣ ହରାଇଥିବା ବେଳେ ୨,୫୨୯ ଜଣ ନିଖୋଜ ହୋଇଯାଇଥିଲେ। ଲକ୍ଷାଧିକ ଲୋକ ବାସହରା ହୋଇଥିଲେ। ଋଷରେ ଶକ୍ତିଶାଳୀ ଭୂକମ୍ପ ପରେ ଏବେ ଜାପାନବାସୀଙ୍କ ମନରେ ଛନକା ପଶିଛି। ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।
ବୁଧବାର ଋଷରେ ଦଶନ୍ଧିର ସବୁଠୁ ଶକ୍ତିଶାଳୀ ଭୂକମ୍ପ ପରେ ପ୍ରଳୟଙ୍କରୀ ସୁନାମି ବିନାଶଲୀଳା ରଚିଛି। ୮.୮ ତୀବ୍ରତାର ଭୂକମ୍ପ ଋଷର କାମ୍ଚଟକା ଉପଦ୍ଵୀପକୁ ଦୋହଲାଇ ଦେଇଛି। ଭୂମିକମ୍ପ ପରେ କାମ୍ଚଟକା ଉପଦ୍ୱୀପରେ ଥିବା କ୍ଲୁଚେଭ୍ସ୍କାୟା ସୋପକା ଆଗ୍ନେୟଗିରି ଉଦ୍ଗିରଣ ହୋଇଛି। ସେଥିରୁ ଲାଭା ନିର୍ଗତ ହେଉଛି । ଦୂରରୁ ନିଆଁ ଏବଂ ପାଉଁଶ ବାଦଲ ଦେଖିବାକୁ ମିଳିଛି। ରିଙ୍ଗ୍ ଅଫ୍ ଫାୟାର କାରଣରୁ ଆମେରିକା ଯାଏ ସୁନାମି ହୋଇଛି। କାମ୍ଚାଟକାରେ ଆସିଥିବା ଏହି ଭୂମିକମ୍ପ ପ୍ୟାସିଫିକ୍ ପ୍ଲେଟ୍ ଓ ୟୁରେସିଆନ ପ୍ଲେଟ୍ ମଧ୍ୟରେ ଥିବା ଜୋନ୍ରେ ଘଟିଛି। ଯାହା ଭୂକମ୍ପ ପାଇଁ ଏକ ବିପଦପୂର୍ଣ୍ଣ ଅଞ୍ଚଳ। ଏହାଦ୍ଵାରା ପ୍ରଶାନ୍ତ ମହାସାଗର ଉପକୂଳରେ ଅବସ୍ଥିତ ୧୨ଟି ଦେଶରେ ସୁନାମି ଭୟ ବଢିଛି। ଜାପାନ, ଚୀନ, ଆମେରିକା, ଚିଲି, କଲମ୍ଵିଆ, ଇକ୍ଵେଡୋର, ପାନାମା, ମେକ୍ସିକୋ, ଫିଲିପାଇନ୍ସ, ଇଣ୍ଡୋନେସିଆ, ଫ୍ରେଞ୍ଚ୍ ପଲିନେସିଆ ଓ ନ୍ୟୁଜିଲ୍ୟାଣ୍ଡରେ ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଛି। ଜାପାନ ସବୁଠୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ଦେଶ ଗୁଡ଼ିକ ଭୂକମ୍ପର ଶକ୍ତି ପଥରେ ଆସୁଛନ୍ତି।
ଏଭଳି ଅଗଭୀର ଭୂକମ୍ପ ଅଧିକ ତରଙ୍ଗ ଶକ୍ତି ଉତ୍ପନ କରେ। ଯାହା ଜେଟ୍ ବିମାନ ଗତିରେ ମହାସାଗର ଅତିକ୍ରମ କରି ଦୂରବର୍ତ୍ତୀ ଉପକୂଳରେ ପ୍ରଭାବ ପକାଏ। ବୁଧବାର ଠାରୁ ଆରମ୍ଭ ହୋଇଥିବା ବିପର୍ଯ୍ୟୟ ଏକ ମାସ ଯାଏଁ ଜାରି ରହିବ ବୋଲି ଆମେରିକା ଚେତାବନୀ ଦେଇଛି। ଭବିଷ୍ୟତର ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି କାଲିଫର୍ଣ୍ଣିଆ, ଓରେଗନ୍, ଓ ଆଲାସ୍କାରେ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ପ୍ରଶାନ୍ତ ମହାସାଗରୀୟ ଦ୍ଵୀପଦେଶ ଫିଜି, ସାମୋଆ, ଟୋଙ୍ଗାରେ ମଧ୍ୟ ସୁନାମି ଆଲର୍ଟ ଜାରି ହୋଇଛି।