ନୂଆଦିଲ୍ଲୀ: ତେହେରିକ-ଏ-ତାଲିବାନ ପାକିସ୍ତାନ (TTP) ପାକିସ୍ତାନୀ ସେନା ବିରୁଦ୍ଧରେ ଏକ ବଡ଼ ଆକ୍ରମଣ ପାଇଁ ଏବେ ନିଜକୁ ଦାୟୀ କରିଛି । ସଂଗଠନ ଦାବି କରିଛି ଯେ, ଏହାର ଯୋଦ୍ଧାମାନେ ଖୈବର ପଖତୁନଖଓ୍ବାର ଦକ୍ଷିଣ ୱାଜିରିସ୍ତାନ ଅଞ୍ଚଳରେ ଏକ ପାକିସ୍ତାନୀ ସେନା ଶିବିର ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨୫ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିଲା ଏବଂ ଆଠ ଜଣ ଆହତ ହୋଇଥିଲେ। ତଥାପି, ପାକିସ୍ତାନୀ ସେନା ପକ୍ଷରୁ ଏପର୍ଯ୍ୟନ୍ତ ଏହି ଆକ୍ରମଣକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରାଯାଇନାହିଁ ।
TTP ସହିତ ଜଡିତ ସଂଗଠନ ଦ ଭଏସ୍ ଅଫ୍ ଖୋରାସନ ଆଜି (ମଙ୍ଗଳବାର) ଆକ୍ରମଣର ଏକ ଭିଡିଓ ଏବଂ ବିବୃତ୍ତି ଜାରି କରିଛି। ଭିଡିଓରେ, TTP କହିଛି ଯେ ଏହା ସୋମବାର ରାତିରେ ଏକ ପାକିସ୍ତାନୀ ସେନା ପୋଷ୍ଟ ଉପରେ ଆକ୍ରମଣ କରିଥିଲା। ଆକ୍ରମଣ ସମୟରେ ଏକ ପାକିସ୍ତାନୀ ଡ୍ରୋନ୍ ମଧ୍ୟ ନଷ୍ଟ ହୋଇଥିଲା। TTP ପାକିସ୍ତାନୀ ସେନାର ଏହି ପୋଷ୍ଟକୁ କବଜା କରିଥିବା ଦାବି କରିଛି।
ଏହି ଆକ୍ରମଣ ଏପରି ସମୟରେ ହୋଇଛି, ଯେତେବେଳେ କି ପାକିସ୍ତାନ ସରକାର TTP ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ସୋମବାର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ କହିଛନ୍ତି ଯେ, ସରକାର କୌଣସି ପରିସ୍ଥିତିରେ TTP ସହିତ ଆଲୋଚନା କରିବ ନାହିଁ। ସେ କହିଥିଲେ ଯେ, ପାକିସ୍ତାନ କେବଳ ଆଫଗାନ ତାଲିବାନ ସହିତ ଆଲୋଚନା କରିବ, କିନ୍ତୁ ଆତଙ୍କବାଦୀ ସଂଗଠନ ସହିତ ନୁହେଁ।
ତେବେ ଟିଟିପି ବହୁ ବର୍ଷ ଧରି ପାକିସ୍ତାନୀ ସେନା ଉପରେ ଆକ୍ରମଣ କରିଆସୁଛି, ବିଶେଷକରି ଆଫଗାନ ସୀମାବର୍ତ୍ତୀ ଅଞ୍ଚଳରେ। ପାକିସ୍ତାନ ଅଭିଯୋଗ କରିଛି ଯେ ଆଫଗାନ ତାଲିବାନ ଟିଟିପିକୁ ଆଶ୍ରୟ ଏବଂ ସମର୍ଥନ ଯୋଗାଇ ଦେଉଛି। ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ କ୍ରମାଗତ ଭାବରେ ଖରାପ କରିଛି ।